ଭୁବନେଶ୍ୱର,୨୧/୦୪/୨୦୨୫(ଓଡ଼ିଶା ସମାଚାର/ରଜତ ମହାପାତ୍ର)-ବାଲିପାଟଣା ବ୍ଲକ ଅନ୍ତର୍ଗତ ଆମଣାକୁଦ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଗ୍ରାମ ପଞ୍ଚାୟତ ସ୍ତରୀୟ ପ୍ରତ୍ୟକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଖୋରଧା ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଆୟୋଜିତ ଏହି ମିଳିତ ଜଣାଶୁଣାଣିରେ ଜୟଦେବ ବିଧାୟକ ଶ୍ରୀ ନବ କିଶୋର ମଲ୍ଲିକ, ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ,ସରପଞ୍ଚ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟରେ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ଜଣାଶୁଣାଣି ସକାଳ ୭ ଘଟିକାରୁ ଆରମ୍ଭ କରାଯିବା ସହ ଜନସାଧାରଣ ମାନଙ୍କ ନିମନ୍ତେ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଆଜି ମୋଟ ୫୨୩ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିଲା । ସେଥିମଧ୍ୟରୁ ୪୭୯ଟି ଅଭିଯୋଗ ବ୍ୟକ୍ତିଗତ ଥିବାବେଳେ ୩୩ଟି ଗୋଷ୍ଠୀଗତ ଅଭିଯୋଗ ଥିଲା । ସେଥିମଧ୍ୟରୁ ୫ଟି ଅଭିଯୋଗକୁ ତୁରନ୍ତ ସମାଧାନ କରାଯାଇଥିଲା ।
ଏହି ଜଣାଶୁଣାଣି ସମୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଜଣଙ୍କୁ ୮୫ ହଜାର ଟଙ୍କା ଏବଂ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ଜଣଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଅଭିଯୋଗ ଗୁଡିକୁ ବିଚାରକୁ ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣ ମାନଙ୍କୁ ସେବା ଯୋଗାଇ ଦେବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ ।
ଆଜିର ମିଳିତ ଜନଶୁଣାଣି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ର ନାରାୟଣ ମହାନ୍ତି, ଭୁବନେଶ୍ବର ଉପ ଜିଲ୍ଲାପାଳ ଡଃ ମନୋରଞ୍ଜନ ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ବିଡିଓ ସ୍ମୃତି ପ୍ରଜ୍ଞା ପ୍ରିୟଦର୍ଶିନୀ, ତହସିଲଦାର କଳ୍ପନା ଦାଶ, ଜିଲ୍ଲା ଶିକ୍ଷାଧିକାରୀ ସୋନାମିକା ରାୟ,ଜିଲ୍ଲା ସାଧାରଣ ଅଭିଯୋଗ ଡେପୁଟି କଲେକ୍ଟର ଆର୍ତ୍ତତ୍ରାଣ ମଲ୍ଲିକ, ଆସିଷ୍ଟାଣ୍ଟ କଲେକ୍ଟର ଭୁବନେଶ୍ୱରୀ କହଁର, ଅତିରିକ୍ତ ଡିସିପି ଶ୍ରୀ କୃଷ୍ଣଚନ୍ଦ୍ର ଦାଶ, ଶ୍ରୀମତୀ ଆରତୀ ଗିରି ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
