ଯାଜପୁର, ୨୮/୦୫/୨୦୨୫ (ଓଡ଼ିଶା ସମାଚାର)- ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଙ୍କ ଆନୁକୂଲ୍ୟ ରେ ଜିଲ୍ଲା ପ୍ରଶାସନ, ଯାଜପୁର ଙ୍କ ଦ୍ଵାରା ନୂତନ ଉନ୍ନତ ଅଭିଳାଷ ଓଡ଼ିଶା ଯୋଜନା ଅନ୍ତର୍ଭୁକ୍ତ ସ୍ଵତନ୍ତ୍ର ପ୍ରକଳ୍ପ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ରଗଡ଼ି ସ୍ଥିତ ଉପକାରାଗାର ର ଅନ୍ତେବାସୀ ମାନଙ୍କୁ ଗାଈ, ମଇଁଷି ଓ ଛେଳି ଚାଷ ସହିତ ଜିଆ ଖତ ଉତ୍ପାଦନ ଓ ପ୍ରସ୍ତୁତି ପ୍ରଣାଳୀ ସମ୍ବନ୍ଧୀୟ ଏକ ୧୦ ଦିନିଆ ଦକ୍ଷତା ବିକାଶ ତାଲିମ୍ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଅଛି।
ଏହି ତାଲିମ୍ କାର୍ଯ୍ୟକ୍ରମ ଚଳିତ ମାସ ୨୮ ତାରିଖ ରୁ ଆରମ୍ଭ ହୋଇ ଆସନ୍ତା ଜୁନ ମାସ ୬ ତାରିଖ ରେ ସମାପ୍ତ ହେବ । ଏହି କାର୍ଯ୍ୟକ୍ରମକୁ ଶ୍ରୀ ସୁଶାନ୍ତ କୁମାର ନାଏକ, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ, ଶ୍ରୀ ପ୍ରଭାତ କୁମାର ବସ୍ତୀ, ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ, ସୋମାଞ୍ଜଳି ପ୍ରଧାନ, କାରାପାଳ ତଥା ଅଧିକ୍ଷକ, ଶ୍ରୀ ରାକେଶ କୁମାର ନାୟକ, ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ କର୍ମଚାରୀ ଏବଂ ଶ୍ରୀ ପ୍ରସନ୍ନ କୁମାର ରାଉତ, ମୁଖ୍ୟ ପ୍ରଶିକ୍ଷକ, ଷ୍ଟେଟ ବ୍ୟାଙ୍କ୍ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଏବଂ କାରାଗାର ର ଅନ୍ୟ କର୍ମଚାରୀଙ୍କ ଉପସ୍ଥିତି ରେ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରାଯାଇଥିଲା।
ଏହି ସ୍ୱଳ୍ପ ଅବଧି ର ତାଲିମ୍ କାର୍ଯ୍ୟକ୍ରମ ରେ ଚୟନ କରାଯାଇଥିବା ଉପ କାରାଗାର ର ଅନ୍ତେବାସୀ ମାନଙ୍କୁ ଷ୍ଟେଟ ବ୍ୟାଙ୍କ୍ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା ସ୍ଵତନ୍ତ୍ର ପ୍ରଶିକ୍ଷକ ଙ୍କ ମାଧ୍ୟମ ରେ ତାଲିମ୍ ପ୍ରଦାନ କରାଯିବ। ତାଲିମ୍ ବାବଦ ର ସମସ୍ତ ଖର୍ଚ୍ଚ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଦ୍ଵାରା ପ୍ରଦାନ କରାଯିବ। ତାଲିମ୍ ସମାପ୍ତ ପରେ ତାଲିମ୍ ପ୍ରାପ୍ତ ସମସ୍ତ ଅନ୍ତେବାସୀ ମାନଙ୍କୁ ଷ୍ଟେଟ ବ୍ୟାଙ୍କ୍ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା ପ୍ରଦତ୍ତ ପ୍ରମାଣ ପତ୍ର ସହିତ ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରାଯିବ।
ଏହି ପ୍ରମାଣ ପତ୍ର ମାଧ୍ୟମ ରେ ଉପକାରାଗାର ଅନ୍ତେବାସୀ ମାନେ ପରବର୍ତ୍ତୀ ସମୟ ରେ ମୁକ୍ତ ହେବା ପରେ ବ୍ୟାଙ୍କ୍ ମାଧ୍ୟମ ରେ ଋଣ ପାଇଁ ଆବେଦନ କରିପାରିବେ ଓ ଉଦ୍ୟୋଗୀ ହୋଇ ଆତ୍ମନିର୍ଭରଶୀଳ ହୋଇପାରିବେ। ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ତାଲିମ୍ ପାଇଁ ଚୟନ ହୋଇଥିବା ଅନ୍ତେବାସୀ ମାନଙ୍କୁ ୟୁନିଫର୍ମ ପୋଷାକ ସମେତ ପାଠ୍ୟ ଉପକରଣ ଉପସ୍ଥିତ ବିଭିନ୍ନ ଅଧିକାରୀଙ୍କ ଦ୍ବାରା ବଣ୍ଟନ କରାଯାଇଥିଲା। ଏହି ତାଲିମ୍ କାର୍ଯ୍ୟକ୍ରମ କୁ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ନାଏକ, ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ, ଶ୍ରୀ ପ୍ରଭାତ କୁମାର ବସ୍ତୀ, ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ କର୍ମଚାରୀ, ଶ୍ରୀ ରାକେଶ କୁମାର ନାୟକ ପରିଚାଳନା କରିଥିବା ବେଳେ ତାଲିମ୍ କାର୍ଯ୍ୟକ୍ରମ ର ଆୟୋଜନ ଏବଂ ସଫଳତା ପାଇଁ ସହଯୋଗ କରିଥିବାରୁ କାରାପାଳ ତଥା ଅଧିକ୍ଷକ ସୋମାଞ୍ଜଳି ପ୍ରଧାନ ସମସ୍ତ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
