କେନ୍ଦ୍ରାପଡ଼ା,୨୦/୦୪/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ମହାକାଳପଡ଼ା ବ୍ଲକର ପ୍ରସିଦ୍ଧ ଦେବୀ ପୀଠ ଦରିଆ ପାରି ମା’ ରାମଚଣ୍ଡୀ ମନ୍ଦିର ନିକଟରେ ଜମ୍ବୁ ମହୋତ୍ସବ -୨୦୨୫ ଶନିବାର ରାତିରେ ଉଦ୍ୟାପିତ ହୋଇଯାଇଛି । କାଳବୈଶାଖୀ ଯୋଗୁ ଚତୁର୍ଥ ସନ୍ଧ୍ୟାରେ କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ଶନିବାର ପାଗ ଭଲ ରହିଥିବାରୁ ଉଦ୍ୟାପନୀ ସନ୍ଧ୍ୟା ଅନୁଷ୍ଠିତ ହୋଇଛି ।
ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ବଡ଼ଚଣା ବିଧାୟକ ଅମର ନାୟକ, ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ଜିଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ ଓ କବି ହେମନ୍ତ ଜେନା ଅତିଥି ଭାବେ ମଂଚାସୀନ ଥିଲେ । ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ । ପଂଚମ ତଥା ଉଦଯାପନୀ ଉତ୍ସବରେ ପାଇକ ନୃତ୍ୟ ଏବଂ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ଜମ୍ବୁ ମହୋତ୍ସବର ପତ୍ରିକା “ଦୀପଂନେତ’ ଉନ୍ମୋଚନ କରିଥିଲେ ।
ପରେ ମହାକାଳପଡ଼ା ବିକାଶ ମଂଚ ପକ୍ଷରୁ କାଶୀନାଥ ରାଉତରାୟ, ଅମୀୟ ବାରିକ ଓ ଅନ୍ୟ ସଦସ୍ୟମାନେ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପରେ ତିଖିରି ର ଜଣେ ସାହିତ୍ୟିକଙ୍କ ସ୍ୱରଚିତ ଲେଖାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ମହାକାଳପଡ଼ା ବିଧାୟକ ଡ. ନାୟକ ପ୍ରଥମେ ଅଭିଭାଷଣ ମାଧ୍ୟମରେ ମହୋତ୍ସବକୁ ଐତିହାସିକ ମହୋତ୍ସବରେ ପରିଣତ କରିବାକୁ କଥା ରଖିଥିଲେ । ବିଭିନ୍ନ ସାଂସ୍କୃତିକ ଦଳ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।