ଜଗତସିଂହପୁର ଜିଲ୍ଲା ରେ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା

ଜଗତସିଂହପୁର, ୦୬/୦୧/୨୦୨ ୪ (ଓଡ଼ିଶା ସମାଚାର)-ଆଜି ଜଗତସିଂହପୁର ବ୍ଲକ୍ ରେ ଆମ ଓଡିଶା, ନବୀନ ଓଡିଶା ଅନ୍ତର୍ଗତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଜୟ ଜଗନ୍ନାଥ ଅର୍ପଣ ରଥକୁ ମାନ୍ୟବର ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ନଡ଼ିଆ ଭାଙ୍ଗି ଶୁଭାରମ୍ଭ କରିଛନ୍ତି । ଜଗନ୍ନାଥ ସଂସ୍କୃତିର ପ୍ରଚାର, ସଂରକ୍ଷଣ ଏବଂ ସୁରକ୍ଷା ନିମନ୍ତେ ଓ ସମଗ୍ର ଓଡ଼ିଶାର ଜନସାଧାରଣଙ୍କୁ ଏହି ମହାନ ସଂସ୍କୃତି ସହ ଜଡିତ କରିବା ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଏହି ଜୟ ଜଗନ୍ନାଥ ଅର୍ପଣ ରଥ କୀର୍ତ୍ତନ ମଣ୍ଡଳୀ ସହ ପରିକ୍ରମା କରି ପ୍ରତ୍ୟେକ ଗୃହରୁ ଭକ୍ତମାନଙ୍କ ଠାରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିବ। ପଞ୍ଚାୟତ ସ୍ତରରେ ଏହି ସଂଗୃହିତ ଅରୁଆ ଚାଉଳ ଓ ଗୁଆ ଗ୍ରାମ ପଞ୍ଚାୟତର ଏକ ମନ୍ଦିରରେ ରଖାଯିବ ଏବଂ ସେଠାରେ ଭକ୍ତ ଓ କୀର୍ତ୍ତନ ମଣ୍ଡଳୀଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ। ପରେ ସମସ୍ତ ପଞ୍ଚାୟତରୁ ସଂଗ୍ରହ କରାଯାଇ ଥିବା ଅରୁଆ ଚାଉଳ ଓ ଗୁଆକୁ ବ୍ଲକ୍ ସ୍ତରୀୟ ଏକ ମନ୍ଦିରରେ ରଖାଯିବ । ଆଜି ୬ ତାରିଖ ଠାରୁ ଆରମ୍ଭ ହୋଇ ଆଗାମୀ ଜାନୁୟାରୀ ୧୫ ତାରିଖ ମଧ୍ୟରେ ଏହି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କାର୍ୟ୍ୟ ସମାପନ ହେବ। ଜଗତସିଂହପୁର ଜିଲ୍ଲାର ସମସ୍ତ ବ୍ଳକରେ ଏହି ଅର୍ପଣ ରଥର ଶୁଭାରମ୍ଭ ହୋଇଯାଇଛି । ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଦର୍ଶନ ନିମନ୍ତେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଭକ୍ତମାନେ ଯିବା ସମୟରେ ନିଜ ସହିତ ସଂଗୃହିତ ଅରୁଆ ଚାଉଳ ଓ ଗୁଆ ନେଇ ପୁରୀ ଶ୍ରୀମନ୍ଦିରରେ ପ୍ରଦାନ କରିବେ । ଜଗତସିଂହପୁର ବ୍ଲକ୍ ରେ ଏହି ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ, ଜଗତସିଂହପୁର ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ କନକ ପ୍ରଭା ଲେଙ୍କା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଆଶୁତୋଷ ମିଶ୍ର, ତହସିଲଦାର ଶ୍ରୀ ତାରିଣୀ ରଞ୍ଜନ ରାୟ , ବ୍ଲକ ଉପାଧ୍ୟକ୍ଷ ଶ୍ରୀ ରତିରଞ୍ଜନ ବେହେରା, ଏବିଡ଼ିଓ ଶ୍ରୀ ଅଜୟ କୁମାର ବେହେରା, ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ଶ୍ରୀ ବନମାଳୀ ପତି, ଜଗତସିଂହପୁର ବ୍ଲକର ସମସ୍ତ କର୍ମଚାରୀ, ସଂକୀର୍ତ୍ତନ ମଣ୍ଡଳୀ, ସ୍ଥାନୀୟ ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ସେହିପରି ୧୭ ଜାନୁଆରୀ ୨୦୨୪ ଦିନ ହେବାକୁ ଥିବା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକର୍ପଣ ଉତ୍ସବର ସିଧା ପ୍ରସାରଣ ପ୍ରତ୍ୟେ ଗ୍ରାମ ପଞ୍ଚାୟତରେ ବଡ ଏଲ୍.ଇ.ଡି. ପରଦା ମାଧ୍ୟମରେ ଜନସାଧାରଣ ଦେଖିପାରିବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ଜଗତସିଂହପୁର ଜିଲ୍ଲାରେ ଏହି ସମସ୍ତ କାର୍ୟ୍ୟ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ, ଭା.ପ୍ର.ସେ.ଙ୍କ ଦିଗଦର୍ଶନ ଓ ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ୟ୍ୟନିର୍ବାହୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହେଉଅଛି ।

Leave a Reply

Your email address will not be published. Required fields are marked *