ସମ୍ବଲପୁର ଚିପିଲିମା କୃଷି ମହାବିଦ୍ୟାଳୟରେ ନୂତନ ଅଡିଟୋରିୟମ ଉଦଘାଟିତ

ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ କରିବା ସହ ଚାଷୀମାନଙ୍କ ଦକ୍ଷତା ବୃଦ୍ଧି କରିବ- ଧର୍ମେନ୍ଦ୍ର ପ୍ରଧାନ

  • ପ୍ରାୟ ୧୦ କୋଟି ୫୦ ଲକ୍ଷ ଟଙ୍କା ନିବେଶରେ ଅଡିଟୋରିୟମର ଶ୍ରୀବୃଦ୍ଧି କରିବା ପାଇଁ ପଦକ୍ଷେପ ନେଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ
  • ଚିପିଲିମା କ୍ୟାମ୍ପସର ଭିତ୍ତିଭୂମିକୁ ମଜଭୂତ୍ କରିବା ଡବଲ ଇଞ୍ଜିନ ସରକାର ଅତିରିକ୍ତ ୮୦ କୋଟି ଟଙ୍କା ଅନୁଦାନର ବ୍ୟବସ୍ଥା କରିଛନ୍ତି
  • ଚିପିଲିମା ଓୟୁଏଟି କ୍ୟାମ୍ପସ ହୀରା ସଦୃଶ ନୂଆ ନୂଆ ମେଧାବୀ ଛାତ୍ରୀଛାତ୍ରୀଙ୍କୁ ତିଆରି କରେ
  • ସମ୍ବଲପୁରକୁ କୃଷି ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ଯୋଜନା କରିବା
  • ଓୟୁଏଟି, ଚିପିଲିମା ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ର ସେତୁବନ୍ଧ ହେବ
  • ସମ୍ବଲପୁରର ଉତ୍ପାଦିତ କୃଷି ସାମଗ୍ରୀ ବିଶ୍ୱ ବଜାରକୁ ପଠାଇବା ପାଇଁ ଯୋଜନା ହେଉ
  • ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ ପ୍ରମୁଖ ଯୋଗଦେଲେ

ସମ୍ବଲପୁର / ଭୁବନେଶ୍ୱର,୧୬/୦୫/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ସମ୍ବଲପୁର ସ୍ଥିତ ଓୟୁଏଟି ଚିପିଲିମା କୃଷି ମହାବିଦ୍ୟାଳୟରେ ଉଦଘାଟିତ ନୂତନ ଅତ୍ୟାଧୁନିକ ସଭାଗୃହ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ କରିବା ସହ ଚାଷୀମାନଙ୍କ ଦକ୍ଷତା ବୃଦ୍ଧି କରିବାରେ ବେଶ୍ ସହାୟକ ହେବ ବୋଲି ଶୁକ୍ରବାର ଉକ୍ତ ଅଡିଟୋରିୟମକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓୟୁଏଟିର ଏହି ଚିପିଲିମା ଓୟୁଏଟି କ୍ୟାମ୍ପସ ହୀରା ସଦୃଶ ନୂଆ ନୂଆ ମେଧାବୀ ଛାତ୍ରୀଛାତ୍ରୀଙ୍କୁ ତିଆରି କରେ । ଏହି ଚିପିଲିମା କ୍ୟାମ୍ପସର ଭିତ୍ତିଭୂମିକୁ ଆହୁରି ଅଧିକ ମଜଭୂତ୍ କରିବା ପାଇଁ ରାଜ୍ୟ ସରକାର ଅତିରିକ୍ତ ୮୦ କୋଟି ଟଙ୍କା ଅନୁଦାନର ବ୍ୟବସ୍ଥା କରିଛନ୍ତି ।

ଏହି ଅର୍ଥ ହଷ୍ଟେଲ, ଏକାଡେମିକ ଏବଂ ପ୍ରଶାସନିକ ବ୍ଲକ ସହ ଛାତ୍ରଛାତ୍ରୀଙ୍କୁ ସୁବିଧା ହେବା ଭଳି ବିଭିନ୍ନ ଭିତ୍ତିଭୂମିର ବିକାଶ ଦିଗରେ ଖର୍ଚ୍ଚ କରାଯିବ। ଏହାବ୍ୟତୀତ ଆଜି ପ୍ରାୟ ୧୦ କୋଟି ୫୦ ଲକ୍ଷ ଟଙ୍କା ନିବେଶରେ ଅଡିଟୋରିୟମର ଲୋକାର୍ପଣ ହୋଇଛି, ଯେଉଁ ସଭାଗୃହ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ କରିବା ସହ ସମ୍ବଲପୁର ସମେତ ଆଖପାଖ ଜିଲ୍ଲାର ଚାଷୀମାନଙ୍କ ଦକ୍ଷତା ବୃଦ୍ଧି କରିବାରେ ବେଶ୍ ସହାୟକ ହେବ ।

