କେନ୍ଦ୍ରାପଡ଼ା, ୦୧/୦୪/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡାରେ ୯୦ତମ ଜିଲା ସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜଜାଙ୍ଗସ୍ଥିତ ପୋଲିସ ରିଜର୍ଭ ପଡିଆରେ ଅନୁଷ୍ଠିତ ପ୍ୟାରେଡରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ କଟାରିଆ ପ୍ରଥମେ ରାଜ୍ୟାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରାପ୍ତ ବାର୍ତାକୁ ପାଠ କରିବା ପରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ।
ଏଥିସହିତ ଗତ ୨୦୨୪ମସିହାରେ କେନ୍ଦ୍ରାପଡା ପୋଲିସ ଜିଲାର ଶ୍ରେଷ୍ଠ ପୋଲିସ ସବଇନିସପେକ୍ଟର ସୌମ୍ୟରଞ୍ଜନ ମହାଳିକ, ଶ୍ରେଷ୍ଠ ଏ.ଏସ.ଆଇ. ଅକ୍ଷୟ କୁମାର ନାୟକ, ଶ୍ରେଷ୍ଠ ହାବିଲଦାର ଜୁଏଲ କଣ୍ଡୁଲାନା, ଶ୍ରେଷ୍ଠ ଓ.ଆର. କନେଷ୍ଟବଳ ବିଶ୍ୱଜିତ ବେଉରା, ଶ୍ରେଷ୍ଠ ଏ.ପି.ଆର. କନେଷ୍ଠବଳ ନିଗମାନନ୍ଦ ନାୟକ ଏବଂ ଶ୍ରେଷ୍ଠ ଟ୍ରାଫିକ କନେଷ୍ଟବଳ ରାଜେଶ କୁମାର ସେଠୀଙ୍କୁ ଆରକ୍ଷୀ ଅଧୀକ୍ଷକ ପୁରସ୍କୃତ କରିଥିଲେ ।
ରିଜର୍ଭ ଇନସପେକ୍ଟର ପ୍ରଶାନ୍ତ କୁମାର ରଣସିଂହ ଏହି ପ୍ୟାରେଡକୁ ପରିଚାଳନା କରିଥିବାବେଳେ ସବଇନସପେକ୍ଟର ପୋଲିସ(ଆର୍ମଡ)ଅକ୍ଷୟ ଘଡେଇ ଏଥିରେ ତାଙ୍କୁ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ ଓ ସୁଧାକର ସାହୁ, ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମାସାଗର ପଣ୍ଡା, କେନ୍ଦ୍ରାପଡା ଏସଡିପିଓ ଜ୍ୟୋତିରଞ୍ଜନ ଗୌଡ, ଟାଉନ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ, ସଦରଥାନା ଅଧିକାରୀ ଶୁଭେନ୍ଦୁ ସାହୁ, ମାର୍ଶାଘାଇ ଥାନା ଅଧିକାରୀ ତପନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।