ଭୁବନେଶ୍ୱର,୦୩/୦୫/୨୦୨୬(ଓଡ଼ିଶା ସମାଚାର)- ଦକ୍ଷିଣ ଦିଗରୁ ଖୋର୍ଦ୍ଧା ରୋଡ ପାର ହୋଇ ଭୁବନେଶ୍ୱର ଷ୍ଟେସନ ଅଭିମୁଖେ ଯିବା ବେଳେ ତାହା ପୂର୍ବରୁ ପଡ଼ିଥାଏ ଲିଙ୍ଗରାଜ ଟେମ୍ପଲ ରୋଡ୍ । ଭୁବନେଶ୍ୱରରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ବିଶେଷ କରି ପୁରୁଣା ଭୁବନେଶ୍ୱର ଅନ୍ତର୍ଗତ ମନ୍ଦିରମାନ ବୁଲିବା ପାଇଁ ବହୁ ଯାତ୍ରୀ, ପର୍ଯ୍ୟଟକ ଏଠାରେ ଓହ୍ଲାଇଥାନ୍ତି । ଏହି ଷ୍ଟେସନର ପାଖାପାଖି ଅଂଚଳରେ ମଣିଷ ହାଟ(ନିତିଦିନିଆ କାମିକା ଲୋକ), ଡାକ୍ତରଖାନା, ଥାନା, ଏକାମ୍ର କଲେଜ, ସତ୍ୟସାଇ ମହିଳା କଲେଜ, ପରିବା ହାଟ ଇତ୍ୟାଦି ସମେତ ବହୁ ଗାଁ ରହିଅଛି ।
ଏହି ଷ୍ଟେସନ ନିକଟରେ ଦୂରଗାମୀ ଟ୍ରେନଗୁଡ଼ିକ ରହଣି ଦରକାର । ମାତ୍ର ଏହାକୁ ଆଦୌ ଧ୍ୟାନ ଦିଆଯାଉନାହିଁ । କିଛି ପାସେଂଜର ଟ୍ରେନ ଏଠାରେ ଅଟକୁଛି । ବର୍ଦ୍ଧିଷ୍ଣୁ ଜନସଂଖ୍ୟ ଦୃଷ୍ଟିରୁ ଏହି ଷ୍ଟେସନର ଆବଶ୍ୟକ ଉନ୍ନତିକରଣ କାର୍ଯ୍ୟ ଖୁବ ମନ୍ଥର ଗତିରେ କାହିଁକି ଚାଲିଛି ତାହା ବୁଝାପଡ଼ୁନାହିଁ । ଏହାକୁ ଯେପରି ସାବତ ପୁଅ ଭଳି ବିଚାର କରାଯାଉଛି । ଷ୍ଟେସନରେ ବିଧିବଦ୍ଧ ଅଟୋ ଷ୍ଟାଣ୍ଡ ରହିବା, ପିଇବା ପାଣି ବ୍ୟବସ୍ଥା, ପାଂଚ ଟଙ୍କିଆ ଆହାର କେନ୍ଦ୍ର, ସ୍ତ୍ରୀ ଲୋକଙ୍କ ଶିଶୁ ଖାଦ୍ୟ ଦେବା ଗୃହ , ଶୈ ।ଚାଳୟ ଇତ୍ୟାଦି ସାଙ୍ଗକୁ ଆନୁଷଙ୍ଗିକ ଯାତ୍ରୀ ସୁବିଧା ପ୍ରତି ଧ୍ୟାନ ଦିଆଯିବା ଦରକାର ।
ମାତ୍ର ରେଳ ମନ୍ତ୍ରୀ କାହିଁକି ଏଥିପ୍ରତି ଉଦାସୀନ, ତାହା ରହସ୍ୟ ଘେରରେ । ଦିନକୁ ଦିନ ଏହି ଷ୍ଟେସନ ଲୋକଙ୍କ ଜୀବନରେଖା ପାଲଟୁଛି । ତେଣୁ ଏହି ଷ୍ଟେସନର ଉନ୍ନତିକରଣ ଶୀଘ୍ର କରାଯାଉ ଓ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନାମରେ ଏକ ଟ୍ରେନ ନାମକରଣ କରାଯାଉ । ଏଥିପ୍ରତି ଧ୍ୟାନ ଦେବାକୁ ସେବା ସଂଗଠନ ମୁଖ୍ୟ ସମାଜସେବୀ ଏପରି ମର୍ମରେ ପ୍ରାୟ ୫ ବର୍ଷ ହେବ ବିଭିନ୍ନ ସମୟରେ ଧାରଣା ଦେବା ସହ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିବା ପ୍ରକାଶ କରିଛନ୍ତି ।ଧାରଣାରେ ଗିରିଜା ଶଙ୍କର ମହାପାତ୍ର, ଉଲ୍ଲାସ ଚନ୍ଦ୍ର ମହାପାତ୍ର, ସତ୍ୟନାରାୟଣ ସାମନ୍ତସିଂହାର, ରଙ୍କନିଧି ପଟ୍ଟନାୟକ, ରାମ ପ୍ରସାଦ ରଥ, ତାରା ଚରଣ ଆଚାର୍ଯ୍ୟ, ଶିଶିର ରଥ, ଅଶୋକ କୁମାର ମହାରଣା, ଦାମୋଦର ସାମନ୍ତରାୟ, ସତ୍ୟନାରାୟଣ ମିଶ୍ର, ଡକ୍ଟର ଲିଙ୍ଗରାଜ ସାହୁ, ବଂଶୀଧର ପଣ୍ଡା, ଡାକ୍ତର ସୁଦର୍ଶନ ବଳିଆରସିଂ, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ସଞ୍ଜୟ ମାର୍ଥା ପ୍ରମୁଖ ସାମିଲ ହୋଇଥିଲେ ।
