କୁ୍ୟରେସି ମହଲାରେ ପୋଲିସର ଚଢାଉ ଜାରି
କେନ୍ଦ୍ରାପଡ଼ା,୦୯/୦୫/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଟାଉନଥାନା ଅଧିନ କୁ୍ୟରେସୀ ମହଲାରେ ଗୁରୁବାର ବିଳମ୍ବିତ ରାତିରେ ବିପୁଳ ପରିମାଣର ଗୁଳି ଓ ବନ୍ଧୁକ ଥିବା ସୂଚନା ମିଳିିବା ପରେ ଟାଉନ ଥାନା ପୋଲିସର ପକ୍ଷରୁ ଚଢାଉ କରାଯାଇଥିଲା । ଶୁକବାର ମଧ୍ୟ ଚଢାଉ ଜାରି ରହିଥିବା ପୋଲିସ କହିଛି । ଏହି ବନ୍ଧୁକ ଓ ଗୁଳି ରଖିଥିବା ଯୁବକଙ୍କ ପାକିସ୍ତାନ ଲିଙ୍କ ରହିଥିବା ସନ୍ଦେହ କରାଯାଉଥିବା ବେଳେ ପୋଲିସ ଏ ଦିଗରେ କିଛି ସ୍ପଷ୍ଟ ସୂଚନା ଦେଉନାହିଁ ।
ସଂପୃକ୍ତ ଯୁବକ ଜଣକ ଫେରାର ଥିବାରୁ ବିଶେଷ କିଛି ତଥ୍ୟ ମିଳିପାରୁନାହିଁ ବୋଲି କେନ୍ଦ୍ରାପଡା ଏସଡିପିଓ ଜ୍ୟୋତିରଞ୍ଜନ ଗୌଡ଼ କହିଛନ୍ତି । ସେ କହିଛନ୍ତି ଯେ ବିଶେଷ ସୂତ୍ରରୁ ଖବର ମିଳିଲା ଯେ ଜଣେ ଯୁବକଙ୍କ ଘରେ ବହୁ ପରିମାଣର ଗୁଳି ଓ ବନ୍ଧୁକ ମହଜୁଦ ରହିଛି । ଏହି ଖବର ପାଇବା ପରେ କେନ୍ଦ୍ରାପଡ଼ା ଟାଉନ୍ ଥାନା ପୋଲିସର ଏକ ଟିମ୍ କୁ୍ୟରେସୀ ମହଲାରେ ଚଢାଉ କରିଥିଲା । ଚଢାଉ ବେଳେ ୩ଟି ବନ୍ଧୁକ ଓ ୭୦ ରାଉଣ୍ଡ ଗୁଳି ସମେତ ୫ଟି ମାଗାଜିନ ଜବତ କରାଯାଇଥିଲା ।
ତେବେ ଯୁବକ ଜଣକ କେଉଁ ଉଦ୍ଧେଶ୍ୟରେ ବନ୍ଧୁକ ରଖିଥିଲେ ଓ ସେ ଏତେ ପରିମାଣର ଗୁଳି କେଉଁଠୁ ଆଣିଲେ ସେ ନେଇ କିଛି ସ୍ପଷ୍ଟ ତଥ୍ୟ ମିଳି ପାରିନାହିଁ । ଯୁବକ ଜଣକ ଗିରଫ ହେବା ପରେ ପ୍ରକୃତ ତଥ୍ୟ ମିଳିବ ବୋଲି ଏସଡିପିଓ ଶ୍ରୀ ଗୌଡ଼ କହିଛନ୍ତି । ଅପରପକ୍ଷରେ ପୋଲିସ ଯୁବକଙ୍କ ପତ୍ନୀଙ୍କୁ ଥାନାକୁ ଆଣି ଜେରା କରିଥିଲା । ହେଲେ ବିଳମ୍ବିତ ରାତିରେ ଜେରା ଚାଲିଥିବା ବେଳେ ଯୁବକଙ୍କ ସପକ୍ଷରେ ଶତାଧିକ ମହିଳା ଥାନାକୁ ଆସି ଥାନା ଘେରାଉ କରିଥିଲେ ।
ଫଳରେ ପୋଲିସ ବାଧ୍ୟହୋଇ ମହିଳାଙ୍କୁ ଥାନାରୁ ଛାଡି ଦେଇଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବା ପରେ ଭାରତରେ ଥିବା ପାକିସ୍ତାନର ଖୁପିଆ ସଂଗଠନ ଗୁଡିକ ସକ୍ରିୟ ହୋଇ ଉଠିଛନ୍ତି । ଏହି ସଂଗଠନ ଗୁଡିକ ଭାରତରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଯୋଜନା କରୁଥିବା ସନ୍ଦେହ କରାଯାଉଛି । ଅତୀତରେ ମଧ୍ୟ ଭାରତରେ ପାକିସ୍ତାନ ସହ ସଂପର୍କ ଥିବା ଅନେକ ସଂଗଠନ ଭାରତରେ ହମଲା କରିଛନ୍ତି । ସେହି ଦୃଷ୍ଟିରୁ ଜଣେ ମୁସଲମାନ ଯୁବକଙ୍କ ଘରୁ ଏତେ ପରିମାଣର ଗୁଳି ଓ ବନ୍ଧୁକ ମିଳିବା ଘଟଣା ନେକ ସନ୍ଦେହ ସୃଷ୍ଟି ହୋଇଛି ।
ହେଲେ ପୋଲିସ ଏ ଦିଗରେ ସ୍ପଷ୍ଟ ସୂଚନା ଦେଇପାରୁନାହିଁ । ଥାନାଧିକାରୀ ଦିଲ୍ଲୀପ କୁମାର ସାହୁଙ୍କୁ ଏସମ୍ପର୍କରେ ପଚାରିବାରୁ ସେ କହିଲେ ଯେ ଆମେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ଯେ ଯୁବକ ଜଣକ ଏତେ ପରିମାଣର ଗୁଳି ଓ ବନ୍ଧୁକ ଆଣି ଘରେ କାହିଁକି ରଖିଥିଲେ । ତାଙ୍କ ଉଦ୍ଧେଶ୍ୟ କ’ଣ ଥିଲା । ଯେପର୍ଯ୍ୟନ୍ତ ଯୁବକ ଜଣକ ଗିରଫ ହୋଇନାହିଁ ସେ ପର୍ଯ୍ୟନ୍ତ ସଠିକ ତଥ୍ୟ ଜଣାପଡିବ ନାହିଁ । ଯୁବକଙ୍କୁ ଗିରଫ କରାଯିବା ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ଥାନାଧିକାରୀ ଶ୍ରୀ ସାହୁ କହିଛନ୍ତି ।