ମୁନା ସର୍ଦ୍ଧାର ଙ୍କ ହୃଦାଘାତରେ ପରଲୋକ  

ଗରଦପୁର, ୨୬/୦୫/୨୦୨୫ (ଓଡ଼ିଶା ସମାଚାର)-  ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ମିଲତ ବସ୍ତିର ସରଦାର ଅବ୍ଦୁଲ କଲାମ ( ମୁନା ସର୍ଦ୍ଧାର) ଙ୍କର ହୃଦାଘାତରେ ଅକାଳ ବିୟୋଗ ଘଟିଛି । ଗତ ଶନିବାର ଦିନ କଟକର ଏକ ଘରୋଇ ହସପିଟାଲ ରେ ୬୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ସେ ଜଣେ ଅତ୍ୟନ୍ତ ଅମାୟିକ, ମେଳାପି, ପରୋପକାରୀ , ମିଷ୍ଠଭାଷି ଲୋକ ଥିଲେ । ସେ ବିଜୁ ଜନତା ଦଳର ଜଣେ ଆଗ ଧାଡ଼ିର ସଂଗଠକ ମଧ୍ୟ ଥିଲେ ।

ତାଙ୍କର ଆକସ୍ମିକ ଅକାଳ ମୃତ୍ୟୁ ଖବର ପାଇ ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ, ଯୁବ ନେତା ମିର ଗୋଲାମ ଜିଲାନୀ ,ସମିତି ସଭ୍ୟ ବାସୁଦେବ ବେହେରା, ପୂର୍ବତନ ସରପଂଚ ରବିନ୍ଦ୍ର ମହାପାତ୍ର ପ୍ରମୁଖ ତାଙ୍କ ବାସ ଭବନରେ ପହଂଚି ଶେଷ ଦର୍ଶନ କରି ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ସେହିପରି ମୁନା ସର୍ଦ୍ଧାରଙ୍କ ଆକସ୍ମିକ ପରଲୋକ ଖବର ପାଇ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ଗରଦପୁର ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ,ଡ଼ାକ୍ତର ସତ୍ୟବ୍ରତ  ଭୂୟାଁ ପ୍ରମୁଖ ଟେଲିଫୋନ୍ ଯୋଗେ ଗଭୀର ଶୋକ ପ୍ରକାଶ କରିଥିଲେ ।

ସ୍ୱର୍ଗତ ମୁନା ସର୍ଦ୍ଧାରଙ୍କ ବଡ଼ ପୁଅ ଦେଶ ବାହାରେ ଥିବାରୁ ସେ ଆସିବା ପର୍ଯ୍ୟନ୍ତ ପାର୍ଥିବ ଶରୀରକୁ ରଖାଯାଇଥିଲା । ରବିବାର ସନ୍ଧ୍ୟା ୫.୩୦ ରେ ମୌଲାନା ଏକ୍ରାମୁଲ ହକ୍ ଜନାଜା ପାଠକରିଥିଲେ । ତେଣ୍ଡାକୁଡ଼ାର ବିଭିନ୍ନ ବସ୍ତି ସମେତ କୃଷ୍ଣାନନ୍ଦପୁର, ନାହାଳପୁର, ଚାଟରା, ମହମ୍ମଦପୁର, ଚିକିଣିଆ , ନଇନପୁର ଆଦି ବସ୍ତିର ଶହ ଶହ ଶ୍ରଦ୍ଧାଳୁ ଜନାଜା ପାଠ ସମୟରେ ଉପସ୍ଥିତ ଥିଲେ । ଜନାଜା ପାଠ ପରେ ତାଙ୍କ ପାର୍ଥିବ ଶରୀରକୁ କବର ଦିଆଯାଇଥିଲା । ମୁନା ସର୍ଦ୍ଧାରଙ୍କ ଦେହାନ୍ତ ଖବର ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ତାଙ୍କର ୩ ପୁଅ , ୧ଝିଅ ଓ ୨ ବୋହୁ, ପତ୍ନୀ ଓ ନାତି ନାତୁଣି ଅଛନ୍ତି ।

Leave a Reply

Your email address will not be published. Required fields are marked *