ଅନ୍ତର୍ଜାତୀୟ ନିଶା ଦ୍ରବ୍ୟ ସେବନ ଓ ଅବୈଧ ଚୋରା ଚାଲାଣ ବିରୋଧ ଦିବସ ପାଳିତ

ଜଗତସିଂହପୁର,୨୬/୦୬/୨୦୨୫ (ଓଡ଼ିଶା ସମାଚାର)-ଆମ ସଂକଳ୍ପ ନିଶା ନୁହେଁ:ଜୀବନ “ର ପ୍ରଥମ ପର୍ଯ୍ୟାୟର ଅନ୍ତିମ ଦିବସରେ ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଅନ୍ତର୍ଜାତୀୟ ନିଶା ଦ୍ରବ୍ୟ ସେବନ ଓ ଅବୈଧ ଚୋରା ଚାଲାଣ  ବିରୋଧ ଦିବସ ଉପଲକ୍ଷେ ସଭା ର ଆୟୋଜନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ଜଗତସିଂହପୁର  ବିଧାୟକ, ଶ୍ରୀ ଅମରେନ୍ଦ୍ର ଦାସ କହିଲେ ଯେ, ସଠିକ୍ କାର୍ଯ୍ୟନୁଷ୍ଠାନ, ସମସ୍ତଙ୍କ ସହଭାଗିତା, ସତର୍କ ଏବଂ ସଚେତନ ନାଗରିକ ରହିଲେ ହିଁ ଏକ ନିଶାମୁକ୍ତ ସମାଜ ଗଠନ ସମ୍ଭବ ହୋଇପାରିବ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ ମଦ ର ବିଷାକ୍ତ ସତ୍ୟ କୁ ଅତି ସରଳ ଭବେ ବୁଝାଇଥିଲେ।’ ମ  ‘ ର ଅର୍ଥ ମୃତ୍ୟୁ ଓ ଦ ର ଅର୍ଥ ଦାରିଦ୍ର୍ୟ ବୋଲି ସେ କହିଥିଲେ।ତେଣୁ ସମସ୍ତଙ୍କୁ ଏଥିରୁ ନିବୃତ୍ତ ରହିବା ପାଇଁ ପରାମର୍ଶ ଦେଇଥିଲେ।

ସଭାରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ନିଶା ନିବାରଣ ଏକ ଆହ୍ୱାନ ଏବଂ ପ୍ରଶାସନ, ପୋଲିସ ଓ ସଚେତନ ନାଗରିକ ଙ୍କ ମିଳିତ ଉଦ୍ୟମ ରେ ଏହାକୁ ପ୍ରତିହତ କରିହେବ ବୋଲି କହିଥିଲେ।ଅବକାରୀ ଅଧିକ୍ଷକ ଶ୍ରୀମତୀ ଅନିତା ପ୍ରଧାନ ଦିବସ ର ତାତ୍ପର୍ଯ୍ୟ ବିଷୟ ରେ ଉପସ୍ଥାପନ କରିବା ସହ ଜିଲ୍ଲା ରେ ଅବକାରୀ ବିଭାଗର କାର୍ଯ୍ୟନୁଷ୍ଠାନ ସମ୍ପର୍କ ରେ ତଥ୍ୟ ଉପସ୍ଥାପନ କରିଥିଲେ। ସଭାରେ ଉପସ୍ଥିତ ରହି ପ୍ରଜାପିତା ବ୍ରହ୍ମକୁମାରୀ ଅଧିକାରୀ କହିଲେ ଯେ, ଆତ୍ମା ଓ ପରମାତ୍ମା ଙ୍କ ସମନ୍ଵୟ ରେ ଏକ ସୁସ୍ଥ ମାନସିକତା ଗଠନ ସମ୍ଭବ ଯାହା ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହେବ। ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଉଦର ସୁନ୍ଦର ସ୍ୱାଇଁ ମଧ୍ୟ ନିଶା ନିବାରଣ କ୍ଷେତ୍ର ରେ ନିଜର ଅଭିବ୍ୟକ୍ତି ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ନିଶା ନିବାରଣ କେନ୍ଦ୍ର ରେ ଚିକିତ୍ସିତ ହୋଇ ନିଶା ନୁହେଁ ଜୀବନ କୁ ବାଛିଥିବା ଦୁଇଜଣ ଯୁବକ ପ୍ରଭାତ କୁମାର ମଲ୍ଲିକ, ଶୁଭ ନାରାୟଣ ସାମନ୍ତ ରାୟ ଙ୍କୁ ସମ୍ମାନିତ କରାଯାଇଥିଲା ଯେଉଁମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସେମାନେ ମଧ୍ୟ ନିଜର ଅଭିଜ୍ଞତା ବାଣ୍ଟିଥିଲେ।ଶେଷରେ  ପ୍ରବନ୍ଧ ଲିଖନ, ବକୃତା ତଥା  ଗଣଦୌଡ ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମମତା ଦାସ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ନିଶା ନିବାରଣ କେନ୍ଦ୍ର ରେ ଚିକିତ୍ସିତ ହୋଇ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହୋଇ ପାରିଥିବା ବ୍ୟକ୍ତି ମାନଙ୍କ ବିଷୟ ରେ ତଥ୍ୟ ଉପସ୍ଥାପନ କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ସଭାରେ ସାଧାରଣ ଜନତା,  ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି,ବିଦ୍ୟାଳୟ ଛାତ୍ର ଛାତ୍ରୀ , ଅବକାରୀ ଏବଂ ସାମାଜିକ ସୁରକ୍ଷା ବିଭାଗ ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଥିଲେ।

ଆଜି ପ୍ରାତଃ ସମୟରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜଗତସିଂହପୁର ମୁନିସିପାଲିଟିର ଯୋଗଧାରୀ ଛକ ଠାରୁ କଲେକ୍ଟରେଟ୍ ପଡିଆ ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ର ଛାତ୍ର ଛାତ୍ରୀ,ଏନସିସି କ୍ୟାଡେଟସ୍ ମାନଙ୍କୁ ନେଇ ଏକ ଗଣ ଦୌଡ଼ ର ଆୟୋଜନ  କରାଯାଇଥିଲା । ମାନ୍ୟବର ବିଧାୟକ ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଏହାକୁ ଶୁଭାରମ୍ଭ କରିଥିଲେ।

ଏହା ପରେ ସକାଳ ୯:୩୦  ସମୟ ରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଜିଲ୍ଲା ଅବକାରୀ ବିଭାଗ, ଅନ୍ୟାନ୍ୟ ସରକାରୀ କର୍ମଚାରୀ ତଥା ସାଧାରଣ ଜନତାଙ୍କୁ ନେଇ ଏକ ରାଲି ର ଆୟୋଜନ କରାଯାଇଥିଲା।

Leave a Reply

Your email address will not be published. Required fields are marked *