ଗରଦପୁର, ୨୩/୦୪/୨୦୨୫ (ଓଡ଼ିଶା ସମାଚାର)- କୁଦାନଗରୀ ଥାନା ଅନ୍ତର୍ଗତ ବଡ଼ବେତ୍ରା ପଂଚାୟତସ୍ଥିତ ପଧାନ ପଟିକିରା ଗ୍ରାମରେ ଏକ ଦୁଖଦ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ମା ତାର ନାବାଳକ ପୁଅକୁ ଉଦ୍ଧାର କରି ନିଯେ ଗଭୀର ଜଳରେ ବୁଡ଼ି ଜୀବନ ହାରିଛି । ମମତାମୟୀ ମା ର ସେହି “ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସି ”ଉକ୍ତି ଟି ଆଜି ବି ପ୍ରମାଣିତ ହୋଇଛି ।
ସବୁଦିନ ପରି ଆଜି ମଧ୍ୟ ଗ୍ରାମ ପୋଖରୀରେ ପଧାନପଟିକିରା ଗ୍ରାମର ଅବନୀତା ଲେଙ୍କା (୪୬) ଓ ତାଙ୍କ ନାବଳକ ପୁଅ ଗାଧୋଉଥିଲେ ।
ଅସାବଧାନତା ବସତଃ ନାବାଳକ ପୁଅଟି ଗଭୀର ଜଳକୁ ଚାଲି ଯାଇଥିଲା । ପୁଅ ବୁଡ଼ି ଯାଉଥିବା ଦେଖି ମା ଅବନୀତା ଗଭୀର ଜଳକୁ ଲମ୍ଫ ଦେଇ ପୁଅକୁ ଉଦ୍ଧାର କରିଥିଲେ । ତେବେ ନାବାଳକ ପୁଅ ପୋଖରୀ ରୁ କୂଳକୁ ଉଠୁଥିବାବେଳେ ମା ଅବନୀତା ସେହି ଗଭୀର ଜଳରେ ବୁଡ଼ି ଯାଇଥିଲେ । ମା ବୁଡ଼ିଯିବା ଦେଖି ନାବାଳକ ପୁଅ ଆସି ଗ୍ରାମ ଲୋକଙ୍କୁ ଡ଼ାକିଥିଲା ।
ଗ୍ରାମର ଯୁବକମାନେ ପୋଖରୀ ରେ ପସି ଖୋଜା ଖୋଜି କରି ଅବନୀତାଙ୍କୁ ପୋଖରୀ ରୁ ଉଦ୍ଧାର କରି ନିକଟସ୍ଥ ନିଶ୍ଚିନ୍ତକୋଇଲି ଡ଼ାକ୍ତାଖାନାକୁ ନେଇଥିଲେ । ହେଲେ ଡ଼ାକ୍ତର ସେଠାରେ ଅବନୀତାଙ୍କୁ ମୃତ ଘୋଷଣା କରିଥିଲେ ।
ନିଶ୍ଚିନ୍ତକୋଇଲି ପୋଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବ ବ୍ୟବଛେଦ ପାଇଁ ପଠାଇଛନ୍ତି । ଏହି ଦୁଖଦ ଖବରକୁ ନେଇ ପଧାନ ପଟିକିରା ଗ୍ରାମ ସହିତ ସାରା ଅଂଚଳରେ ଶୋକ ର ଛାୟା ଖେଳି ଯାଇଛି । ଏହି ଖବର ପାଇ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ଜିଲା ପରିଷଦ ସଦସ୍ୟ ସତ୍ୟାନନ୍ଦ ରାଉତ, ସରପଂଚ ସଂଯୁକ୍ତା ମହାପାତ୍ର , କବି ବିଜନ ରାୟ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।
