ବାପାଙ୍କ ମୃତ୍ୟୁ ଖବର ପାଇ କୂଅକୁ ଡେଇଲା ଝିଅ

ବାରଙ୍ଗ,୦୪ /୦୬/୨୦୨୫ (ଓଡ଼ିଶା ସମାଚାର)-ବାରଙ୍ଗ ଥାନା ଅନ୍ତର୍ଗତ ଦାଢାପଟଣା ଗ୍ରାମରେ ବାପାଙ୍କ ମୃତ୍ୟୁ ଖବର ପାଇ କୂଅକୁ ଜଣେ ୧୯ବର୍ଷର ଝିଅ ଡେଇଁ ପଡ଼ିଥିଲେ ।ଖବର ଅନୁଯାୟୀ ଉକ୍ତ ଗ୍ରାମର ସୁକାନ୍ତ ସାହୁ ଅସୁସ୍ଥ ହୋଇ ଭୁନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ଆଜି ସକଳୁ ମୃତ୍ୟୁ ଘଟିଥିଲା।ବାପାଙ୍କ  ମୃତ୍ୟୁ ଖବର ପାଇ ଝିଅ ମାନସିକ ଭାରସାମ୍ୟ ହରାଇ ଘର ନିକଟରେ ଥିବା କୂଅକୁ ଡେଇଁ ପଡ଼ିଥିଲେ।

ପରିବାର ଓ ସ୍ଥାନୀୟ ଲୋକେ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇ ବାରଙ୍ଗ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଝିଅକୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ବଡ ମେଡ଼ିକାଲ ପଠାଇଥିଲେ। ସୁକାନ୍ତ ଥିଲେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି।ମୃତ୍ୟୁକୁ ନେଇ ଦୁଃଖରେ ପରିବାର ଭାଙ୍ଗିପଡ଼ିଥିବା ବେଳେ ମାନସିକ ଭାରସାମ୍ୟ ହରାଇ ଝିଅ କୂଅକୁ ଡେଇଁ ପଡିଥିଲା।
ବହୁ ପୂର୍ବରୁ ମା’ ଆର ପାରିକୁ ଚାଲି ଯାଇଥିଲା। ବାପାଙ୍କର ହଠାତ ଦେହାନ୍ତ ହୋଇଗଲା। ଆଉ ଏଭଳି ସ୍ଥିତିରେ ସତେ ଯେମିତି ଦୁଃଖର ପାହାଡ଼ ଭାଙ୍ଗି ପଡିଲା। ଏତେ ବଡ଼ ଦୁଃଖକୁ ସହି ପାରିଲାନି ଝିଅ। ଦୁଆରେ ବାପାଙ୍କ ଶବ ପଡ଼ିଥିବା ବେଳେ ଅଗଣାରେ ଥିବା କୂଅକୁ ଝିଅ ଡେଇଁ ପଡିଲା। ଝିଅକୁ ତୁରନ୍ତ କୂଅରୁ ଉଦ୍ଧାର କରାଯାଇ ଏସସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଭଉଣୀ ଡାକ୍ତରଖାନାରେ ଥିବା ବେଳେ ପରିବାରରେ ଏକମାତ୍ର ଛୋଟ ପୁଅ ବାପାଙ୍କୁ ମୁଖାଗ୍ନି ଦେଇଛି। ଘଟଣାଟି ବାରଙ୍ଗ ଥାନା ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *