ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଜିଲାର ଫାଇନାଲ ଭୋଟର ତାଲିକା ପ୍ରକାଶନ

କେନ୍ଦ୍ରାପଡ଼ା, ୦୫/୦୧/୨୦୨୪ (ଓଡ଼ିଶା ସମାଚାର)- ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଆଜି କେନ୍ଦ୍ରାପଡା ଜିଲାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଫାଇନାଲ ଭୋଟର ତାଲିକାକୁ ପ୍ରକାଶନ କରାଯାଇଛି । ଏହି ଅବସରରେ ଭୋଟର ପଞ୍ଜିକରଣ ଅଧିକାରୀ ତଥା ଉପଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଥିଲେ ଯେ ଜାନୁଆରୀ ପହିଲା ସୁଦ୍ଧା ଜିଲାର ମୋଟ ୧୨ଲକ୍ଷ ୫୫ହଜାର ୮୯ଜଣ ଭୋଟରଙ୍କ ନାମ ପଞ୍ଜିକରେଣ କରାଯାଇଛି । ସେମାନଙ୍କ ମଧ୍ୟରୁ ୬ଲକ୍ଷ ୫୨ହଜାର ୩୬୮ଜଣ ପୁରୁଷ ହୋଇଥିବା ବେଳେ ୬ଲକ୍ଷ ୨ହଜାର ୬୬୯ଜଣ ମହିଳା ଓ ୫୨ଜଣ କିନ୍ନର ଅଛନ୍ତି । ଚଳିତମାସ ପହିଲା ସୁଦ୍ଧା ୧୮ବର୍ଷ ପୁରଣ କରିଥିବା ୫୨ହଜାର ୭୬୬ଜଣଙ୍କ ନାମ ନୂତନ ଭାବେ ପଞ୍ଜିକୃତ ହୋଇଥିବା ବେଳେ ୨୪ହଜାର ୭୭୯ଜଣଙ୍କ ନାମ ବିଭିନ୍ନ କାରଣରୁ ଭୋଟର ତାଲିକାରୁ ବାଦ ଦିଆଯାଇଛି । ଏହି ଭୋଟର ତାଲିକାରେ ୧୮ରୁ ୧୯ବର୍ଷ ବୟଷ୍କ ଯୁବ ଭୋଟରଙ୍କ ସଂଖ୍ୟା ୨୫ହଜାର ୪୪୪ ଅଟେ । ଏହି ଭୋଟର ତାଲିକାରେ  ଲିଙ୍ଗ ଅନୁଯାୟୀ ପ୍ରତି ହଜାରରେ ୯୨୪ଜଣ ମହିଳା ଥିବା ବେଳେ ୮୯୭ଜଣ ପୁରୁଷ ରହିଛନ୍ତି । ସେହିଭଳି ଜିଲାରେ ୧୧ହଜାର ୧୨ଜଣ ଭିନ୍ନକ୍ଷମ ଭୋଟର ଥିବା ବେଳେ ୮୦ବର୍ଷ ଏବଂ ତଦୁର୍ଦ୍ଧ ବୟସର ବରିଷ୍ଠ ନାଗରିକ ଭୋଟରଙ୍କ ସଂଖ୍ୟା ହେଉଛି ୩୯ହଜାର ୬୨୪ ।  ଜିଲାରେ ପୂର୍ବରୁ ୧୪୩୮ଟି ଭୋଟ ଗ୍ରହଣ କେନ୍ଦ୍ର ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୧୪୪୫ଟି ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି । ଚଳିତ ଥର କେନ୍ଦ୍ରାପଡା ଜିଲାରେ ପ୍ରଥମ ଥର ପାଇଁ ଭୋଟ ଗ୍ରହଣ ନିମନ୍ତେ ଧାର୍ଯ୍ୟ ହୋଇଥିବା ତାରିଖର ଏକମାସ ପୂର୍ବରୁ ଏକ ୬ଜଣିଆ ଟିମ ଭିନ୍ନକ୍ଷମ ଏବଂ ୮୦ବର୍ଷରୁ ଉଦ୍ଧ୍ୱର୍ ଭୋଟରଙ୍କ ଘରକୁ ଯାଇ ସେହି ଭୋଟରମାନଙ୍କ ସମ୍ମତିକ୍ରମେ ପୋଷ୍ଟାଲ ବାଲାଟ ଭୋଟ କରାଇବା ସହିତ ସେମାନଙ୍କ ଠାରୁ ବାଲାଟପେପର ଗ୍ରହଣ କରିବାକୁ ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ନିର୍ଦେଶରେ ନିଷ୍ପତି ଗ୍ରହଣ କରାଯାଇଥିବା ଭୋଟର ପଞ୍ଜିକରଣ ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ ।  ଏହି ଉପଲକ୍ଷେ ଭୋଟର ପଞ୍ଜିକରଣ ଅଧିକାରୀ ଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କଂଗ୍ରେସ ଦଳର ଜିଲା ଉପସଭାପତି ପ୍ରଫୁଲ୍ଲ କୁମାର ଦାସ, ସିପିଆଇ(ଏମ)ର ଜିଲା ସାଧାରଣ ସମ୍ପାଦକ ଗୟାଧର ଧଳ, ଜିଲା ବିଜେପିର ଉପସଭାପତି ଉପୀନ କୁମାର ରାଉତ, ଯୁବ ବିଜୁଜନତା ଦଳର ଜିଲା ସାଧାରଣ ସମ୍ପାଦକ ସମ୍ବିତ ଶ୍ରୀଚନ୍ଦନ, ଆପ୍ ର ଜିଲା ସମ୍ପାଦକ ସୂର୍ଯ୍ୟକାନ୍ତ ପରିଡା, ଡେପୁଟୀ କଲେକ୍ଟର(ନିର୍ବାଚନ) ଶିବାଶିଷ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *