ସରକାରୀ ଉଚ୍ଚ ବିଦ୍ୟାଳୟ, ସତ୍ୟଭାମାପୁରର ବାର୍ଷିକ ଉତ୍ସବ ଏବଂ ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ

ଭୁବନେଶ୍ୱର,୨୬/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଖୋରଧା ଜିଲ୍ଲା ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ସତ୍ୟଭାମାପୁରର ୫୯  ତମ  ବାର୍ଷିକ ଉତ୍ସବ ତଥା ପୁରସ୍କାର ପ୍ରଦାନ ସମାରୋହ ବିଦ୍ୟାଳୟ ପରିସରରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

          କାର୍ଯ୍ୟକ୍ରମରେ ସତ୍ୟଭାମାପୁର ଗ୍ରାମ ପଂଚାୟତର ସରପଂଚ ଶ୍ରୀମତୀ ରଶ୍ମିତା ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଅତିଥିମାନଙ୍କ ଦ୍ୱାରା ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଏବଂ  ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବର ଶୁଭ ଉଦ୍ଘାଟନ କରାଯାଇଥିଲା ।

          ବିଦ୍ୟାଳୟ ପଞ୍ଚଶିକ୍ଷା ସେତୁ କମିଟିର ଅଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ର କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ  ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶୁଭଶ୍ରୀ ସାମନ୍ତରାୟ ବାର୍ଷିକ ବିବରଣୀ ପାଠ କରିବା ସହ ଛାତ୍ରଛାତ୍ରୀଙ୍କୁ ଭଲ ପାଠ ପଢି ନିଜର ତଥା ବିଦ୍ୟାଳୟର  ଗୌରବ ବୃଦ୍ଧି କରିବାକୁ ଉତ୍ସାହିତ କରିଥିଲେ ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ନାରାୟଣ ବେହେରା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଚରିତ୍ର ଗଠନ ଓ ଭବିଷ୍ୟତରେ ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ ।

          ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସଭାପତି ଶ୍ରୀ ସାହେବ କୁମାର ସାହୁ, ସଂସଦର ବରିଷ୍ଠ ସଦସ୍ୟ ଶ୍ରୀ ବୃନ୍ଦାବନ ବେହେରା, ସଂସଦର ସାଧାରଣ ସଂପାଦକ ଶ୍ରୀ ପଠାଣି ରାଉତ ପ୍ରମୁଖ ଯୋଗଦେଇ ପୂର୍ବରୁ  ଅଧ୍ୟୟନ କରିଥିବା ଏହି ବିଦ୍ୟାଳୟରେ  ପାଠପଢା ସମୟର ନିଜ ନିଜର ଅନୁଭୂତି ପ୍ରକାଶ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର  ସୃଜନଶୀଳତାର ବିକାଶ, ବୈଜ୍ଞାନିକ ତଥା ଗବେଷଣାତ୍ମକ  ମନୋଭାବ ପୋଷଣ, କ୍ରୀଡା, ନୃତ୍ୟ, ସଂଗୀତ ଆଦି ବିଭିନ୍ନ କ୍ଷେତ୍ରରେ ରହୁଥିବା ରୁଚିକୁ ପାଥେୟ କରି ଦକ୍ଷତାର ବିକାଶ ପୂର୍ବକ ଭବିଷ୍ୟତ ଗଢ଼ିବାକୁ ଉପାଦେୟ ପରାମର୍ଶ ଦେଇଥିଲେ ।    ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର ୪  ଗୋଟି ବର୍ଗରେ  ୧୬୭  ଜଣ କୃତି ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀମାନେ  ୧୪  ଟି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ  ନୃତ୍ୟ ଓ ସଂଗୀତ ମାଧ୍ୟମରେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ ।

         ପ୍ରାରମ୍ଭରେ ଅତିଥିମାନେ ବିଦ୍ୟାଳୟ ପରିସରରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ପରେ ଅତିଥିମାନେ ଆମ ସଂସ୍କୃତି ଆମ ଖେଳନା ଗଣିତ ଓ  ବିଜ୍ଞାନ କ୍ଲବର ବିଭିନ୍ନ ମଡେଲ ଏବଂ ସ୍କ୍ରାପ୍ ବୁକ୍ ରୁ ସଂଗୃହିତ  ଉପସ୍ଥାପିତ ଚିତ୍ର ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ସହ ପରିଦର୍ଶନ କରିଥିଲେ ଓ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କିତ ଶିକ୍ଷାଭିତ୍ତିକ ପ୍ରଦର୍ଶନୀ  ପ୍ରଦର୍ଶିତ ହୋଇଥିଲା ।  ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରୀ ଶରତ କୁମାର ବସନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।  ଶିକ୍ଷୟିତ୍ରୀ ସିଦ୍ଧେସ୍ୱିନୀ ମହାନ୍ତି ମଂଚ ପରିଚାଳନା କରିଥିଲେ ।

       କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ, ଛାତ୍ରଛାତ୍ରୀ, ପୁରାତନ  ଛାତ୍ରଛାତ୍ରୀ  ଉପସ୍ଥିତ ରହି  କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ । ଆସନ୍ତା ବର୍ଷ ବିଦ୍ୟାଳୟର ହୀରକ ଜୟନ୍ତୀ ବର୍ଷ ପାଳନ କରାଯିବାକୁ ଥିବାରୁ ଏଥି ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରାଯାଇଛି ।

Leave a Reply

Your email address will not be published. Required fields are marked *