ଜଗତସିଂହପୁର, ୩୦/୦୪/୨୦୨୫ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ଜିଲ୍ଲାସ୍ତରୀୟ କବି ଜୟଦେବ ଙ୍କ ଜୟନ୍ତୀ ସମାରୋହ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଳା ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସମନ୍ଵୟ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କବି ଜୟଦେବ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ଏହି ସଭା ରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର, ଶ୍ରୀ ଜ୍ୟୋତି ଶଙ୍କର ରାୟ ନିଜ ଅଭିଭାଷଣରେ କବି ଜୟଦେବଙ୍କ କବିତ୍ୱର ଉତ୍କର୍ଷତା ଉପରେ ଆଲୋଚନା କରିବା ସହ ତାଙ୍କ ରଚିତ ଗୀତଗୋବିନ୍ଦ ସମ୍ବନ୍ଧରେ ଆଲୋଚନା କରିଥିଲେ ଏବଂ ଓଡ଼ିଶା ସରକାରଙ୍କୁ ଏହି ସମାରୋହ ପାଳନ ର ଚିନ୍ତାଧାରା ପାଇଁ ଧନ୍ୟବାଦ ଜଣାଇଥିଲେ।
ସଭାରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଇଞ୍ଜିନିୟର ଶ୍ରୀ ବିଷ୍ଣୁ ସାହୁ ନିଜ ବକ୍ତବ୍ୟ ରେ ଜୟଦେବ ଙ୍କ ରଚିତ ଗୀତଗୋବିନ୍ଦ ର ଭାଷା ଓ ସଂସ୍କୃତ ହେତୁ ତାଙ୍କୁ ବିଶ୍ଵ କବି ଭାବେ ଆଖ୍ୟା ଦିଆଯାଇଛି ବୋଲି କହିଥିଲେ । ସେ ଗୀତଗୋବିନ୍ଦ ର ସମ୍ୟକ୍ ବ୍ୟାଖ୍ୟା ମଧ୍ୟ କରିଥିଲେ । ସଭାରେ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସୁରେନ୍ଦ୍ର ନାଥ ତ୍ରିପାଠୀ ଏହି ଦିବସର ତାତ୍ପର୍ଯ୍ୟ ପ୍ରସଙ୍ଗରେ ଆଲୋଚନା କରିବା ସହ ଜୟଦେବ ଙ୍କ ଭକ୍ତି, ତ୍ୟାଗ ଓ ଉଦାର ଭାବନା ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ ଏବଂ ସେ କହିଥିଲେ ଯେ ଜୟଦେବ ଙ୍କ ରଚିତ ଗୀତଗୋବିନ୍ଦ ହେଉଛି ପୂଜା ର ଯୋଗ୍ୟ ଏବଂ ଏହାର ବିକଳ୍ପ ନାହିଁ ।
ସେ ଜୟଦେବ ଓ ପ୍ରଭୁ ଜଗନ୍ନାଥଙ୍କ ଭିତରେ ଥିବା ଭକ୍ତିପୂର୍ଣ୍ଣ ସମ୍ପର୍କ ଅତ୍ୟନ୍ତ ଭାବ ବିହ୍ବଳ ବୋଲି କହିଥିଲେ । ସଭାରେ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ଜ୍ୟୋତିର୍ମୟୀ ମହାନ୍ତି ଜୟଦେବ ଙ୍କ ସ୍ମୃତି ଚାରଣ ରେ ଆୟୋଜିତ ଏହି ଭବ୍ୟ ସମାରୋହ ଉତ୍ସବ ପାଇଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଅର୍ପଣ ସହ କୃତଜ୍ଞତା ଜଣାଇଥିଲେ । ଜୟଦେବ ଙ୍କ ଭଳି ଉଦାର ବ୍ୟକ୍ତି ବିଶେଷ ଅକ୍ଷୟ ତୃତୀୟା ଭଳି ପବିତ୍ର ଦିବସରେ ଜନ୍ମ ଗ୍ରହଣ କରିଛନ୍ତି ବୋଲି କହି ପ୍ରଭୁ ଜଗନ୍ନାଥଙ୍କ ସହ ଜୟଦେବ ଙ୍କ ନିବିଡ଼ ସମ୍ପର୍କ ବିଷୟରେ କହିଥିଲେ ଏବଂ ଜଗନ୍ନାଥ ଙ୍କ ପ୍ରିୟ ଗୀତଗୋବିନ୍ଦ ଖଣ୍ଡୁଆ ପାଟ ର ଦାୟିତ୍ଵ ଜୟଦେବ ଙ୍କୁ ଦିଆଯାଇଥିଲା ବୋଲି ମଧ୍ୟ ସେ କହିଥିଲେ।
ସଭାରେ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଉମାକାନ୍ତ ନାୟକ କହିଥିଲେ ଯେ ଜୟଦେବ ହେଉଛନ୍ତି ଓଡ଼ିଶା ର ଗର୍ବ ଏବଂ ପ୍ରତ୍ୟେକ ଓଡ଼ିଆ ଆଜି ତାଙ୍କ ପାଇଁ ଗର୍ବିତ । ସେ ଜଣେ କବିଶ୍ରେଷ୍ଠ ଏବଂ ସାମାଜିକ ଓ ଆଧ୍ୟାତ୍ମିକ ଭାବେ ପ୍ରତିଷ୍ଠିତ। ସଭାରେ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଡକ୍ଟର ଦୀନବନ୍ଧୁ ଦାସ ନିଜ ବକ୍ତବ୍ୟ ରେ ଜୟଦେବ ଙ୍କ ଓଡ଼ିଆତ୍ୱ ଉପରେ ବିଶେଷ ଆଲୋଚନା କରିବା ସହ ଗୀତଗୋବିନ୍ଦ ବିଷୟ ବସ୍ତୁ ସମ୍ବନ୍ଧରେ ସମ୍ୟକ୍ ସୂଚନା ଦେଇଥିଲେ ।
ସଭାରେ ଜୟଦେବ ଙ୍କ ଉପରେ ଜଣାଣ ପରିବେଷଣ କରାଯିବା ସହ କବିତା ପାଠୋତ୍ସବ ହୋଇଥିଲା। ସଭାରେ କବିତା ପାଠ ପାଇଁ କବି ଓ କବୟିତ୍ରୀ ମାନେ, ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ଏବଂ ଆମନ୍ତ୍ରିତ ଅତିଥି ମାନେ ଉପସ୍ଥିତ ଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ, ଶ୍ରୀ ଦିଲ୍ଲୀପ କୁମାର ଜେନା ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ କରାଇଥିଲେ। ଶ୍ରୀ ବନମାଳୀ ପତି , ଜିଲ୍ଲା କଳା ସଂସ୍କୃତି ସଂଘ ର ଉପ ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ ।
