ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହଲିଙ୍ଗଙ୍କ ଯାଜପୁର ଜିଲ୍ଲା ଗସ୍ତ ଓ ଝାଡାବାନ୍ତି ରୋଗ ସମ୍ପର୍କରେ ସମୀକ୍ଷା।

ଯାଜପୁର,୧୫/୦୬/୨୦୨୫ (ଓଡ଼ିଶା ସମାଚାର)- ଆଜି ଓଡ଼ିଶାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ଯାଜପୁର ଜିଲ୍ଲା ଗସ୍ତରେ ଆସି ବଡ଼ଚଣା, ଧର୍ମଶାଳା, ମଧୁବନ ରସୁଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଝାଡାବାନ୍ତି ରୋଗରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସହିତ ଯୋଗାଇ ଦିଆଯାଉଥିବା ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ। ଉପସ୍ଥିତ ଡାକ୍ତର ମାନଙ୍କ ସହିତ ସବିଶେଷ ଆଲୋଚନା କରିଥିଲେ।

ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ମାନଙ୍କ ସହିତ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ଏହି ବୈଠକରେ ଯାଜପୁର ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରା, କୋରେଇ ବିଧାୟକ ଶ୍ରୀ ଆକାଶ ଦାସନାୟକ, ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ, ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକ, ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, କେନ୍ଦ୍ରୀୟ ଦଳର ସଦସ୍ୟ ଗଣ ଓ ଜନ ସ୍ଵାସ୍ଥ୍ୟ ବିଭାଗର ନିର୍ଦେଶକ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ଜୁନ ୧୦ ତାରିଖରୁ ବିଭିନ୍ନ ଚିକିତ୍ସାଳୟରେ ଆଡମିଟ ହୋଇଥିବା ରୋଗୀମାନଙ୍କର ଚିକିତ୍ସା  ବ୍ୟବସ୍ଥା, ରେଫରାଲ କେସ ଓ ଡିସଚାର୍ଜ ସମ୍ପର୍କୀୟ ତଥ୍ୟ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ସଂକ୍ରମିତ ରୋଗୀ ଓ ତାଙ୍କ ପରିବାରର ସବିଶେଷ ତଥ୍ୟ ଆଶା ଓ ଅଙ୍ଗନୱାଡି କର୍ମୀ ମାନଙ୍କ ମାଧ୍ୟମରେ ଏକ ଡାଟାବେସ ପ୍ରସ୍ତୁତ କରାଯାଉଛି। ଜିଲ୍ଲାରେ ଥିବା ପ୍ରତ୍ୟେକ ସରକାରୀ ଓ ବେସରକାରୀ ନଳକୂପ, କୂପ ଓ ଓଭରହେଡ ଟାଙ୍କି ଥିବା ଜଳ ଉତ୍ସ ଗୁଡ଼ିକୁ ବିଭାଗୀୟ କର୍ମଚାରୀ ମାନଙ୍କ ଦ୍ଵାରା ବିଶୋଧନ କରାଯାଉଛି। ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ପରାମର୍ଶ ସମ୍ପର୍କୀୟ ସଚେତନତା ବାର୍ତ୍ତା ବାରମ୍ବାର ସାମାଜିକ ଗଣମାଧ୍ୟମରେ ଜନ ସାଧାରଣଙ୍କ ସଚେତନତା ନିମନ୍ତେ ପ୍ରଚାର ପ୍ରସାର କରାଯାଉଛି। ଏତଦ୍ ବ୍ୟତୀତ ଆଶା, ଅଙ୍ଗନୱାଡି କର୍ମୀ, ଏ.ଏନ୍.ଏମ ମାନଙ୍କ ମାଧ୍ୟମରେ ଘରକୁ ଘର ବୁଲି ସଚେତନ କରାଯାଉଛି। ସ୍ଵତନ୍ତ୍ର ମେଡିକାଲ ଟିମ୍ ସମ୍ବେଦନଶୀଳ ଅଞ୍ଚଳରେ ପହଞ୍ଚି ଚିକିତ୍ସା ଯୋଗାଇ ଦିଆଯାଉଛି। ବ୍ଲିଚିଙ୍ଗ ପାଉଡର, ହଲୋଜିନ ଟାବଲେଟ୍ ଓ ଓ.ଆର.ଏସ ବଣ୍ଟନ କରାଯାଉଛି।

ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଗତ କାଲି ରାତି ୧୧ ଟାରୁ ଆଜି ଜୁନ ୧୫ ତାରିଖ ସକାଳ ୮ ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ୨୨୫ ଜଣ ଚିକିତ୍ସିତ ହେଉଥିବା ବେଳେ ୯୬ ଜଣ ନୂଆ ରୋଗୀଙ୍କୁ ମିଶାଇ ୩୨୧ ଜଣ ଥିବାବେଳେ ୬ ଜଣ ଙ୍କୁ ରେଫର୍ କରାଯାଇଥିବା ବେଳେ ୫୭ ଜଣ ଡିସଚାର୍ଜ ହୋଇଛନ୍ତି ଏବଂ ୨୫୮ ଜଣ ଚିକିତ୍ସିତ ହେଉଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହଲିଙ୍ଗ ସମୀକ୍ଷା ବୈଠକରେ କହିଲେ ଦୂଷିତ ଜଳ, ଖାଦ୍ୟ ଜନିତ ସମସ୍ୟାର ତୁରନ୍ତ ସମାଧାନ କରାଯିବ।

ଯେତେ ବି ନଳକୂପ ଓ ଜଳଉତ୍ସ ଗୁଡିକ ରହିଛି ତାହାର ବିଶୋଧନ (ଡିସଇନଫେକ୍ସନ୍) କରାଯାଉଛି ଏବଂ ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ। ମାଇକିଂ ମାଧ୍ୟମରେ ଜନ ସାଧାରଣଙ୍କୁ ସଚେତନ କରାଯାଉଛି। ନୋଡାଲ ଅଫିସରଙ୍କ ଦ୍ଵାରା ଏବେ ପର୍ଯ୍ୟନ୍ତ କେତେ ରୋଗୀ ଚିହ୍ନଟ ହୋଇଛନ୍ତି ତାହାର ତାଲିକା ପ୍ରସ୍ତୁତ କରାଯାଇ ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଡକ୍ସି ସାଇକ୍ଲିନ୍ ଇଞ୍ଜେକସନ ଦିଆଯିବ ଯାହାକି ସଂକ୍ରମଣକୁ ରୋକିବାରେ ସହାୟକ ହେବ। ସରକାରଙ୍କ ତରଫରୁ ସଂକ୍ରମଣ ରୋକିବା ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଲୋକମାନେ ଭୟଭୀତ ନହେବାକୁ ପରାମର୍ଶ ଦେଇଥିଲେ।ପରେ ମନ୍ତ୍ରୀ ଯାଜପୁରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଥିଲେ।

Leave a Reply

Your email address will not be published. Required fields are marked *