ଭୁବନେଶ୍ୱର, ୧୨/୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଶେଷ ହୋଇଛି କ୍ୟାବିନେଟ ବୈଠକ । ରାଜ୍ୟ କ୍ୟାବିନେଟ୍ରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ରାଜ୍ୟ ସରକାର ଗୁରୁବାର କ୍ୟାବିନେଟ୍ରେ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ଏହି କ୍ୟାବିନେଟ୍ ବୈଠକରେ ଅଗ୍ନିବୀରଙ୍କୁ ନେଇ ଆଜି ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଅଗ୍ନିବୀରଙ୍କ ପାଇଁ ରାଜ୍ୟ ୟୁନିଫର୍ମ ସର୍ଭିସ୍ରେ ୧୦% ସ୍ଥାନ ସଂରକ୍ଷଣକୁ ମଞ୍ଜୁରୀ ମିଳିଥିବା ବେଳେ ଗୋଟିଏ ବର୍ଷ ଟ୍ରେନିଂ ଏବଂ ୪ ବର୍ଷ ଚାକିରି ପରେ ବି ନିଯୁକ୍ତି ମିଳିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ପୋଲିସ, ଅଗ୍ନିଶମ ଓ ବନବିଭାଗରେ ୧୦% ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର।
ସେହିପରି ଆଜିର କ୍ୟାବିନେଟ୍ରେ ବୈଠକରେ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ଏଣିକି ଝିଅଙ୍କୁ ଚାକିରି ମିଳିବ। ଖାଲି ଏତିକି ନୁହେଁ ମା’-ବାପାଙ୍କ ଉପରେ ନିର୍ଭର କରୁଥିବା ବିବାହିତ ଝିଅ/ ସାବତ ଝିଅଙ୍କୁ ମଧ୍ୟ ଚାକିରି ସୁବିଧା ମିଳିବ।
ଏହାବ୍ୟତୀତ ଗୋପାଳପାଳପୁର ବନ୍ଦର ୯୫ ପ୍ରତିଶତ ଆଦାନୀ ଗ୍ରୁପକୁ ପ୍ରଦାନ କରାଯାଇଛି। ଯାହାଫଳରେ ଗୋପାଳପୁର ବନ୍ଦରର ଉନ୍ନତିକରଣ କରାଯାଇପାରିବ। ଫଳରେ ରାଜ୍ୟରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ବଢ଼ିବ ।
ସୂଚନା ଅନୁଯାୟୀ, ଲୋକସେବା ଭବନରେ ବସିଥିବା ଏହି ବୈଠକରେ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି । ନିଷ୍ପତ୍ତି ଅନୁଯାୟୀ, ଗୋପାଳପୁର ବନ୍ଦରର ୯୫% ଅଂଶଧନ ଆଦାନୀ ଗ୍ରୁପ୍ ପାଖକୁ ଯାଇଛି। ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ ହାତରେ ଆଉ ବାକି ୫% ଅଂଶଧନ ରହିବ। ଏହି ଚୁକ୍ତିନାମାକୁ ରାଜ୍ୟ କ୍ୟାବିନେଟ ମଂଜୁରୀ ଦେଇଛନ୍ତି। ଆଦାନୀ ଗ୍ରୁପ୍ ପାଖକୁ ଏହି ଅଂଶଧନ ଯିବା ଦ୍ୱାରା ଗୋପାଳପୁର ବନ୍ଦର ଉନ୍ନତି କରଣ କରାଯାଇପାରିବ। ଫଳରେ ରାଜ୍ୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ବଢ଼ିବ।
ଭାରତର ସବୁଠୁ ବଡ଼ ପ୍ରାଇଭେଟ ପୋର୍ଟ ସଞ୍ଚାଳକ ଆଦାନୀ ପୋର୍ଟ ଗୋପାଳପୁର ବନ୍ଦରର ସେୟାର କିଣିବା ପାଇଁ ୧୩୪୯କୋଟ ଟଙ୍କା ଖର୍ଚ୍ଚ କରିଛି। ଗୋପାଳପୁର ପୋର୍ଟରୁ ଅଂଶଧନ ପାଇଁ ଆଦାନୀ ପୋର୍ଟ Shapoorji Pallonji Group ରୁ ୫୬ ପ୍ରତିଶତ ଓ Orissa Stevedores ରୁ ୩୯ ପ୍ରତିଶତ ଅଂଶଧନ କିଣିଛି।
ଏଥିସହିତ ସରକାରୀ କର୍ମଚାରୀଙ୍କୁ ମୃତ୍ୟୁ ପରେ ତାଙ୍କ ଅବିବାହିତ ଝିଅ, ନିର୍ଭରଶୀଳ ବିବାହିତ ଝିଅ ଏବଂ ସାବତ ଝିଅଙ୍କୁ ମଧ୍ୟ ନିଯୁକ୍ତି ପାଇଁ ଅଧିକାର ମିଳିପାରିବ ବୋଲି କ୍ୟାବିନେଟ ପ୍ରସ୍ତାବ ପାରିତ ହୋଇଛି। ସେହିଭଳି ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଅଗ୍ନିବୀରମାନଙ୍କୁ ପୋଲିସ, ଅଗ୍ନିଶମ ବାହିନୀ, ବନକର୍ମଚରୀ ଏବଂ ଓଡ୍ରାଫ ଆଦି ସଂସ୍ଥାରେ ୧୦ ପ୍ରତିଶତ ନିଯୁକ୍ତି ସଂରକ୍ଷଣ ରହିବ।