ମାହାଙ୍ଗା ୧୫/୦୬/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )- ସମାଜର ସବୁଠାରୁ ତଳ ସ୍ତରରେ ପଡିରହିଥିବା ଜଣେ ସାଧାରଣ ମେହେନତି ମଣିଷ ମୁହଁରେ ହସ ଫୁଟେଇବା ହେଉଛି ସବୁଠାରୁ ମହତ କାର୍ଯ୍ୟ । ସେମାନଙ୍କ ହକ ଓ ଅଧିକାର ପାଇଁ ଯୁବ ସମାଜ ଆଗେଇ ଆସନ୍ତୁ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ପୋଷଣ କରିଛନ୍ତି । “ପ୍ରୟାଗ ଖବର” ର ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ ସମାରୋହକୁ ମୁଖ୍ୟମନ୍ତ୍ରୀଙ୍କ ସହଧର୍ମିଣୀ ଡାକ୍ତର ପ୍ରିୟଙ୍କା ମାରାଣ୍ଡି ଉଦଘାଟନ କରିଥିଲେ ।

ମହିଳା ସଶକ୍ତି କରଣ ଏବଂ ଦଳିତ ନିଷ୍ପେସିତ ମାନଙ୍କ ଉନ୍ନତି ପାଇଁ ଗଣମାଧ୍ୟମ ସବୁବେଳେ ବଡ଼ ଭୂମିକା ନିର୍ବାହ କରୁଥିବାରୁ ପ୍ରୟାଗ ଖବର ପରିବାରକୁ ଡାକ୍ତର ମାରାଣ୍ଡି ଶୁଭେଚ୍ଛା ଜଣାଇଥିଲେ । ପ୍ରୟାଗ ଖବରର ପ୍ରତିଷ୍ଠାତା ସମ୍ପାଦକ ସାମ୍ବାଦିକ ରଜତ ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ବକ୍ତାଭାବେ ଅଲମ୍ପିକ ବିଜେତା ଦୌଡ଼ରାଣୀ ଡକ୍ଟର ଦୂତୀଚାନ୍ଦ ଯୋଗଦେଇ ପ୍ରତିଭାର ବିକାଶ ପାଇଁ ପ୍ରୋତ୍ସାହନ ର କୌଣସି ଅଭାବ ରହିବନାହିଁ ବୋଲି କହିଥିଲେ । ସମାଜରେ ଭଲକାମ କରିବାପାଇଁ ଯୁବ ସମାଜ ସଂକଳ୍ପ ନେବାକୁ ସେ ଆହ୍ୱାନ ଦେଇଥିଲେ । ବିଶିଷ୍ଟ ଅତିଥି ଭାବେ ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର ଯୋଗଦେଇଥିଲେ । ଡାକ୍ତର ମଧୁମିତା ଦାସ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ।
ଏହି ଅବସରରେ ସମାଜରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପଚାଶ ରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନିରନ୍ତର ସମାଜ ସେବା,ନିରପେକ୍ଷ ସାମ୍ବାଦିକତା ଏବଂ ସାହିତ୍ୟ କ୍ଷେତ୍ରରେ ସଫଳତା ପାଇଁ ବିରୂପା ସାହିତ୍ୟ ସଂସଦର ସମ୍ପାଦକ କବି ଅଖିଳେଶ ମହାନ୍ତିଙ୍କୁ ମୁଖ୍ୟ ଅତିଥି ଡାକ୍ତର ମାରାଣ୍ଡି ପୁଷ୍ପଗୁଛ, ଉତ୍ତରୀୟ, ଉପଢୌକନ ଏବଂ ମାନପତ୍ର ଦେଇ ସମ୍ମାନିତ କରିଥିଲେ ।