ଓୟୁଏଟି, ଚିପିଲିମା ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ର ସେତୁବନ୍ଧ ହେବ । ଆଜିର ପଦକ୍ଷେପ ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତଥା ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେ ଆହୁରି କହିଛନ୍ତି ଯେ ସମ୍ବଲପୁର କୃଷି ହେଉଛି ଆଞ୍ଚଳିକ ଅର୍ଥନୀତିର ମେରୁଦଣ୍ଡ । କୃଷି ହିଁ ଏଠାକାର ସାଂସ୍କୃତିକ ଓ ସାମାଜିକ ଏକତାର ମୂଳ ଉପାଦାନ । ଚାଷ ଓ ଚାଷୀଙ୍କୁ ଅଧିକରୁ ଅଧିକ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ପ୍ରାଥମିକତାରେ ରହିଛି ।

ଆଗାମୀ ଦିନରେ ସମ୍ବଲପୁର କୃଷି ମହାବିଦ୍ୟାଳୟରେ ଚାଷରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ନେଇ ନୂଆ ପାଠ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ଯୋଜନା ହେବ । ଚାଷୀମାନଙ୍କୁ ପ୍ରଶିକ୍ଷଣ, ଧାନଚାଷ ସମେତ ଅନ୍ୟାନ୍ୟ ଫସଲ ସାମଗ୍ରୀ ଉତ୍ପାଦନ ବୃଦ୍ଧି କରିବା, ଫସଲର କ୍ଷୟକ୍ଷତିକୁ ହ୍ରାସ କରିବା ତଥା ସମ୍ବଲପୁର ଜିଲ୍ଲାରେ କୃଷିଭିତ୍ତିକ ଅର୍ଥନୀତିକୁ ସୁଦୃଢ କରିବା ଦିଗରେ ଆମ ସରକାରଙ୍କ ପକ୍ଷରୁ ଯୋଜନା କରାଯିବ । ଏଠାରେ କୃଷିର ବିଭିନ୍ନ କ୍ଷେତ୍ରରେ ନୂଆ ବିଭାଗ ଖୋଲିବା ପାଇଁ ଉଦ୍ୟମ ହେବ ।

ଡବଲ ଇଞ୍ଜିନ ସରକାରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବାବଦ ଚାଷୀମାନଙ୍କୁ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରାଯାଉଛି । ଖରିଫ ଋତୁରେ ପ୍ରାୟ ୭୦ ଲକ୍ଷରୁ ଅଧିକ କୁଇଣ୍ଟାଲ ଧାନ ରାଜ୍ୟ ସରକାର କ୍ରୟ କରିଛନ୍ତି । ରବି ଋତୁରେ ମଧ୍ୟ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଚାଷୀମାନଙ୍କ ପାଇଁ ଏତେ ଦାୟିତ୍ୱ କେଉଁ ସରକାର ନେଇନଥିଲେ ।

ଡବଲ ଇଞ୍ଜିନ ସରକାରରେ ଏଠାରେ ଧାନ ମଣ୍ଡିକୁ ସୁବ୍ୟବସ୍ଥା କରାଯିବ । ଭାରତ ସରକାରଙ୍କ ସହଯୋଗରେ ଏହି ଅଞ୍ଚଳରେ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ମତ୍ସ୍ୟ ପ୍ରକ୍ରିୟାକରଣ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯିବ ।

ଏଠାରେ ଓମଫେଡରୁ କେବଳ ଖୀର ନୁହେଁ ବରଂ ଖୀର ଫାଉଡର ଓ ଚକୋଲୋଟ ଭଳି ଅନ୍ୟ ଉତ୍ପାଦିତ ଜିନିଷ ତିଆରି କରାଯିବ ।  କୁଚିଣ୍ଡାର ଲଙ୍କା, ସମ୍ବଲପୁରର ଧାନ, ଡାଲିଜାତୀୟ ଦ୍ରବ୍ୟ, ପନିପରିବା ଓ ଦୁଗ୍ଧ ଏବଂ ପଶୁପାଳନ ଚାଷର ଯେଉଁ ସମ୍ଭାବନା ଅଛି, ସେହି ସମ୍ଭାବନାକୁ ଉପଯୋଗ କରିବା ପାଇଁ ପ୍ରୟାସ ହେବ । ଆମ ଅଞ୍ଚଳରୁ ସ୍ଥାନୀୟ ଫସଲ ସାମଗ୍ରୀକୁ ବିଶ୍ୱ ବଜାରକୁ ପଠାଇବା ପାଇଁ ଯୋଜନା କରିବା ଦିଗରେ ଶ୍ରୀ ପ୍ରଧାନ ଆଲୋକପାତ କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ଓଡ଼ିଶାର ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *