ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧ୍ୟକ୍ଷା ଅନାସ୍ଥା ଭୋଟ ୧୩ ରେ, ମୂଖ୍ୟମନ୍ତ୍ରୀ ଓ ପୂର୍ବତନ ମୂଖ୍ୟମନ୍ତ୍ରୀ ଙ୍କ ପାଇଁ ସମ୍ମାନର ପ୍ରଶ୍ନ 

କଟକ ସଦର,୦୮/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ରେ ଗତ କିଛିଦିନ ହେଲା ରାଜନୈତିକ ହଟଚମଟ ଦେଖାଦେଇଛି। ଦୁଇଟି ନିର୍ବାଚନ ମଣ୍ଡଳୀ ମାହାଙ୍ଗା ର ୨୭ ଓ କଟକ ସଦର ର ୧୪ ଟି ପଞ୍ଚାୟତ ମୋଟ୍ ୪୧ ଟିକୁ ନେଇ ନିଶ୍ଚିନ୍ତକୋଇଲି ବ୍ଲକ ଗଠିତ। ମାହାଙ୍ଗା ରେ ବିଜେପି ସମର୍ଥିତ ସ୍ବାଧୀନ ବିଧାୟକଙ୍କ ସହ କେନ୍ଦ୍ରାପଡା ର ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ଥିବା ବେଳେ କଟକ ସଦର ରେ ବିଜେପି ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ସହ କଟକ ର ବିଜେପି ସାଂସଦ ଭର୍ତୃହରି ମହତାବ ରହିଛନ୍ତି।

ଏପରି ସ୍ଥିତିରେ ଗତ କିଛିଦିନ ତଳେ ମାହାଙ୍ଗା ର ପୂର୍ବତନ ବିଧାୟକ ପ୍ରତାପ ଜେନା ଙ୍କ ଏକାନ୍ତ ଅନୁଗତ ଜିଗ୍ନିପୁର ର ପୂର୍ବତନ ସମିତି ସଭ୍ୟ ଅଶୋକ ଓଝା ବିଜେଡ଼ି ସହ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏଥିପାଇଁ ଅନୁଷ୍ଠିତ ଉପାଧ୍ୟକ୍ଷ ନିର୍ବାଚନ ରେ ପ୍ରତାପ ଜେନା ଙ୍କ ଅନୁଗତ ଫୋଗଳ ପଞ୍ଚାୟତ ର ସମିତି ସଭ୍ୟ ନୃସିଂହ ମିଶ୍ର ହଠାତ୍ ବିଜେଡ଼ି ଛାଡି ଶାରଦା ପ୍ରଧାନ ଙ୍କ ଶିବିରରେ ଯୋଗ ଦେଇ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପ୍ରାର୍ଥୀଙ୍କୁ ହରାଇ ଉପାଧ୍ୟକ୍ଷ ପଦବୀ ହାତେଇ ନେବାକୁ ସକ୍ଷମ ହୋଇଥିଲେ।

ଏହାର ଠିକ୍ ପରେ ପରେ ଅଧ୍ୟକ୍ଷା ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇ ଆସନ୍ତା ୧୩ ତାରିଖ ରେ ନିର୍ବାଚନ ହେବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମୁଦାୟ ଭୋଟ ୮୨ ଥିବା ବେଳେ ମ୍ୟାଜିକ ନମ୍ବର ୫୮ ଥିବା ଜଣାପଡିଛି। ଏପରି ସ୍ଥିତିରେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ ୩୦ ରୁ ଅଧିକ ସମିତି ସଭ୍ୟ ଓ ସରପଂଚ ଙ୍କୁ ନେଇ ଅଜ୍ଞାତବାସ ରେ ରଖି ଗୋଟି ଚାଳନା ତୀବ୍ର କରିଥିବା ବେଳେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ୧୪ ଟି ପଞ୍ଚାୟତ ର ପ୍ରତିନିଧି ମାନଙ୍କୁ ନେଇ ଗୋଟି ଚାଳନା ଜାରି ରଖିଛନ୍ତି।

ତେବେ କଟକ ସଦର ଅନାସ୍ଥା ଭୋଟ ରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ପୂର୍ବତନ ମୂଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇ ଠିଆ ହୋଇଛି। ତେବେ ସମସ୍ତ ଙ୍କର ୧୩ କୁ ଅପେକ୍ଷା ।

Leave a Reply

Your email address will not be published. Required fields are marked *