ବାଲିଯାତ୍ରାରେ ରୁଦ୍ରାକ୍ଷ ଫାଉଣ୍ଡେସନର ନୃତ୍ୟଶିଳ୍ପୀଙ୍କ ଦ୍ୱାରା  ଓଡ଼ିଶୀ ନୃତ୍ୟ  “ନବଦୁର୍ଗା” ପରିବେଷଣ

ଭୁବନେଶ୍ୱର /କଟକ, ୨୪/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ଵରର  ଅଗ୍ରଣୀ ନୃତ୍ୟ ପ୍ରତିଷ୍ଠାନ “ରୁଦ୍ରାକ୍ଷ” ଫାଉଣ୍ଡେସନ ର କଳାକାରମାନେ  ପ୍ରସିଦ୍ଧ ‘ବାଲିଯାତ୍ରା କଟକ  ଉତ୍ସବ-୨୦୨୪’ ଅବସରରେ ଗତ ୨୨ ତାରିଖ ଶୁକ୍ରବାରରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଓଡ଼ିଶୀ ନୃତ୍ୟ “ନବଦୁର୍ଗା” ପରିବେଷଣ କରିଥିଲେ । ଗୁରୁ ଶ୍ରୀ  ବିଚିତ୍ରାନନ୍ଦ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠାନର  ନୃତ୍ୟଶିଳ୍ପୀ ସନ୍ତୋଷ ରାମ, ମାନସ ରଞ୍ଜନ ସାହୁ, ଲୋପାମୁଦ୍ରା ସାହୁ, ଅଞ୍ଜଳି ଦାଶ, ଅଭିପ୍ସା ବିଶ୍ୱାଳ, ସୁଦୀପା ରାଉତ ଓ ସାଇଶ୍ରେୟା ରାଉତ ଏହି ନୃତ୍ୟ ପରିବେଷଣ କରିଥିଲେ ।

            ନୃତ୍ୟରେ  ମହର୍ଷି ବ୍ୟାସଦେବ, ଭଗବତୀ ଦୁର୍ଗାଙ୍କୁ ପ୍ରଶଂସା କରୁଥିବାର କଥା ରହିଛି । ମହର୍ଷି ବ୍ୟାସଦେବ କହୁଛନ୍ତି, “ ହେମା’ତୁମେ ଶୁମ୍ଭ ନିଶୁମ୍ଭଙ୍କୁ ବଧ କରିଥିଲ । ଏହି କାର୍ଯ୍ୟ କରି ତୁମ ଭକ୍ତମାନଙ୍କୁ କୃପା କରିଛ ।ସେ ସମୟରେ ଚନ୍ଦ୍ର ଏବଂ ସୂର୍ଯ୍ୟର ଚମକରେ  ଭରା ମା’ଦୁର୍ଗାଙ୍କର ଓଷ୍ଟ ଅଗ୍ନିପରି ଚମକି ଉଠିଲା ଏବଂ ସେ ରାକ୍ଷସ ମହିଷା କୁ ବଧ କରିଥିଲେ ।ମହର୍ଷି କହିଥିଲେ“ତୁମ୍ଭେ ତୁମ୍ଭର ଭକ୍ତମାନଙ୍କୁ ମହିଷାର ଅତ୍ୟାଚାର ରୁ ରକ୍ଷାକରିଛ, ତୁମ୍ଭେହିଁ ମୁକ୍ତିର ଉତ୍ସ” । ଏହିପରି କହି ସେ  ମା ଦୁର୍ଗାଙ୍କୁ ନିଜ ପାଇଁ ନିରୋଗ କାମନା ସହିତ ସାଂସାରିକ ବନ୍ଧନରୁ ମୁକ୍ତ କରିବା ଏବଂ ପୂର୍ଣ୍ଣତା ପାଇଁ ସମସ୍ତ ଇଚ୍ଛା ପୂରଣ କରି ସିଦ୍ଧିପ୍ରାପ୍ତି ନିମନ୍ତେ ପ୍ରାର୍ଥନା କରିଥିଲେ, ଯାହାକି ଏହି ନୃତ୍ୟଶୈଳୀ ମାଧ୍ୟମରେ ସୁନ୍ଦର ଉପସ୍ଥାପନା କରାଯାଇଛି ।

ସ୍ୱର୍ଗତ ଶ୍ରୀହରିହର ପଣ୍ଡାଙ୍କ ରଚନାରେ ସ୍ୱର୍ଗତ ପଦ୍ମଶ୍ରୀ ଗୁରୁଶ୍ରୀ ପଙ୍କଜ ଚରଣ ଦାସଙ୍କ  ପାରମ୍ପରିକ ନୃତ୍ୟ ନିର୍ଦ୍ଦେଶନା ଶୈଳୀରେ ଗୁରୁ ଶ୍ରୀ ସ୍ୱାଇଁଙ୍କ ନୃତ୍ୟ ନିର୍ଦ୍ଦେଶନାରେ ରୁଦ୍ରାକ୍ଷ ଅନୁଷ୍ଠାନର କଳାକାର ତଥା ଛାତ୍ରଛାତ୍ରୀମାନେ ଏହି ଓଡ଼ିଶୀ ନୃତ୍ୟକଳା ପରିବେଷଣ କରିଥିଲେ । କଳାକାରମାନଙ୍କୁ  ମଂଚରେ ବାଲିଯାତ୍ରା ସାଂସ୍କୃତିକ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା  । ବାଲିଯାତ୍ରା ଭଳି ଏକ ବୃହତ୍ ସାଂସ୍କୃତିକ ମଞ୍ଚରେ ଯୁବ କଳାକାର ମାନଙ୍କୁ ଓଡ଼ିଶୀନୃତ୍ୟ ପରିବେଷଣ କରିବାର ସୁଯୋଗ ପ୍ରଦାନ କରିଥିବାରୁ ରୁଦ୍ରାକ୍ଷ ଫାଉଣ୍ଡେସନ ତରଫରୁ କମିଟିକୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

            ପ୍ରକାଶ ଥାଉକି, ଗୁରୁଶ୍ରୀ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ଦ୍ୱାରା ୨୦୦୦ମସିହାରେ ସ୍ଥାପିତ‘ରୁଦ୍ରାକ୍ଷ ’ଫାଉଣ୍ଡେସନ ଓଡ଼ିଶା ସମେତ ସମଗ୍ର ଭାରତବର୍ଷରେ ସଂସ୍କୃତି ଓ କଳାର ଏକ ଅନ୍ୟତମ ଶ୍ରେଷ୍ଠ କେନ୍ଦ୍ରଭାବରେ ନିଜକୁ ପ୍ରତିଷ୍ଠିତ କରିଛି।ଏହି ଅନୁଷ୍ଠାନର ବହୁ ଛାତ୍ରଛାତ୍ରୀ ସାରା ଭାରତ ତଥା ଆମେରିକୀୟ, ଏସୀୟ ଏବଂ ୟୁରୋପୀୟ ଦେଶର ବିଭିନ୍ନ ସ୍ଥାନରେ ସେମାନଙ୍କର ଉଚ୍ଚକୋଟୀର କଳା ନୈପୁଣ୍ୟ ପ୍ରଦର୍ଶନ କରି ବହୁ  ପ୍ରଶଂସା ସାଉଁଟିଛନ୍ତି ।

Leave a Reply

Your email address will not be published. Required fields are marked *