ମାହାଙ୍ଗା, ୨୦/୦୫/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)-କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତ ବନଗୁରୀଆ ଗ୍ରାମରେ ବିରାଜମାନ କରୁଥିବା ପ୍ରସିଦ୍ଧ ମା ସାହାଡ଼ା ସୁନ୍ଦରୀଙ୍କ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ତିନିଦିନ ବ୍ୟାପୀ ଆୟୋଜିତ ମା ଙ୍କ ପୀଠରେ ପ୍ରଥମ ଦିନ ଅଙ୍କୁରା ରୋପଣ, ଧାନ୍ୟାଧିବାସ, ସଂକୀର୍ତ୍ତନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ, ଦ୍ୱିତୀୟ ଦିନ କଳସ ଯାତ୍ରା, ସୂର୍ଯ୍ୟପୂଜା, ଗାଦି ଓ ଅଶ୍ୱ ପ୍ରତିଷ୍ଠା,ମହାସ୍ନାନ, ଭଜନ ସନ୍ଧ୍ୟା,ଅନୁଷ୍ଠିତ ହୋଇଥିଲା ।
ସେହିପରି ତୃତୀୟ ଦିନରେ ମଙ୍ଗଳ ଆଳତୀ, ଷୋଢସ ଉପଚାର ପୂଜା,ଚଣ୍ଡୀପାଠ,ହବନ ଏବଂ ପୂର୍ଣ୍ଣାହୁତି ସହିତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ମା’ ସାହାଡ଼ା ସୁନ୍ଦରୀଙ୍କ ଉପରେ ଭକ୍ତ ମାନଙ୍କର ଅଖଣ୍ଡ ବିଶ୍ୱାସ ଓ ଆସ୍ଥା ଥିବାରୁ ମା ଙ୍କ ବାର୍ଷିକ ଉତ୍ସବକୁ ଶହଶହ ଶ୍ରଦ୍ଧାଳୁ ଦୂର ଦୁରାନ୍ତରୁ ଛୁଟି ଆସିଥାନ୍ତି ।
ଏହି ପବିତ୍ର ପୀଠରେ ପୂଜା ପାଉଥିବା ମା ର ମହିମା ସର୍ବବ୍ୟାପୀ । କୁହାଯାଏ ମା ଙ୍କ ପୀଠକୁ ଯେଉଁମାନେ ଦୁଃଖ ଜଣାଇବାକୁ ଆସନ୍ତି, ସେମାନଙ୍କ ଗୁହାରୀ ମା ଶୁଣେ । ଭକ୍ତର ମାନସିକ ପୂରଣ ହୋଇଥାଏ ବୋଲି କାହିଁ କେଉଁ ଆବାହମାନ କାଳରୁ ବିଶ୍ୱାସ ରହିଆସିଛି । ସ୍ଥାନୀୟ କୁହୁଣ୍ଡା ଗ୍ରାମ ପଞ୍ଚାୟତର ପ୍ରତ୍ୟେକ ଗ୍ରାମର ଯୁବକ ଓ ମୁରବୀ ମାନେ ଏହି ଉତ୍ସବର ଆୟୋଜନ ପାଇଁ ଆଗେଇ ଆସନ୍ତି ।
