ରାଜଭବନରେ ସାମାଜିକ ନିରାପତ୍ତା ଯୋଜନା ସଂପର୍କିତ ସଚେତନତା ଅଭିଯାନ ଆରମ୍ଭ ।

                            ସାମାଜିକ ନିରାପତ୍ତା ଯୋଜନାରେ ଅଧିକ ଲୋକ ସାମିଲ ହେବାକୁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର,୨୩/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ବିଭିନ୍ନ ସାମାଜିକ ନିରାପତ୍ତା ଯୋଜନାରେ ରାଜ୍ୟରେ ଅନେକ ନାଗରିକ ଅନ୍ତର୍ଭୂକ୍ତ ହୋଇନଥିବାରୁ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଚିନ୍ତା ପ୍ରକଟ କରିବା ସହ ଏହି ଯୋଜନାରେ ଅଧିକ ଲୋକ ସାମିଲ ହେବାକୁ ଆହ୍ୱନା ଜଣାଇଛନ୍ତି । ଚଳତ ମଇ ୨୩ ତାରିଖ ଦିନ ରାଜ ଭବନର ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ ନ୍ୟୁ ଅଭିଷେକ ହଲ୍‌ଠାରେ ଆୟୋଜିତ ସଚେତନତା ଅଭିଯାନରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି ।

ସାମାଜିକ ନିରାପତ୍ତା ସଂପର୍କିତ ସଚେତନତା ଅଭିଯାନରେ ରାଜ୍ୟପାଳ ନିଜ ଉଦ୍‌ବୋଧନରେ କହିଥିଲେ ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଭାରତ ସରକାର ଅନେକ ଲୋକକୈନ୍ଦ୍ରିକ କଲ୍ୟାଣ ଯୋଜନା ପ୍ରବର୍ତ୍ତନ କରିଛନ୍ତି । ଏହା ମଧ୍ୟରୁ ଅନେକ ଯୋଜନା ଗରିବ, ଦୁର୍ବଳ ଏବଂ ଅବହେଳିତ ଶ୍ରେଣୀର ଲୋକଙ୍କୁ ଆର୍ଥିକ ସୁରକ୍ଷା ଯୋଗାଇବା ଏବଂ କଲ୍ୟାଣମୂଳକ ଲାଭ ପହଂଚାଇବା ପାଇଁ ଉଦ୍ଦିଷ୍ଟ ଥିବା ବେଳେ କେତେକ ଯୋଜନା ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟକାରୀ ହେଉଛି ।

ଓଡ଼ିଶାରେ ସଚେତନତା ଅଭାବରୁ ବହୁ ସଂଖ୍ୟକ ଯୋଗ୍ୟ ଲୋକ ଏହି ସୁବିଧା ପାଇପାରୁନାହାନ୍ତି । ଏପରିକି ଶିକ୍ଷିତ ଓ ଉଚ୍ଚବର୍ଗର ଲୋକମାନଙ୍କ ମଧ୍ୟରେ ଯୋଜନା ସଂପର୍କରେ ଜ୍ଞାନ ଥିବା ସତ୍ତ୍ୱେ ଉଦାସୀନତା କାରଣରୁ ବିଭିନ୍ନ ଯୋଜନାରୁ ବଂଚିତ ଅଛନ୍ତି ବୋଲି ରାଜ୍ୟପାଳ କହିବା ସହିତ ଉଦାହରଣ ସୃଷ୍ଟି କରିବା ଏବଂ ଜନସାଧାରଣଙ୍କ ମନରେ ଆଗ୍ରହ ସୃଷ୍ଟି କରି ଉତ୍ସାହିତ କରିବା ପାଇଁ ରାଜଭବନରୁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି ବୋଲି କହିଥିଲେ । ରାଜଭବନର ସମସ୍ତ କର୍ମଚାରୀଙ୍କୁ ଯୋଗ୍ୟ ସାମାଜିକ କଲ୍ୟାଣ ଯୋଜନାରେ ପଂଜିକୃତ କରାଯିବ । ଏହା ରାଜ୍ୟର ଲୋକମାନଙ୍କୁ ବିଭିନ୍ନ ଯୋଜନାରେ ସେମାନଙ୍କର ହକ୍ ପାଇବା ପାଇଁ ପ୍ରେରଣାଦାୟକ ହେବ ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା ଏବଂ ଅଟଳ ପେନ୍‌ସନ ଯୋଜନା ଇତ୍ୟାଦି ଯୋଜନା ସଂପର୍କରେ ରାଜ୍ୟପାଳ ଆଲୋକପାତ କରି ଏ ଦିଗରେ ସଚେତନ ହେଲେ ଯୋଗ୍ୟ ହିତାଧିକାରୀମାନଙ୍କର ଅଶେଷ କଲ୍ୟାଣ ସାଧନ ହୋଇପାରିବ ବୋଲି ରାଜ୍ୟପାଳ କହିଥିଲେ । ସଚେତନତା ଅଭିଯାନକୁ ତ୍ୱାରାନ୍ୱିତ କରିବା ପାଇଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା ଉପରେ ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଥିଲେ । ସଚେତନତା ସୃଷ୍ଟି ଦିଗରେ ବିଭିନ୍ନ ବିଭାଗ ସମେତ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ ।

ଏହି ସଚେତନତା ଅଭିଯାନ ଶୁଭାରମ୍ଭର ପ୍ରତୀକସ୍ୱରୂପ ରାଜ୍ୟପାଳ ରାଜଭବନରେ ୧୦୧ ଜଣ କର୍ମଚାରୀଙ୍କ ଆବେଦନ ପତ୍ର ଷ୍ଟେଟ ବ୍ୟାଙ୍କ, ରାଜଭବନ ଶାଖାର ବ୍ରାଂଚ ମ୍ୟାନେଜରଙ୍କୁ ସେମାନଙ୍କ ନାମ ପଂଜିକରଣ ପାଇଁ ପ୍ରଦାନ କରିଥିଲେ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ରାଜଭବନ ବ୍ରାଂଚର ମ୍ୟାନେଜର ସୁନୀତା ବେହେରା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଯୋଜନା ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।

ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌ବିଏସ୍ ରାଜପୁତ, ଆରକ୍ଷୀ ମହାନିର୍ଦ୍ଦେଶକ କ୍ରାଇମବ୍ରାଂଚ ବିନୟତୋଷ ମିଶ୍ର, ଡି.ଆଇ.ଜି ଏସ୍‌.ଟି.ଏଫ୍‌. ପିନାକ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ରାଜଭବନର ଅଧିକାରୀ ଓ କର୍ମଚାରୀ ଏହି ସଚେତନତା ଅଭିଯାନରେ ସାମିଲ ହୋଇଥିଲେ ।
-୦-
ସଂଜୀବ ବାରିକ,ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *