କଟକ, ୨୬/୦୬/୨୦୨୫ (ଓଡ଼ିଶା ସମାଚାର)- ଆଜି ଲାଞ୍ଚ ନେଉଥିବା ସମୟରେ ୩ ଜଣ ସରକାରୀ କର୍ମଚାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି । ଭିଜିଲାନ୍ସ ଦ୍ୱାରା ଧରାପଡ଼ି ଗିରଫ ହୋଇଥିବା ୩ ଜଣ ସରକାରୀ କର୍ମଚାରୀ ହେଉଛନ୍ତି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଶିକ୍ଷା ଅଧିକାରୀ କାର୍ୟ୍ୟାଳୟର ଆକାଉଣ୍ଟାଣ୍ଟ ସୂର୍ୟ୍ୟକାନ୍ତ ସ୍ୱାଇଁ ଓ କଟକ ଜିଲ୍ଲା କନ୍ଦରପୁର ରାଜସ୍ୱ ସର୍କଲର ଆରଆଇ ମନୋଜ କୁମାର ବେହେରା ଓ ଅମିନ ବିଚିତ୍ରାନନ୍ଦ ଶତପଥି ।
ଭିଜିଲାନ୍ସ ନିର୍ଦ୍ଧେଶାଳୟରୁ ମିଳିଥିବା ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଶିକ୍ଷା ଅଧିକାରୀ କାର୍ୟ୍ୟାଳୟର ଆକାଉଣ୍ଟାଣ୍ଟ ସୂର୍ୟ୍ୟକାନ୍ତ ସ୍ୱାଇଁଙ୍କୁ ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ଟିମ୍ । ସୂଚନା ମୁତାବକ, ସୂର୍ୟ୍ୟକାନ୍ତ ସ୍ୱାଇଁ ଜଣେ ଶିକ୍ଷକଙ୍କଠାରୁ ଘର ନିର୍ମାଣ ପାଇଁ ୧,୫୦,୦୦୦ ଟଙ୍କା ଅଗ୍ରିମ ବିଲ୍ କରିବା ପାଇଁ ୫୦୦୦ଟଙ୍କା ଲାଞ୍ଚ ମାଗିଥିଲେ । ଉକ୍ତ ଗୃହ ନିର୍ମାଣ ଅଗ୍ରିମ ଟଙ୍କା ପୂର୍ବରୁ ସରକାରଙ୍କ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ମଞ୍ଜୁର କରାଯାଇଥିଲା । କିନ୍ତୁ କୁଜଙ୍ଗର ବିଇଓ କାର୍ୟ୍ୟାଳୟର ଆକାଉଣ୍ଟାଣ୍ଟ ସୂର୍ୟ୍ୟକାନ୍ତ ସ୍ୱାଇଁ କୌଣସି କାରଣ ବିନା ବିଲ୍ ପ୍ରସ୍ତୁତ କରିବାରେ ବିଳମ୍ବ କରୁଥିଲେ । ବିଲ୍ର ପ୍ରକ୍ରିୟାକରଣ ଏବଂ ରିଲିଜ୍ ପାଇଁ ୫୦୦୦ଟଙ୍କା ଲାଞ୍ଚ ମାଗିଥିଲେ । ତେଣୁ ଅନ୍ୟ କୌଣସି ଉପାୟ ନପାଇ ଶିକ୍ଷକ ଜଣକ ଏନେଇ ଭିଜିଲାନ୍ସ ରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଆଧାରରେ ଗୁରୁବାର ଆକାଉଣ୍ଟାଣ୍ଟ ସୂର୍ୟ୍ୟକାନ୍ତ ସ୍ୱାଇଁ ଅଭିଯୋଗକାରୀଙ୍କଠାରୁ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଜଗି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରି ରାସାୟନ୪ିକ ପରୀକ୍ଷା କରିଥିଲେ । ତା ପରେ ତାଙ୍କୁ ଗିରଫ କରାଯାଇଛି ।
୍ଣସହିପରି କଟକ ଜିଲ୍ଲା କନ୍ଦରପୁର ରାଜସ୍ୱ ସର୍କଲର ଆରଆଇ ଓ ଅମିନ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଜଣେ ବ୍ୟବସାୟୀଙ୍କଠାରୁ ୧୨ହଜାର ଟଙ୍କା ଲଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ଦୁଇ କର୍ମଚାରୀଙ୍କୁ ମାଡିବସିଥିଲେ। ଅଭିଯୁକ୍ତମାନେ ହେଲେ ଆରଆଇ ମନୋଜ କୁମାର ବେହେରା ଓ ଅମିନ ବିଚିତ୍ରାନନ୍ଦ ଶତପଥି। ଆରଆଇ ଅଫିସ ନିକଟରେ ଦୋକାନ କରିଥିବା ଜଣେ ବ୍ୟବସାୟୀ ଚାଷ ଜମିର କିସମ ପରିଵର୍ତ୍ତନ କରି ଘରବାଡ଼ି ଢିହ ପଟ୍ଟା ପ୍ରଦାନ କରିବା ପାଇଁ ଆବେଦନ କରିଥିଲେ। ଆରଆଇ ଓ ଅମିନ ତାଙ୍କ ନିକଟରୁ ଏ ନେଇ ଟଙ୍କା ଦାବି କରି ଆସୁଥିଲେ। ବ୍ୟବସାୟୀ ଜଣକ କିଛି ଟଙ୍କା ଦେଇଥିଲେ ।
ଦୁଇ କର୍ମଚାରୀ ସେଥିରେ ସନ୍ତୁଷ୍ଟ ନଥିଲେ। ବ୍ୟବସାୟୀ ଜଣକ ଆରଆଇ ଅଫିସ କୁ ଦୀର୍ଘ ଦିନ ହେଲା ଦୌଡୁଥିଲେ ହେଁ ନିରାଶ ହୋଇ ଆସୁଥିଲେ। ଏଥିରେ ନିରାଶ ହୋଇ ସମ୍ପୃକ୍ତ ବ୍ୟବସାୟୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇ ଥିଲେ। ଏହି ଘଟଣାରେ ଭିଜିଲାନ୍ସର ଯୋଜନା ମୁତାବକ ବ୍ୟବସାୟୀ ଜଣକ ନଗଦ ୧୨ହଜାର ଟଙ୍କାର କେମିକାଲ ବୋଳା ନୋଟ ନେଇ ଆରଆଇ ଅଫିସ ନିକଟରେ ପହଞ୍ଚିଥିଲେ। ବ୍ୟବସାୟୀ ଜଣକ ଟଙ୍କା ନେଇ ଆରଆଇ ଓ ଅମିନଙ୍କୁ ଟଙ୍କା ଦେବା ମାତ୍ରେ ସେଠାରେ ଜଗି ରହିଥିବା ଭିଜିଲାନ୍ସ ଟିମ ଦୁଇ କର୍ମଚାରୀଙ୍କୁ ଟଙ୍କା ସହ କାବୁ କରି ନେଇଥିଲା। ସାକ୍ଷୀ ମାନଙ୍କ ସମ୍ମୁଖରେ ସମସ୍ତ ଟଙ୍କା ତାଙ୍କ ଠାରୁ ଜବତ କରାଯାଇଥିଲା । ଭିଜିଲାନ୍ସର ଆଉ ତିନୋଟି ଟିମ ଅଭିଯୁକ୍ତଙ୍କ ଘର ସମେତ ଅଫିସ ଉପରେ ଚଢ଼ଉ ଜାରି ରଖିଥିବା ସୂଚନା ମିଳିଛି ।
