କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା : ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ୧୫ପ୍ଲାଟୁନ ଫୋର୍ସ ମୁତୟନ

ସହରରେ ପୋଲିସ ଅଧିକାରୀ ଓ ଫୋର୍ସଙ୍କ ଫ୍ଲାଗମାର୍ଚ୍ଚ
କେନ୍ଦ୍ରାପଡ଼ା,୦୫/୧୦/୨୦୨୫(ଓଡ଼ିଶା ସମାଚାର)-  କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହେବ । ଏହା ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୩ ଓ ୧୪ ଦୁଇଦିନ ମେଲଣ ଓ ଭସାଣୀ ଅନୁଷ୍ଠିତ ହେବ । କେନ୍ଦ୍ରାପଡ଼ାର ଏହି ଗଜଲକ୍ଷ୍ମୀ ପୂଜାକୁ ଦେଖିବା ପାଇଁ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଆସିଥାନ୍ତି । ସେହିପରି ରାଜ୍ୟ ବାହାରୁ ମଧ୍ୟ ଲୋକେ ଏହି ଗଣପର୍ବରେ ନିଜକୁ ସାମିଲ କରିଥାନ୍ତି । ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ କେନ୍ଦ୍ରାଂଚଳ ଡିଆଇଜି ସତ୍ୟଜିତ ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ପୌରସଂସ୍ଥା ଟାଉନ୍ ହଲ ପରିସରରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଡିଆଇଜି ଶ୍ରୀ ନାୟକ ଯୋଗଦେଇ କହିଲେ ପୂଜା ବେଳେ କିମ୍ବା ମେଳଣ ବେଳେ କୌଣସି ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀର ଧର୍ମକୁ ଆକ୍ଷେପ କରି କୌଣସି ସ୍ଲୋଗାନ ଦେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୂଜା ଚାଲିଥିବା ସମୟରେ ବେଆଇନ୍ ମଦ କାରବାରକୁ ବନ୍ଦ କରାଯିବ । ସେହିପରି ଜୁଆଖେଳ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ କୌଣସି ବେଆଇନ୍ କାର୍ଯ୍ୟକୁ ପ୍ରଶ୍ରୟ ଦିଆଯିବ ନାହିଁ ।

ପ୍ରତି ପୂଜା ପେଣ୍ଡାଲରେ ପୋଲିସ କର୍ମଚାରୀ ମୁତୟନ ହେବେ । ଯାହା ଫଳରେ ପୂଜା ପେଣ୍ଡାଲ ନିକଟକୁ ମା’ଙ୍କୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନେ ସୁରକ୍ଷିତ ଭାବେ ଦର୍ଶନ କରି ପାରିବେ । ସହରକୁ ସିସିଟିଭି କ୍ୟାମେରା ନଜରରେ ରଖାଯିବ । ଫଳରେ ଲୁଟ୍, ଛିନତାଇ, ଚୋରିକୁ ରୋକାଯାଇ ପାରିବ । ପୂଜା କମିଟିର କର୍ମକର୍ତାମାନଙ୍କ ସହ ପୋଲିସ ଉତମ ସମ୍ପର୍କ ରକ୍ଷା କରି ପୂଜାକୁ ସୁରକ୍ଷିତ ଓ ସଫଳ କରିବ ବୋଲି ଡିଆଇଜି କହିଥିଲେ । କୌଣସି ପୂଜା କମିଟି ଯୋର ଜବରଦସ୍ତ ଚାନ୍ଦା ଆଦାୟ କରିପାରିବେ ନାହିଁ । ଏହାକୁ ବେଆଇନ୍ ଘୋଷଣା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଗାଡି ମୋଟର ରଖିବା ପାଇଁ ସରକାରୀ ପାର୍କିଂ ବ୍ୟବସ୍ଥା କରାଯାଇଛି । ଯଦି କେହି ବେଆଇନ୍ ଭାବେ ପାର୍କିଂ ଫିସ ଆଦାୟ କରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁ୍ଷ୍ଠାନ ଗ୍ରହଣ କରାଯିବ । ପୂଜା କମିଟି କର୍ମକର୍ତାମାନେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସେମାନଙ୍କ କମିଟିର ସଦସ୍ୟମାନଙ୍କୁ ସ୍ୱେଚ୍ଛାକୃତ ଭାବେ ଟ୍ରାଫିକ ଡୁ୍ୟଟିରେ ନିୟୋଜିତ କରିବେ ।

ଏ ନେଇ ପୋଲିସ ପକ୍ଷରୁ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯିବ । ଫଳରେ ସେମାନେ ଭିଡ଼ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରିବେ ବୋଲି ଡିଆଇଜି ଡ. ନାୟକ ପ୍ରକାଶ କରିଥିଲେ । ଏହି ପୂଜାକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ କରାଯିବା ପାଇଁ ଏସପିଙ୍କ ନେତୃତ୍ୱରେ ଜଣେ ଅତିରିକ୍ତ ଏସପି, ୧୩ଜଣ ଡିଏସପି, ୧୭ଜଣ ଇନସପେକ୍ଟର, ୧୨୨ଜଣ ସବଇନସପେକ୍ଟର ଓ ଏ.ଏସ.ଆଇ.ଙ୍କ ସହିତ ୧୫ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଡିଆଇଜି ଶ୍ରୀ ନାୟକ କହିଥିଲେ ।

ଆଜି ସନ୍ଧ୍ୟାରେ ଡିଆଇଜି ଶ୍ରୀ ନାୟକ ଏସପିଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଓ ଫୋର୍ସଙ୍କ ସହିତ ସହରରେ ଫ୍ଲାଗମାର୍ଚ୍ଚ କରିଥିବା ଦେଖାଯାଇଛି । ଏହି ବୈଠକରେ କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ, ଡିଏସପି ସରୋଜ କୁମାର ସାହୁ, କେନ୍ଦ୍ରାପଡା ଏସଡିପିଓ ଜ୍ୟୋତିରଞ୍ଜନ ଗୌଡା, ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମାସାଗର ପଣ୍ଡା, ଡିଏସପି (ଡିଆଇବି) ଲକ୍ଷ୍ମୀନାରାୟଣ ତିୱାରୀ, ଡିଏସପି ସଶ୍ମିତା ସାହୁ, ରିଜର୍ଭ ଇନସପେକ୍ଟର ପ୍ରଶାନ୍ତ କୁମାର ରଣସିଂହ, ଟାଉନ୍ ଥାନା ଅଧିକରୀ ଦିଲ୍ଲୀପ କୁମାର ସାହୁଙ୍କ ସମେତ ବିଭିନ୍ନ ଥାନା ଏବଂ ଜିଲା ବାହାରୁ ଆସିଥିବା ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *