ଜମ୍ବୁଦ୍ୱୀପ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା
କେନ୍ଦ୍ରାପଡ଼ା, ୧୭/୦୪/୨୦୨୫(ଓଡ଼ିଶା ସମାଚାର)- ଜମ୍ବୁଦ୍ୱୀପର ନୌବାଣିଜ୍ୟ ଇତିହାସ ଆମକୁ ବିକାଶ ଦିଗକୁ ଆଗେଇ ନେବ । ଓଡ଼ିଶା ରାଜ୍ୟର ବାଣିଜ୍ୟ ପେଣ୍ଠସ୍ଥଳ ଥିଲା ଜମ୍ବୁଦ୍ୱୀପ । ସାଧବ ପୁଅମାନେ ଇଣ୍ଡୋନେସିଆ, ବାଲି, ସୁମାତ୍ରାକୁ ବ୍ୟବସାୟ କରିବାକୁ ଯାଉଥିଲେ । ମୁକସାକ୍ଷୀ ଭାବେ ରହିଛି ହୁକିଟୋଲା ଓ ବତିଘର ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମତବ୍ୟକ୍ତ କରିଛନ୍ତି । ଦରିଆ ରାମଚଣ୍ଡୀଙ୍କ ପୀଠରେ ଜମ୍ବୁଦ୍ୱୀପ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଏହି ଜିଲାରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ ମଧ୍ୟ କାହିଁକି ପୂର୍ବରୁ ମେଡିକାଲ କଲେଜ ପ୍ରତିଷ୍ଠା ହେଲା ନାହିଁ ।
ଦୁଇ ଦଶନ୍ଧି ଧରି ଯେଉଁ ନେତାମାନେ ଏହି ମାଟିରେ ଥିଲେ ସେମାନେ କ’ଣ କରୁଥିଲେ । ତଥାପି ଆମେ ଆନ୍ଦୋଳନ କାରୀଙ୍କୁ ନିରାଶ କରିବୁ ନାହିଁ । ପ୍ରତ୍ୟେକ ଜିଲାରେ ମେଡିକାଲ କଲେଜ ହେବ । କେନ୍ଦ୍ରାପଡ଼ା ଜିଲାବାସୀ ମେଡିକାଲ କଲେଜ ପାଇବାରୁ କେବେବି ବଂଚିତ ହେବେ ନାହିଁ । ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଆସିବ । ୩ କୋଟି ୫୦ ଲକ୍ଷ ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରାଯାଇଛି । ସବୁ ଜିଲାରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ମୁଖ୍ୟବକ୍ତା ଭାବେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଯୋଗଦେଇ କହିଲେ ଜମ୍ବୁଦ୍ୱୀପର ଗାରିମାମୟ ଇତିହାସ ରହିଛି । ଷୋଡଶ ଶତାଦ୍ଧିରେ କୁଜଙ୍ଗର ଷଣ୍ଢରାଜା ରାମଚଣ୍ଡୀ ମନ୍ଦିର ପ୍ରତିଷ୍ଠା କରିବାକୁ ଏହି ସ୍ଥାନକୁ ଆସିଥିଲେ । ଏହି ସ୍ଥାନରୁ ବିଶ୍ୱର ବିଭିନ୍ନ ଦେଶକୁ ସାବତ ପୁଅ ମାନେ ବାଣିଜ୍ୟ କରିବାକୁ ଯାଉଥିଲେ ।
ଓଡିଶାର ଇତିହାସକୁ ରୋମନ୍ଥନ କଲେ ସ୍ୱାଧୀନତା ସଂଗ୍ରାମରେ ଏହି ମାଟିର ଭୂମିକା ଅତୁଳନୀୟ ଥିଲା । କେନ୍ଦ୍ରାପଡ଼ା ମାଟି ଓଡ଼ିଶାର ସଂଗୀତ ଜଗତକୁ ରୁଦ୍ଧିମନ୍ତ କରିଛି । ଏହି ମାଟି ବ୍ରିଟିଶ ମାନଙ୍କୁ ତଡିବାରେ ସହାୟକ ହୋଇଥିଲା । ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ୨ଶହ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ହୋଇଛି । ଶିଳ୍ପମନ୍ତ୍ରୀ ଏହି ଜିଲାରେ ଥିଲେ କିନ୍ତୁ କାହିଁକି ଶିଳ୍ପ ପ୍ରତିଷ୍ଠା ହେଲାନାହିଁ ବୋଲି ସେ ପ୍ରଶ୍ନ କରିଥିଲେ । ବିଜୁ ଜନତା ଦଳର ନେତାମାନେ ଅନ୍ୟ ଉପରେ ଦୋଷ ଲଦି ନିଜର ଦୋଷ ଦୁର୍ବଳତାକୁ ଲୁଚାଉଛନ୍ତି । କେନ୍ଦ୍ରାପଡ଼ା ଜିଲାରେ ସିଙ୍ଗାପୁରର ଏକ କମ୍ପାନୀ ୧୫ ହଜାର କୋଟି ପୁଞ୍ଜି ନିବେଶ କରିବ । ଫଳରେ ଜିଲା ଶିଳ୍ପ ସମୃଦ୍ଧ ହୋଇପାରିବ ବୋଲି ସେ କହିଥିଲେ ।
ମହାକାଳପଡ଼ା ବିଧାୟକ ଡ଼. ଦୁର୍ଗା ପ୍ରସନ୍ନ ନାୟକ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଶିଳ୍ପ ମନ୍ତ୍ରୀ ଓ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ । ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଜେପି ଓବିସି ମୋର୍ଚ୍ଚା ଅଧ୍ୟକ୍ଷ ସୁରଥ ବିଶ୍ୱାଳ, ସାଂସଦଙ୍କ ପ୍ରତିନିଧି କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ କଣ୍ଠର ଯାଦୁରେ ଦର୍ଶକ ମାନେ ବିଭୋର ହୋଇ ଉଠିଥିଲେ ।
