କୋଠରୀ ଭିତରେ ଆବଦ୍ଧ ଥିବା ମାନସିକ ଅନଗ୍ରସର ଯୁବକ ଯୁବତୀଙ୍କୁ ଉଦ୍ଧାର।

ଯାଜପୁର,୦୫/୦୬/୨୦୨୫ (ଓଡ଼ିଶା ସମାଚାର)-ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ  ଖବର ଅନୁଯାୟୀ ଆଜି ଯାଜପୁର ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରା, ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମାଲ ଯାଜପୁର ବ୍ଲକ୍ ଅନ୍ତର୍ଗତ ଚଇନିପୁର ପଞ୍ଚାୟତ, କମାଗଡ (ଚୋବା ସାହି) ରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ।

ଆବଦ୍ଧ କୋଠରୀରେ ହାତ  ବନ୍ଧା ଥିବା ଅବସ୍ଥାରେ ଶ୍ରୀ ଆଶିଷ ଜେନା ବୟସ ୩୮ ବର୍ଷ ଏବଂ ଭଉଣୀ ମିତା ଜେନା ବୟସ ୪୨ ବର୍ଷ (ପିତା – ମକର ଜେନା) ଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ଆଶୁ ଚିକିତ୍ସା ନିମନ୍ତେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଆଡ଼ମିଶନ କରାଯାଇ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇଅଛି।

ସେମାନଙ୍କର ମାନସିକ ସ୍ଥିତିରେ ସୁଧାର ଆସିବା ପରେ କୁମାରୀ ମିତା ଜେନାଙ୍କୁ ସୁକିନ୍ଦାସ୍ଥିତ  ମାନସିକ ଅନଗ୍ରସର କେନ୍ଦ୍ର, ମିଶନ ଆଶ୍ରା ଠାରେ ଏବଂ ଶ୍ରୀ ଆଶିଷ ଜେନାଙ୍କୁ ଭଦ୍ରକ ସ୍ଥିତ ଶ୍ରଦ୍ଧାଳୟ କେନ୍ଦ୍ର ଠାରେ ଥଇଥାନ ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା ସ୍ଥିର କରାଯାଇଅଛି। ତତ୍ ସଙ୍ଗେ ସଙ୍ଗେ ସେମାନଙ୍କର ଆଧାର କାର୍ଡ କରିବା ସହିତ ଭତ୍ତା, ଆବାସ ଗୃହ ଇତ୍ୟାଦି ସରକାରଙ୍କ ପକ୍ଷରୁ ଯୋଗାଇ ଦେବାକୁ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ,ସାଂସଦଙ୍କପ୍ରତିନିଧି, ସ୍ଥାନୀୟ ସରପଞ୍ଚ, ଆଇ. ଆଇ. ସି ଶରତ ଚନ୍ଦ୍ର ପାତ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବୀନ୍ଦ୍ର କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ମେଡିକାଲ ଟିମ, ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *