କଲମା ବ୍ୟାରେଜର ୬୫ଗେଟ୍ ବନ୍ଦ, ଓଡ଼ିଶାରେ ଉତ୍କଟ ଜଳ ସଙ୍କଟ : ସରକାରଙ୍କ ହସ୍ତକ୍ଷେପ ଦାବିକଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର, ୦୬/୦୫/୨୦୨୫(ଓଡ଼ିଶା ସମାଚାର)- ଛତିଶଗଡ଼ ସରକାର କଲମା ବ୍ୟାରେଜର ସମସ୍ତ ଗେଟ୍ ବନ୍ଦ କରିବା ଦ୍ୱାରା ଓଡ଼ିଶାରେ ଗମ୍ଭୀର ଜଳ ସମସ୍ୟା ସୃଷ୍ଟି ହୋଇଛି । ଚଳିତବର୍ଷ ଏପ୍ରିଲ ଆରମ୍ଭରୁ କଲମା ବ୍ୟାରେଜର ୬୬ଗେଟ୍ ମଧ୍ୟରୁ ୬୫ଟି ଗେଟ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । କେବଳ ଗୋଟିଏ ଗେଟ୍ ରେ ମାତ୍ର ୫ ସେଂଟିମିଟର ଖୋଲା ରହିଛି । ଯାହାଫଳରେ ମହାନଦୀର ନିମ୍ନ ଅବବାହିକା ଜଳ ସ୍ରୋତ କମିବା ସହିତ ମହାନଦୀର ସମସ୍ତ ଶାଖାନଦୀ ଗୁଡ଼ିକ ଶୁଖି ଗଲାଣି ।

ପ୍ରତ୍ୟେକ ଥର ଛତିଶଗଡ଼ ସରକାରଙ୍କ ଏପରି ଏକଚାଟିଆ ନିଷ୍ପତିି ଯୋଗୁ ଓଡ଼ିଶାବାସୀଙ୍କ ପାଇଁ ଏକ ଗମ୍ଭୀର ଜଳ ଅଭାବ ସୃଷ୍ଟି ହୋଇଛି । କାରଣ ମାର୍ଚ୍ଚ ମାସ ଶେଷ ସପ୍ତାହରୁ ରାଜ୍ୟରେ କୌଣସି ପାଣି ପ୍ରବାହିତ ହୋଇନାହିଁ । ଝାରସୁଗୁଡ଼ା ଜିଲାର ଲଖନପୁର ବ୍ଲକର ସୁଖାସୋଡ଼ା ପରି ଅଂଚଳରେ ଯେଉଁଠାରୁ ମହାନଦୀ ଓଡ଼ିଶାରେ ପ୍ରବେଶ କରେ, ସେହି ନଦୀପଠା ଏବେ ମରୁଭୂମି ପାଲଟିଛି । ଟି୍ରପଲ୍ ଇଞ୍ଜିନ ସରକାରଙ୍କ ବିଫଳତା ଯୋଗୁ ଏଭଳି ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । କେନ୍ଦ୍ର ଛତିଶଗଡ଼ ଏବଂ ଓଡ଼ିଶାରେ ବିଜେପି ନେତୃତ୍ୱାଧୀନ ସରକାର ଏହା ଉପରେ ଦୃଷ୍ଟ ନଦେବା ଦୁର୍ଭାଗ୍ୟର ବିଷୟ ।

କେନ୍ଦ୍ର ସରାକରଙ୍କ ନିୟନ୍ତ୍ରଣ ଏବଂ ଉଭୟ ରାଜ୍ୟରେ ବିଜେପିର ଉପସ୍ଥିତି ସତ୍ୱେ ଦୀର୍ଘକାଳୀନ ମହାନଦୀ ଜଳ ବିବାଦ ଅସମାହିତ ହୋଇ ରହିଛି ଯାହା ଓଡ଼ିଶାରେ ଜଳ ଅଭାବ ସୃଷ୍ଟି କରିଛି । ଜଳ ଅଭାବର ପ୍ରଭାବ ସୁଦୂରପ୍ରସାରୀ । ପାରମ୍ପରିକ ଭାବରେ ଜୀବିକା ପାଇଁ ମହାନଦୀ ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀମାନେ ଏବେ ଜୀବିକା ନିର୍ବାହ ପାଇଁ ସଂଘର୍ଷ କରୁଛନ୍ତି । ପାଣିର ଅଭାବ ଚାଷୀମାନଙ୍କୁ ମଧ୍ୟ ପ୍ରଭାବିତ କରିଛି । ବିଶେଷକରି ରବି ଫସଲ ଚାଷ କରୁଥିବା କୃଷକମାନେ ଜଳସେଚନ ପାଇଁ ନଦୀ ଜଳ ଉପରେ ନିର୍ଭର କରନ୍ତି, ସେମାନେ ଏବେ ନିଜର ଜୀବିକା ହରାଉଛନ୍ତି । ଏହି ସମସ୍ୟା କେବଳ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁନାହିଁ ବରଂ ଓଡ଼ିଶାରେ ଭୂତଳ ଜଳସ୍ତରରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି ।

ଦୁଇ ରାଜ୍ୟ ମଧ୍ୟରେ ଦୀର୍ଘକାଳୀନ ଜଳ ବିବାଦର ସମାଧାନ କରିବା ଲକ୍ଷ୍ୟରେ ସୁପି୍ରମକୋର୍ଟ ୧୨ ମାର୍ଚ୍ଚ ୨୦୧୮ରେ ମହାନଦୀ ଜଳ ବିବାଦ ଟି୍ରବୁନାଲ ପ୍ରତିଷ୍ଠା କରିଥିଲେ । କିନ୍ତୁ ସାତବର୍ଷ ପରେ ଏହି ସମସ୍ୟାର ସମାଧାନ ଅଦ୍ୟାବଧି ହୋଇପାରି ନାହିଁ । ଅଣମୌସୁମୀ ଋତୁରେ କଲମା ବ୍ୟାରେଜର ଗେଟ୍ ବନ୍ଦ ହେବା ଦ୍ୱାରା ଓଡ଼ିଶାରେ ଜଳ ସମସ୍ୟାକୁ ଆହୁରି ଜଟିଳ କରିଛି । ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗିରହିଛି, ଏଥିପାଇଁ ପାଣି ଏବେ ଲୋକଙ୍କର ନିତାନ୍ତ ଆବଶ୍ୟକ, ଏଭଳି ଏକ ଗମ୍ଭୀର ସମୟରେ ସରାକାର କୌଣସି ପଦକ୍ଷେପ ନ ନେଇ ବୀରବଦ୍ରଷ୍ଟା ସାଜିଛନ୍ତି ଯାହା ସରକାରଙ୍କ ଅପାରଗତାକୁ ସୁଚାଉଛି ।

ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବ ଛତିଶଗଡ଼ ସରକାରଙ୍କ ନିଷ୍ପତିିକୁ କଡ଼ା ନିନ୍ଦା କରିବା ସହିତ ଛତିଶଗଡ଼ ସରକାର ଓଡ଼ିଶାକୁ ମରୁଭୂମିରେ ପରିଣତ କରିବାର ପ୍ରୟାସ କରୁଛନ୍ତି ବୋଲି କହିଛନ୍ତି । ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ମହାନଦୀ ଜଳ ବିବାଦର ଶୀଘ୍ର ସମାଧାନ ହେବା ଆବଶ୍ୟକ । କାରଣ ଏହା ଓଡ଼ିଶାର ଲୋକଙ୍କ ବଂଚିବା ପାଇଁ ଅତ୍ୟନ୍ତ ଗୁରୁ୍ତ୍ୱପୂର୍ଣ୍ଣ । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରି ଜଳ ସଙ୍କଟ ସମସ୍ୟାର ସାଧାନ କରନ୍ତୁ ବୋଲି ଶ୍ରୀ ଯାଦବ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *