ଭୁବନେଶ୍ୱର,୧୮/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ବିଜୁ ପଟ୍ଟନାୟକ ଫାଉଣ୍ଡେସନ୍ ତରଫରୁ ଟ୍ରଷ୍ଟି ଶ୍ରୀ ଶକ୍ତି ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବିଜୁ ପଟ୍ଟନାୟକଙ୍କ ୨୮ତମ ଶ୍ରାଦ୍ଧଦିବସ ବିଜୁ ପଟ୍ଟନାୟକ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟାଳୟ, କ୍ୱାର୍ଟର ନଂ- ଆଇ.ଭି.ଆର.୨୦/୧, ୟୁନିଟ୍-୨, ଭୁବନେଶ୍ୱରଠାରେ ସନ୍ଧ୍ୟା ୭ ଘଟିକା ସମୟରେ ପାଳନ କରାଯାଇଥିଲା ।
ଉକ୍ତ ଶ୍ରାଦ୍ଧ ଦିବସ ପାଳନ ଅବସରରେ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଶ୍ରୀରାମ ଦାଶ, ଗିରିଜା ଶଙ୍କର ଦାସ, ପ୍ରମୋଦ ସାମନ୍ତରାୟ, ବିଶିଷ୍ଟ ସ୍ତମ୍ଭକାର ଡ. ସିଦ୍ଧାର୍ଥ କାନୁନଗୋ, ସମାଜସେବୀ ମଳୟ କୁମାର ରାଉତ, କ୍ଷେତ୍ରମୋହନ ଦାସ, ଅନ୍ନପୂର୍ଣ୍ଣା ମହାନ୍ତି ପ୍ରମୁଖ ଯୋଗଦେଇ ବିଜୁ ପଟ୍ଟନାୟକଙ୍କ ଅତୀତ ଘଟଣାବଳୀ ଉପରେ ଆଲୋକପାତ କରିଥିଲେ । ସେମାନଙ୍କ ମତରେ ବିଜୁ ପଟ୍ଟନାୟକ ଜଣେ ସ୍ମରଣୀୟ ସ୍ୱାଧୀନତା ସଂଗ୍ରାମୀ, ଦେଶପ୍ରେମୀ, ତୁଙ୍ଗ ରାଜନେତା, ଉତ୍କଳର ନବ ନିର୍ମାତା, ଦକ୍ଷ ଓ ଅଙ୍ଗୀକାରବଦ୍ଧ ପ୍ରଶାସକ ଥିଲେ ।
ତାଙ୍କ ସମୟରେ ପାରାଦ୍ୱୀପ ବନ୍ଦରର ବିକାଶ ଓ ଜାତୀୟ ରାଜପଥ, ସୁନାବେଢାର ମିଗ୍ କାରଖାନା, ବାଲିମେଳା ଜଳ ବିଦୁ୍ୟତ୍ ପ୍ରକଳ୍ପ ଏହିଭଳି ଅନେକ ବିକାଶମୂଳକ କାର୍ଯ୍ୟ ହୋଇଥିଲା । ମୋଟ୍ ଉପରେ ତାଙ୍କର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ସମୟରେ ଯେଉଁ ପ୍ରଗତି ମୂଳକ କାର୍ଯ୍ୟ ହୋଇଥିଲା ତାହା ଚିରସ୍ମରଣୀୟ । ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଶ୍ରୀରାମ ଦାଶ ତାଙ୍କର କାର୍ଯ୍ୟ କରିବାର ଶୈଳୀକୁ ଅତ୍ୟନ୍ତ ମର୍ମସ୍ପର୍ଶ ଭାବରେ ପ୍ରକାଶ କରିଥିଲେ । ଶେଷରେ ଅନୁଷ୍ଠାନର ସମ୍ପାଦକ ସତ୍ୟ ପ୍ରକାଶ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
