ଆଇନ ସେବା ପ୍ରାଧିକରଣ ଦ୍ୱାରା ସମର୍ପଣ ବୃଦ୍ଧାଶ୍ରମରେ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼,୧୬/୦୬/୨୦୨୫(ଓଡ଼ିଶା ସମାଚାର)- ନୟାଗଡ଼ ସହର ନିକଟସ୍ଥ ଲେଖନପୁର ଠାରେ ଗଢିଉଠିଥିବା ସମର୍ପଣ ବୃଦ୍ଧାଶ୍ରମରେ ଜିଲା ଆଇନ୍ ସେବା ପ୍ରାଧିକରଣ ଅନୁଷ୍ଠାନ ତରଫରୁ ବିଶ୍ୱ ବରିଷ୍ଠ ନାଗରିକଙ୍କୁ ଅବମାନନା ନ କରିବା ସଚେତନତା ଦିବସ ପାଳିତ ହୋଇ ଯାଇଛି । ନୟାଗଡ଼ ଜିଲା ଆଇନ୍ ସେବା ପ୍ରାଧିକରଣ ସଚିବ ତଥା ସିନିୟର ବିଭାଗ ବିଚାରପତି ଅଞ୍ଜଳୀ ମଛଖଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ନୟାଗଡ଼ କଳା ପରିଷଦର ସଂପାଦିକା ପ୍ରଭାସିନୀ ନନ୍ଦ ଓ ଜିଲା ଆଇନସେବା ପ୍ରାଧିକରଣର ସାମାଜିକକର୍ମୀ କ୍ଷଣପ୍ରଭା କର ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ପ୍ରତି ସମସ୍ତଙ୍କର କି ପ୍ରକାର ଉତର ଦାୟିତ୍ୱ ଓ କର୍ତବ୍ୟ ଅଛି ସେ ବିଷୟରେ ଆଲୋଚନା କରିଥିଲେ । ବରିଷ୍ଠ ନାଗରିକ ମାନଙ୍କୁ ଉତମ ବ୍ୟବହାର ପ୍ରଦର୍ଶନ କରିବା, ସେମାନଙ୍କର ସେବା ସୂଷୁ୍ରଶା କରିବା ଆଦି ବହୁ ଉପାଦେୟ ବିଷୟରେ ଅତିଥି ମାନେ ପରାମର୍ଶ ଦେଇଥିଲେ ।

ପୁଅବୋହୂ ମାନେ ବୃଦ୍ଧବୃଦ୍ଧା ପିତାମାତାଙ୍କୁ ନିର୍ଯ୍ୟାତନା ଦେଲେ ଆଇନ୍ ର ବିଭିନ୍ନ ବ୍ୟବସ୍ଥା ସହିତ ଜିଲା ଆଇନ୍ ସେବା ପ୍ରାଧିକରଣ କିପରି ପଦକ୍ଷେପ ଗ୍ରହଣ କରେ ସେ ସମ୍ପର୍କରେଏକ ସଚେତନତା ନାଟକ ମଂଚସ୍ଥ ହୋଇଥିଲା । ଜିଲା ଆଇନ୍ ସେବା ପ୍ରାଧିକରଣର ସାମାଜିକ କର୍ମୀ ମାନେ ନିଖୁଣ ଅଭିନୟ କରି ନାଟକଟିକୁ ଜୀବନ୍ତ କରିଥିଲେ । ଜିଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀମତୀ ମଛଖଣ୍ଡ ମହୋଦୟା ସମର୍ପଣ ପରିସର ବୁଲିବା ସହିତ ଅନ୍ତେବାସୀ ମାନଙ୍କ ରୁମ୍ ଗୁଡିକୁ ବୁଲି ଦେଖିଥିଲେ । ସେମାନଙ୍କର ଖାଇବା, ପିଇବା, ରହିବା, ଶୋଇବା, ମନୋରଞ୍ଜନ ଆଦି ସମସ୍ତ ପ୍ରକାର ବ୍ୟବସ୍ଥା ବିଷୟରେ ଟିକିନିଖି କରି ବୁଝିଥିଲେ । ଅନ୍ତେବାସୀ ମାନଙ୍କ ବାର୍ଦ୍ଧକ୍ୟ ଜନିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଉତମ ପରାମର୍ଶ ଦେବା ସହିତ ଆଇନ୍ ସମ୍ପର୍କିତ ସମସ୍ତ ପ୍ରକାର ସେବା ଓ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ନିଜେ ଗୀତ ଗାଇ ଅନ୍ତେବାସୀ ମାନଙ୍କ ମଧ୍ୟରେ ନୂଆ ଉତ୍ସାହ ଉନ୍ମାଦନା ଭରି ଦେଇଥିଲେ ।

ଜିଲା ଆଇନ୍ ସେବା ପ୍ରାଧିକରଣ ଅନୁଷ୍ଠାନର କର୍ମଚାରୀ ମାନେ ଅନ୍ତେବାସୀ ମାନଙ୍କ ସହିତ ନାଚଗୀତ କରି ଏକ ଆନନ୍ଦ ଉଲ୍ଲାସ ଭରା ବାତାବରଣ ସ୍ରୁଷ୍ଟି କରିଥିଲେ । ସମର୍ପଣ ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମର୍ପଣର ବରିଷ୍ଠ ସଦସ୍ୟ ମିହିର ରଂଜନ ନାୟକ ଓ ପ୍ରଶାନ୍ତ କୁମାର ପଟ୍ଟନାୟକ ସହଯୋଗ କରିଥିଲା ବେଳେ କୋଷାଧ୍ୟକ୍ଷ ସନ୍ତୋଷ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *