“ଗଙ୍ଗାଧର ଓଡ଼ିଶାର କାଳିଦାସ – ଉତ୍କଳ ସମ୍ମିଳନୀ”

ଭୁବନେଶ୍ୱର, ୧୯/୮/୨୦୨୪ (ଓଡ଼ିଶା ସମାଚାର)- ଆଜି ଶ୍ରାବଣ ପୂର୍ଣ୍ଣୀମା ତିଥିରେ ସକାଳ ୮ଟା ୩୦ ମିନିଟ୍ ସମୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ ତମ ପବିତ୍ର ଜନ୍ମତିଥି ଉପଲକ୍ଷେ ଉତ୍କଳ ସମ୍ମିନଳୀ କେନ୍ଦ୍ରୀୟ କମିଟି ପକ୍ଷରୁ ଏହାର ସାଧାରଣ ସମ୍ପାଦକ ଡ଼ା. ରାଧାନାଥ ପ୍ରହରାଜଙ୍କ ପୌରହିତ୍ୟରେ ସ୍ଥାନୀୟ କଳିଙ୍ଗ ଡ଼ାକ୍ତରଖାନା ନିକଟ ଉକ୍ତ ବରପୁତ୍ରଙ୍କ ପ୍ରତିର୍ମୂିରେ ମାଲ୍ୟାର୍ପଣ ତଥା ସ୍ମୃତିଚାରଣ କାର୍ଯ୍ୟକ୍ରମ ହୋଇଯାଇଛି । ଏହି ଅବସରରେ ରଙ୍ଗାଜୀବୀ ଗଙ୍ଗାଧରଙ୍କ ଅମର ସାରସ୍ୱତ କୃତୀ ଏବଂ ତାଙ୍କ ଶାନ୍ତ, ସରଳ, ସ୍ୱାଭିମାନୀ ଜୀବନ ତଥା ସାଧୁତାପୂର୍ଣ୍ଣ ଜୀବନଶୈଳୀ ନେଇ ବକ୍ତାମାନେ ବିଭିନ୍ନ ଦିଗରୁ ଆଲୋଚନାମାନ କରିଥିଲେ । ଓଡ଼ିଆ ଭାଷାର ଘୋର ଦୁର୍ଦ୍ଧିନରେ ମଧ୍ୟଯୁଗୀୟ କବି ରାଧାନାଥ ଏବଂ ମଧୁସୂଦନ ରାଓଙ୍କ ପରି ଗଙ୍ଗାଧରଙ୍କ କାବ୍ୟ, କବିତା ଯେ ଓଡ଼ିଆ ଭାଷା ଭଣ୍ଡାରକୁ ବହୁ ଭାବରେ ଋଦ୍ଧିମନ୍ତ କରିଥିଲା ସେ କଥା ଉଠିଥିଲା । ଯାହା ପରବର୍ତି କାଳରେ ଭାଷାଭିତିରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ଏବଂ ନିକଟ ଅତୀତରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନର ସର୍ତପୂରଣ ପାଇଁ ସହାୟକ ହୋଇ କବି ଗଙ୍ଗାଧରଙ୍କ ଗରୀମା ବର୍ଦ୍ଧନ କରିଥିଲା ବୋଲି କୁହାଯାଇଥିଲା ।
ଗଙ୍ଗାଧରଙ୍କ ଓଡ଼ିଆ ଭାଷା ପ୍ରୀତି ଯେ କେତେ ଗଭୀର ସେ ବିଷୟ ଆଲୋଚନା ବେଳେ ସେ ସମ୍ବଲପୁର ଅଂଚଳରେ ଇଂରେଜ ସରକାରଙ୍କ ଦ୍ୱାରା କୋର୍ଟ କଚେରୀରେ ହିନ୍ଦୀ ଭାଷା ପ୍ରଚଳନକୁ ତୁମୁଳ ବିରୋଧ କରି ଲେଖିଥିବା ପଂକ୍ତି ଉଦ୍ଧାର କରି ବକ୍ତାମାନେ ସମସ୍ତଙ୍କୁ ଭାବପ୍ରବଣ କରିଦେଇଥିଲେ । ଶେଷରେ ଓଡ଼ିଆ ଅସ୍ମିତା ରକ୍ଷା ଦିଗରେ ତାଙ୍କର କଲମ ଚାଳନା କେତେ ଶକ୍ତିଶାଳୀ ଏବଂ ତପସ୍ୱିନୀ କାବ୍ୟରେ ତାଙ୍କ ପ୍ରକୃତି ବର୍ଣ୍ଣନା ମହାକବି କାଳିଦାସଙ୍କ ସଦୃଶ ବୋଲି ମତ ପ୍ରକାଶ ପାଇ ସେ ଯେ ଓଡ଼ିଶାର କାଳିଦାସ ଏଥିରେ ଦ୍ୱିରୁକ୍ତି ନାହିଁ ବୋଲି ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା ।
ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଡ଼ା. କାଶୀନାଥ ରଥ, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଡ଼ା. ବାନାମ୍ବର ପରିଡ଼ା, ଅଧିବକ୍ତା ଇଂ ବିରଂଚିନାରାୟଣ ଦାଶ, ତ୍ରିନାଥ ସାମନ୍ତରାୟ, ଇଂ. ନିଖିଳ ପ୍ରସାଦ ଦାଶ, ଦିବାକର ହୋତା, ପ୍ରାକ୍ତନ ବରିଷ୍ଠ ବ୍ୟାଙ୍କ ଅଧିକାରୀ ପ୍ରଭାକର ପଣ୍ଡା, ଗିରିଜା ଶଙ୍କର ମହାପାତ୍ର, କାଳନ୍ଦୀ ନାୟକ, ବୈରାଗୀ ସେଠୀ, ପ୍ରକାଶ ବେହେରା, କେଶବ ପାଇଲ, ଜଟାଧାରୀ ନାୟକ, ସଂଗ୍ରାମ ଭୋଇ, ସୁରତ ନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ ଶ୍ରୀ ରାଜେଶ୍ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *