ରାଉରକେଲା, ୦୭/୦୫/୨୦୨୫ (ଓଡ଼ିଶା ସମାଚାର/ ସସ୍ମିତା ପ୍ରଧାନ )- ଯୁଦ୍ଧ ସମୟରେ ଶତ୍ରୁଙ୍କ ଦ୍ଵାରା ବିମାନ ଆକ୍ରମଣ ବା Air Strike ସମୟରେ ସାଧାରଣ ନାଗରିକ ମାନେ କିପରି ନିଜକୁ ସୁରକ୍ଷିତ ରଖିପାରିବେ ଏହାକୁ ନେଇ ନାଗରିକ ପ୍ରତିରକ୍ଷା କାର୍ଯ୍ୟାଳୟ ରାଉରକେଲା ପକ୍ଷରୁ ଆଜି ଏକ ମକଡ୍ରିଲ ଉଦିତ ନଗର ପଡ଼ିଆ ଠାରେ ଆୟୋଜନ କରାଯାଇଥିଲା । 
ଆଜି ଏହି ମକ ଡ୍ରିଲ ରେ ଦର୍ଶାଯାଇଥିଲା ଯେ ଯଦି ଶତ୍ରୁ ପକ୍ଷରୁ ବିମାନ ଯୋଗେ ଆକ୍ରମଣ କରାଗଲେ ସାଧାରଣ ଲୋକମାନେ କିପରି ନିଜକୁ ସୁରକ୍ଷିତ ରଖି ପାରିବେ । ପଡିଆରେ ପ୍ରଥମେ ୫ ମିନିଟ ସାଇରନ ବାଜାଯାଇଥିଲା । ସାଇରନ ବାଜିବା ପରେ ଲୋକମାନେ ଖୋଲା ଜାଗାରେ ରହିଲେ ଲମ୍ବା ହୋଇ ଶୋଇରହି ନିଜର କାନ ଓ ଆଖିକୁ ବନ୍ଦ କରି ନିଜର କହୁଣୀ ରେ ଭରାଦେଇ ଭୂମି ଉପରେ ଶୋଇ ଯିବାକୁ ଦର୍ଶା ଯାଇଥିଲା ।
ଏହା ପରେ ଆହତ ମାନଙ୍କୁ ତୁରନ୍ତ ନାଗରିକ ପ୍ରତିରକ୍ଷା ବାହିନୀ, ଏନସିସି କ୍ୟାଡେଟ ଓ ଏନଏସଏସ ର ସ୍ବେଛାସେବୀ କିପରି ସ୍ଥାନୀୟ ସାଧନ ବ୍ୟବହାର କରି ପ୍ରାଥମିକ ଚିକିତ୍ସା ପାଇଁ ନିକଟସ୍ଥ ହସପିଟାଲ କିପର ପହଚାଂବା ର ଅଭ୍ୟାସ ଡ୍ରିଲ ଦର୍ଶାଯାଇଥିଲା ।
ଏହାପରେ ବିଲ୍ଡିଂରେ ନିଆଁ ଲାଗିଲେ କିପରି ଅଗ୍ନିଶମ ଦମକଳ ଦ୍ବାରା ନିଆଁ ଲିଭେଇବା ପ୍ରକ୍ରିୟା ଦର୍ଶାଯାଇଥିଲା । ଏହି ମକଡ୍ରିଲରେ ନାଗରିକ ପ୍ରତିରକ୍ଷା ବାହିନୀ , ଓଡ୍ରାଫ ଟିମ୍ ,ଅଗ୍ନି ବିଭାଗ , ରାଉରକେଲା ଇସ୍ପାତ କାରଖାନା, ସିଆଇଏସ ଏଫ , ଏନସିସି , ଏନଏସ ଏସ , ଜେପି ହସପିଟାଲ, ଅପୋଲୋ ହସପିଟାଲର ମେଡିକାଲ ଷ୍ଟାଫ ର ୧୩୦ ରୁ ଉର୍ଦ୍ଧ୍ବ କ୍ୟାଡେଟ୍ , ସ୍ବେଛାସେବୀ, କର୍ମଚାରୀମାନେ ସାମିଲ ହୋଇଥିଲେ ।
ଉଲ୍ଲେଖ ଯୋଗ୍ୟ ଯେ ଯୁଦ୍ଧ ସମୟରେ ଜନସାଧାରଣଙ୍କୁ ଆକ୍ରମଣ ସମ୍ପର୍କରେ ସତର୍କ କରାଇବା,ଆକ୍ରମଣ ସରିଲା ପରେ ଜନସାଧାରଣ ଙ୍କୁ ସୂଚନା ପ୍ରଦାନ କରିବା, ଆକ୍ରମଣର ପରିଣାମକୁ ମୁକାବିଲା କରିବା ଯେପରିକି ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନା ନେବା, ଅଗ୍ନି ନିର୍ବାପନ ବ୍ୟବସ୍ଥା କରିବା ଏବଂ ଉଦ୍ଧାର କାର୍ଯ୍ୟ କରିବା ଆଦି ହେଉଛି ଏହି ନାଗରିକ ପ୍ରତିରକ୍ଷା ମକ ଡ୍ରିଲ ର ଲକ୍ଷ୍ୟ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ବିରମିତ୍ରପୁର ଶଙ୍କର ଓରାମ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅଭିମନ୍ୟୁ ମାଝୀ, ଉପଜିଲ୍ଲାପାଳ ପାନପୋଷ ବିଜୟ କୁମାର ନାୟକ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହରେକ୍ରୁଷ୍ଣ ମାଝୀ, ତହସିଲଦାର ନିବେଦିତା ପ୍ରଧାନ , ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ ଓ ଜନସାଧାରଣ ବହୁସଂଖ୍ୟାରେ ଉପସ୍ଥିତ ଥିଲେ । 
ନାଗରିକ ପ୍ରତିରକ୍ଷା କାର୍ଯ୍ୟାଳୟ ରାଉରକେଲାର ଡେପୁଟି କଣ୍ଟ୍ରୋଲର ସୁନିଲ ମୁର୍ମୁ, ଶୁଭେନ୍ଦୁ ପଣ୍ଡା, ଝାଗୁ ବରୁଆ, ଜେ ରାଉତରାୟ , ଦିଲିପ ରାଉତ ଓ ଅବଦୁଲ ବାରି ମକଡ୍ରିଲ ପରିଚାଳନାରେ ସହଯୋଗ କରିଥିଲେ । ଏହି ନାଗରିକ ପ୍ରତିରକ୍ଷା ମକଡ୍ରିଲ୍ ଆଜି ସୁନ୍ଦରଗଡ ଜିଲ୍ଲାର ରାଉରକେଲା ସମେତ ଓଡ଼ିଶାର ୧୨ ଗୋଟି ଜିଲ୍ଲାରେ ମଧ୍ୟ କରାଯାଇଛି ।
-0-
