କେନ୍ଦ୍ରାପଡା, ୧୪/୦୨/୨୦୨୫(ଓଡ଼ିଶା ସମାଚାର)- କପାଳେଶ୍ୱର ଗ୍ରାମପଂଚାୟତର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଥିବା ଶିବାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି, ଜିଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ ବିଶିଷ୍ଟ ଅତିଥି, ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ମୁଖ୍ୟବକ୍ତା ଓ ଆଶ୍ରମର ଉପାଧ୍ୟକ୍ଷ ଡ. କାଳି ପ୍ରସନ୍ନ ଶତପଥୀ, ବିଦ୍ୟାମନ୍ଦିର ଅଧ୍ୟକ୍ଷ ଡ. ସୁରେନ୍ଦ୍ରନାଥ ଆଚାର୍ଯ୍ୟ ଓ ସମାଜସେବୀ ଅର୍ଚ୍ଚନା ଗୋଏଙ୍କା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କ ଉଦେଶ୍ୟରେ ବହୁ ଉପାଦେୟ ବକ୍ତବ୍ୟ ରଖିବା ସହ ସେମାନଙ୍କର ଉତରୋତର ଉନ୍ନତି କାମନା କରିଥିଲେ ।
ଅତିଥିମାନେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ଜିଲା ପରିଷଦ ସଭାପତି ସୁଶ୍ରୀ ଦାସଙ୍କୁ ଉତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାମନ୍ଦିରର ଗୁରୁଜୀ ଓ ଗୁରୁମା’ମାନଙ୍କ ସହିତ ଛାତ୍ରାଭିଭାବକମାନେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମଚାରୀ ନୃସିଂହନାଥ ଦାସ, ରୀତାଞ୍ଜଳୀ ନାଥ, ଶିବାନୀ ପ୍ରମୁଖ ଉପସ୍ଥିତ ଥିଲେ ।
