ଯୁଦ୍ଧ ବିରତି ଉଲଂଘନ ପରେ ହାଇ ଆଲର୍ଟ – କେନ୍ଦ୍ରାପଡା ସମୁଦ୍ର ଉପକୂଳରେ ପାଟ୍ରୋଲିଂ

କେନ୍ଦ୍ରାପଡ଼ା, ୧୧/୦୫/୨୦୨୫(ଓଡ଼ିଶା ସମାଚାର)- ଯୁଦ୍ଧ ବିରତି ପାଇଁ ଦୁଇଦେଶ ରାଜି ହେବା ପରେ ଏହାକୁ ଉଲଂଘନ କରି ପାକିସ୍ତାନ ଭାରତ ସୀମାକୁ ଗୁଳି ବର୍ଷା କରିଥିଲା । ପାକିସ୍ତାନର ଏହି ଯୁଦ୍ଧ ବିରତି ଉଲଂଘନକୁ ନେଇ କେନ୍ଦ୍ରାପଡା ଜିଲାରେ ହାଇ ଆଲର୍ଟ ଜାରି କରାଯାଇଛି । କେନ୍ଦ୍ରାପଡା ଜିଲାର ରାଜନଗର ଓ ମହାକାଳପଡା ବ୍ଲକକୁ ଛୁଉଁଥିବା ସମୁଦ୍ର ଉପକୂଳରେ କୌଣସି ଅନୁପ୍ରବେଶ ଆଶଙ୍କା କରି ଜିଲା ପୋଲିସ ମୁଖ୍ୟାଳୟର ନିର୍ଦେଶରେ ଉଭୟ ବ୍ଲକର ସାମୁଦ୍ରିକ ଥାନା(ତାଳଚୂଆ, ତନ୍ତିଆପାଳ, ଜମ୍ବୁ) ପକ୍ଷରୁ ସମୁଦ୍ର ଉପକୂଳରେ ଷ୍ପିଡ ବୋଟ ମାଧ୍ୟମରେ ପାଟ୍ରୋଲିଂ କରାଯାଇଛି ।

ପାଟ୍ରୋଲିଂ ସମୟରେ ବୋଟରେ ସଶସ୍ତ୍ର ପୋଲିସ କର୍ମଚାରୀମାନେ ମୁତୟନ ହୋଇଥିଲେ । କୌଣସି ଅପ୍ରିତିକର ପରିସ୍ଥିତିକୁ ସମ୍ମୁଖୀନ ହେବା ପାଇଁ ସଶସ୍ତ୍ର ପୋଲିସ ବଳ ପ୍ରସ୍ତୁତ ଥିଲେ । ସମୁଦ୍ରର ୩କିଲୋମିଟର ପର୍ଯ୍ୟନ୍ତ ପ୍ରତି ଥାନା ପକ୍ଷରୁ ପାଟ୍ରୋଲିଂ କରାଯାଇଥିଲା । ତାଳଚୂଆ, ଜମ୍ବୁ ଓ ତନ୍ତିଆପାଳ ଥାନା ଅଂଚଳ ଦେଇ ଯାଇଥିବା ବେଙ୍ଗାପସାଗର ମଧ୍ୟ ଦେଇ ଆତଙ୍କବାଦୀମାନେ ଆମ ଜଳ ସୀମାରେ ଆକ୍ରମଣ କରିବାର ଯଥେଷ୍ଟ ସୁଯୋଗ ରହିଛି ।

ସେହିପରି ଏହି ଅଂଚଳ ଗୁଡିକରେ ବହୁ ସଂଖ୍ୟାରେ ବାଙ୍ଗଲାଦେଶୀ ଓ ପାକିସ୍ତାନ ସମର୍ଥକମାନେ ବାସ କରୁଥିବା ଗୋଇନ୍ଦା ରିପୋର୍ଟ ମିଳିଛି । ଏମାନେ ଆତଙ୍କବାଦୀଙ୍କୁ ସହଯୋଗ କରିବାର ଆଶଙ୍କା ମଧ୍ୟ ରହିଛି । ସେହି କାରଣରୁ ସାମୁଦ୍ରିକ ଥାନା ଅଂଚଳରେ ଜୋରଦାର ପାଟ୍ରୋଲିଂ କରାଯାଇଛି । ତାଳଚୂଆ ସାମୁଦ୍ରିକ ଥାନା ଅଧିକାରୀ ବିମଳ କୁମାର ମଲିକ କହିଛନ୍ତି ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଥିବାରୁ ଷ୍ପିଡବୋଟ ସାହାଯ୍ୟରେ ସମୁଦ୍ରର ୩କିଲୋମିଟର ପର୍ଯ୍ୟନ୍ତ ପାଟ୍ରୋଲିଂ କରାଯାଥିଲା । ଏହି ସମୟରେ ଶତ୍ରୁପକ୍ଷକୁ ସତର୍କ କରାଇବା ପାଇଁ ସାଇରନ ବାଜିଥିଲା । କିନ୍ତୁ ସେଭଳି କୌଣସି ଅଘଟଣ ଘଟିନାହିଁ । ପରିସ୍ଥିତ ଉତେଜନାପୂର୍ଣ୍ଣ ରହିଥିବାରୁ କିଛିଦିନ ପାଇଁ ଏଭଳି ପାଟ୍ରୋଲିଂ ଚାଲିବ ।

Leave a Reply

Your email address will not be published. Required fields are marked *