ରୋଟାରୀ ରୟାଲର ଡିଜି ଓ ଓସିଭି ଅନୁଷ୍ଠିତ

ଭୁବନେଶ୍ୱର,୨୩/୦୬/୨୦୨୫ (ଓଡ଼ିଶା ସମାଚାର)- ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ରୟାଲ ଆନୁକୂଲ୍ୟରେ ‘ପ୍ରାନ୍ତପାଳ ଅଧିକାରୀଙ୍କ କ୍ଲବ ପରିଦର୍ଶନ’ କାର୍ଯ୍ୟକ୍ରମ କ୍ଲବ ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଦିବସବ୍ୟାପୀ ଏହି କାର୍ଯ୍ୟକ୍ରମ ଅବସରରେ, ପୂର୍ବାହ୍ନରେ ସୁନ୍ଦରପଦା ଛକରେ ଏକ ‘ରୋଟାରୀ ପିସ୍ ପୋଲ’ ପ୍ରତିଷ୍ଠା କରାଯାଇଥିଲା ।

ରୋଟାରୀର ‘ସ୍ୱାବଲମ୍ବୀ’ ଯୋଜନା ମାଧ୍ୟମରେ ପୋଖରୀପୁଟସ୍ଥିତ ଜଣେ ହିତାଧିକାରୀଙ୍କୁ ବ୍ୟବସାୟିକ ଟ୍ରଲି ପ୍ରଦାନ କରାଯାଇଥିଲା । ରୋଟାରୀ ରୟାଲ ଚକ୍ଷୁ ଚିକିତ୍‌ସାଳୟର ପରିବର୍ଦ୍ଧିତ ଶାଖା କାର୍ଯ୍ୟାଳୟର ଉଦ୍‌ଘାଟନ ହେବା ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ଅଣାଯାଇ ଚକ୍ଷୁ ଅସ୍ତ୍ରୋପଚାର କରାଯାଇଥିବା ପଚିଶ ଜଣଙ୍କୁ ଉପଚାର ସାମଗ୍ରୀ ଦିଆଯାଇଥିଲା । ଏଥିରେ କ୍ଲବର ସମସ୍ତ ସଦସ୍ୟଙ୍କ ଗହଣରେ ପ୍ରାନ୍ତପାଳ ଯଜ୍ଞାଶିଷ ମହାପାତ୍ର, ପରବର୍ତୀ ପ୍ରାନ୍ତପାଳ ଅନିଲ୍ ସାମଲ ଓ ସ୍ଥାନୀୟ କାର୍ପୋରେଟର ମଧୁସ୍ମିତା ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ ।


ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲରେ ସଭାପତି ଶ୍ରୀ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅଧିବେଶନରେ ପ୍ରାନ୍ତପାଳ ଯଜ୍ଞାଶିଷ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ, ଚଳିତ ରୋଟାରୀ ବର୍ଷରେ କ୍ଲବ ପକ୍ଷରୁ ସମ୍ପାଦିତ ହୋଇଥିବା ବିଭିନ୍ନ ସେବା ପ୍ରକଳ୍ପର ଭୂୟସୀ ପ୍ରଶଂସା କରିଥିଲେ । କ୍ଲବ ସମ୍ପାଦକ ଆଶିଷ ପରିଡ଼ା ବାର୍ଷିକ ସେବା କାର୍ଯ୍ୟର ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ କ୍ଲବର ସଦସ୍ୟମାନେ ସାମାଜିକ ସେବାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ରୋଟାରୀ ଫାଉଣ୍ଡେସନକୁ ପଚିଶ ହଜାର ଡଲାର ଅର୍ଥରାଶି ପ୍ରଦାନ କରିବାକୁ ସଂକଳ୍ପ ଘୋଷଣା କରିଥିଲେ ।

ରୋଟାରୀ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରୋଟାରୀୟାନ ଅମରେନ୍ଦ୍ରନାଥ ଦାସ, ପ୍ରଦୀପ ଦାସ, ସଞ୍ଜୟ ଚୌଧୁରୀ, ପ୍ରସନ୍ନ ଲେଙ୍କା, ସୁକୁମାର ପଟ୍ଟନାୟକ, ଅଜୟ ପଟ୍ଟନାୟକ, ଦୀପକ ସେହଗଲ, ପ୍ରଶାନ୍ତ ସାହୁ, କୁଳଦୀପ ରଥ, ପ୍ରତାପ ଚୌଧୁରୀ, ସ୍ମରଣ ମିଶ୍ର, ବିଶ୍ୱଜିତ ମିଶ୍ର, ବିଶ୍ୱମୋହନ ପଟ୍ଟନାୟକ, ପରମାନନ୍ଦ ମିଶ୍ର, ରମେଶ କେଜ୍ରିୱାଲ, ରୁମାଲ ସେହଗଲ, କାଦମ୍ବିନୀ ରଥ, ବିଜୟ ଅଗ୍ରୱାଲ ପ୍ରମୁଖଙ୍କୁ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରବର୍ତୀ ସଭାପତି ଅର୍ଜୁନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରବର୍ତୀ ପ୍ରାନ୍ତପାଳ ଅନିଲ୍ ସାମଲ, ପ୍ରାକ୍ତନ ପ୍ରାନ୍ତପାଳ ରବିନାରାୟଣ ନନ୍ଦ, ଶିବବ୍ରତ ଦାସ, ଡିଆରଏଫସି ଅଜୟ ଅଗ୍ରୱାଲ, ଦେବାଶିଷ ମିଶ୍ର, ଭବାନୀ ଚୌଧୁରୀ, ଜୟଶ୍ରୀ ମହାନ୍ତି, ସୌମ୍ୟରଞ୍ଜନ ମିଶ୍ରଙ୍କ ସମେତ କ୍ଲବର ସମସ୍ତ ପ୍ରାକ୍ତନ ସଭାପତି ଓ ସଦସ୍ୟ ସପରିବାରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *