ଅଶୋକାଷ୍ଟମୀରେ ଆଶୋକ ଫୁଲରେ ପୂଜା ପାଇଲେ ମା’ଭଗବତୀ

 ଶ୍ରୀଗତିଶ୍ଵର ଦେବଙ୍କ ପୀଠ ଚଳଚଞ୍ଚଳ

ବାଣପୁର,୦୫/୦୪/୨୦୨୫ (ଓଡ଼ିଶା ସମାଚାର)- ରାମାୟଣ ପୁରାଣରେ ବର୍ଣ୍ଣିତ ରାବଣ ମାତା ସୀତାଙ୍କୁ ଅପହରଣ କରି ନିଜର ଅଶୋକ ବନର ଅଶୋକ ବୃକ୍ଷମୂଳରେ ନେଇ ରଖିଥିଲା । ଅଶୋକ ବୃକ୍ଷ ଏକ ଔଷଧୀୟ ବୃକ୍ଷ ,ଯାହାର ଛାୟା ଦେହରେ ପଡ଼ିଲେ ଏବଂ ଯାହାର ପୁଷ୍ପ ସେବନ କଲେ ଦୁଃଖଶୋକ ଲାଗେ ନାହିଁ ବୋଲି ବିଶ୍ୱାସ ଅଛି । ସେଥିପାଇଁ ମାତାସୀତା ପ୍ରଭୁ ଶ୍ରୀରାମଙ୍କୁ ନ ଦେଖି ଅତୀ ଶୋକାତୁର ଭାବରେ ସମୟ ଅତିବାହିତ କରୁଥିଲେ ମଧ୍ୟ ଅଶୋକ ପୁଷ୍ପସେବନ କରି ସେଥିରୁ ସେ ସୁରକ୍ଷିତ ରହିଥିଲେ ବୋଲି ରାମାୟଣ ଯୁଗରୁ ଏଯାବତ୍ ବିଶ୍ଵାସ ଚଳି ଆସିଛି ।

ସେହି ବିଶ୍ୱାସକୁ ଆଧାର କରି ମାତା ଭଗବତୀ ମଧ୍ୟ ଆଜି ଚୈତ୍ର ଶୁକ୍ଳ ଅଷ୍ଟମୀ ତିଥିରେ ପ୍ରଭୁଶ୍ରୀ ଗତିଶ୍ଵର ଦେବଙ୍କ ନିମନ୍ତ୍ରଣ ରକ୍ଷା କରି  ଶ୍ରୀ ଦକ୍ଷେଶ୍ଵର ଦେବ, ଶ୍ରୀ ଗୋପୀନାଥ ଦେବ ଏବଂ ଶ୍ରୀରଙ୍କ ନାଥଦେବଙ୍କୁ ସାଥିରେ ନେଇଥାଟ ପଟୁଆର ଆଲଟ, ଚାମର,ଛତ୍ର ତରାଶସହ ନିଯୋଗୀ ସେବାୟତଙ୍କ ସାଥିରେ ବାଣପୁରର ଦକ୍ଷିଣ ଦିଗ ଭାଲେରୀ ପାହାଡ଼ ପାଦଦେଶରେ ପ୍ରବାହିତ ଶାଳିଆନଦୀ କୂଳରେ ଥିବା ମାଳି ଗୋବିନ୍ଦପୁର ଗ୍ରାମର ଆରାଧ୍ୟ ଠାକୁର ଗତୀଶ୍ଵର ଦେବଙ୍କ ପୀଠକୁ ଯାତ୍ରା କରି ସେଠାରେ ବିଜେ କରିବାପରେ ପ୍ରଥମେ ପରିଚ୍ଛା ପୂଜକ କୃତ୍ତିବାସ ମହାପାତ୍ର ମା’ଙ୍କୁ ଚନ୍ଦନ, କଜ୍ଵଳ, ସିନ୍ଦୁର ,ପୁଷ୍ପ, ଦୀପ ଧୂପ ଏବଂ ଆଲଟ ସେବା କରାଇ ସ୍ୱାଗତ କରିବା ପରେ ପୀଠରେ ଆସନ ଉପରେ ବିଜେ କରାଇଥିଲୋ।

ତାପରେ ପଣସପତ୍ର ଠୋଲାରେ ଅଶୋକ ଫୁଲ ଏବଂ ଶୀତଳମଣୋହି ପଇଡ଼କୁ ଷୋଡ଼ଷ ଉପଚ଼ାରରେ ଧୂପ କରାଯାଇଥିଲା । ଏହିପରି ଦ୍ୱିତୀୟ ଧୂପପରେ ମା’ରାତିରେ ମନ୍ଦିର କାର୍ଯ୍ୟାଳୟ ତରଫରୁ ପ୍ରସ୍ତୁତ ନିଶଙ୍କୁଡ଼ି କାକରା ଓ ପଇଡ଼ଧୂପ ହୋଇ ପରଦିନ ସକାଳୁ  ବାହୁଡ଼ିବା ବେଳେ ବାଟରେ ପୂଜକ ସାଆନ୍ତ ପରୀଚ୍ଛାଙ୍କ ଦ୍ଵାରମାନଙ୍କରେ ପନ୍ତି ଖାଇ ପିତ୍ରାଳୟ ଦକ୍ଷେଶ୍ଵମନ୍ଦିରକୁ ବିଜେ କରିବେ । ମା’ଙ୍କ ପୀଠର ବାରମାସରେ ତେର ଯାତ୍ରା ମଧ୍ୟରୁ ଅଶୋକାଷ୍ଟମୀ ଏକ ବଡ଼ ଯାତ୍ରା । ବହୁକାଳ ପୂର୍ବରୁ ମା’ଭଗବତୀ ଏହିଦିନ ଦକ୍ଷିଣ ଦିଗରକ୍ଷାକାରିଣୀ ଭାଲେରୀ ପାହାଡ଼ ଗୁମ୍ଫାରେ ପୂଜିତା ଓଡ଼ିଶାର ଅନନ୍ୟ ଶକ୍ତିପୀଠ ଭଉଣୀନାରାୟଣୀଙ୍କ ପୀଠକୁ ଯାତ୍ରା କରି ସେଠାରେ ଏହିପରି ଅଶୋକ ଫୁଲ ଓ ଶୀତଳ ମଣୋହୀ ପଇଡ଼,କାକାରା ଭୋଗ ଲାଗି ହୋଇ ଆଗାମୀ ଶାରଦୀୟପର୍ବକୁ ମା’ନାରାୟଣୀଙ୍କୁ ନିମନ୍ତ୍ରଣ କରି ସାଥିରେ ମା’ଙ୍କ ଆଜ୍ଞାମାଳ ନେଇ ଫେରୁଥିବା କଥା ପ୍ରଚଳିତ କିମ୍ବଦନ୍ତୀରୁ ଜଣାପଡେ ।

ତତ୍କାଳୀନ ଖଲିକୋଟ ଗଡ଼ଯାତର ମର୍ଦ୍ଦରାଜ ରାଜପରିବାରଙ୍କ ଦ୍ୱାରା ଦୁଇ ଭଉଣୀଙ୍କ ସେବା ପୂଜାର ସମସ୍ତ ପ୍ରକାର ସୁ ବ୍ୟବସ୍ଥା କରାଯାଉଥିଲା। ପରବର୍ତ୍ତୀ ସମୟରେ ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ବ୍ରିଟିଶ ଶାସନକାଳରେ ରାଜାଙ୍କ ହାତରୁ ସମସ୍ତ କ୍ଷମତା ଚାଲିଯିବା ପରେ ଏହି ପରମ୍ପରାରେ ବ୍ୟତିକ୍ରମ ଘଟିବାରୁ ମା’ଙ୍କ ଏହି ପର୍ବରେ ମଧ୍ୟ ପରିବର୍ତ୍ତନ କରାଯାଇ କେବଳ ପରମ୍ପରା ବିଧି ରକ୍ଷା ନିମନ୍ତେ ଆଜିର ଏହି ବ୍ୟବସ୍ଥା ଶ୍ରୀଗତିଶ୍ଵର ଦେବଙ୍କ ପୀଠରେ ସଂପାଦନ କରାଯାଉଛି । ମା’ଙ୍କୁ ଆଜିର ପବିତ୍ର ଦିନରେ ଦର୍ଶନ କରି ମା’ଙ୍କ ଅଶୋକ ଫୁଲପ୍ରସାଦ ପାଇ ଜୀବନରେ ସମସ୍ଥ ଦୁଃଖଶୋକ ରୁ ରକ୍ଷା ପାଇବା ପାଇଁ ବାଣ ପୁର ତଥା ଆଖପାଖ ଅଞ୍ଚଳର ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ରାତି ସାରା ଯାତ୍ରା ପଡ଼ିଆରେ ସଂକାର୍ତ୍ତନ’ ଭଜନ ସମାରୋହ, ରାମ ନାଟକ, ଇତ୍ୟାଦି ସାଂସ୍କୃତିକ କର୍ଯ୍ୟକ୍ରମ ପରିବେଷଣର ବ୍ୟବସ୍ଥା ଗ୍ରାମବାସୀଙ୍କ ତରଫରୁ କରାଯାଇଛି I ଶୃଙ୍ଖଳା ରକ୍ଷା ପାଇଁ ମନ୍ଦିର ପ୍ରଶାସନ, ବାଣପୁର ଥାନା ଅଧିକାରୀ ରମେଶ କୁମାର ଦେବତା ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଥିବା କଥା କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ଠାରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *