ଯାଜପୁର ଜିଲ୍ଲାରେ ଓଡ଼ିଆରେ ନାମଫଳକ ଅଭିଯାନ ସଚେତନତା ପଦଯାତ୍ରା

ଯାଜପୁର,୦୪/୦୪/୨୦୨୫(ଓଡ଼ିଶା ସମାଚାର)-ରାଜ୍ୟ ସରକାର ଙ୍କ ତରଫରୁ ସାରା ରାଜ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ଓଡ଼ିଆ ପକ୍ଷ ପାଳନ ଓଡିଶା ଦିବସ ତଥା ଏପ୍ରିଲ ଏକ ତାରିଖରୁ ଆରମ୍ଭ ହୋଇ ମହାବିଷୁବ ସଂକ୍ରାନ୍ତି ତଥା ଏପ୍ରିଲ ଚଉଦ ତାରିଖ ପର୍ଯ୍ୟନ୍ତ ଜାରି ରହିଛି । ଏହି କ୍ରମରେ ଶ୍ରମ ବିଭାଗ ପକ୍ଷରୁ  ଯାଜପୁର ଜିଲ୍ଲାରେ ଆଜି (ତା ୦୪.୦୪.୨୦୨୫ ରିଖରେ)  ଦୋକାନ ଓ ବାଣିଜ୍ୟକ ପ୍ରତିଷ୍ଠାନ ଗୁଡିକରେ ଓଡ଼ିଆରେ ସ୍ପଷ୍ଟ ଭାବେ ନାମଫଳକ ଲେଖିବା ସମ୍ବନ୍ଧୀୟ ସଚେତନତା ପଦଯାତ୍ରା ତଥା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଏହି ସଚେତନତା ପଦଯାତ୍ରାକୁ ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡିଙ୍କ ନିର୍ଦ୍ଦେଶରେ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ସଚେତନତା ଅଭିଯାନ ତଥା ପଦଯାତ୍ରା ଯାଜପୁର ରୋଡ ରେଳ ଷ୍ଟେସନରୁ ଆରମ୍ଭ ହୋଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ,ଯାଜପୁର ରୋଡରେ ସମାପ୍ତ ହୋଇଥିଲା । ଏହି ଅବସରରେ ବାହାରି ଥିବା ରାଲିରେ ଯାଜପୁର ରେଞ୍ଜ ଯୁଗ୍ମ ଶ୍ରମ ଆୟୁକ୍ତ ଶିବ ଶଙ୍କର ମିଶ୍ର, ଯାଜପୁର ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତ ସତ୍ୟନାରାୟଣ ଆଚାର୍ଯ୍ୟ,ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସହକାରୀ ଶ୍ରମ ଅଧିକାରୀ ମାନେ ଯଥା ସଞ୍ଜିତ କୁମାର ଦେଓ, ସୁନନ୍ଦା ବିଶ୍ଵାଳ,ସୌମ୍ୟ ସୁନ୍ଦର ରାଉତରାୟ, ସୌମ୍ୟ ରଞ୍ଜନ ବେହେରା,ସ୍ମୃତି ରଞ୍ଜନ ପଣ୍ଡା, ରଚନା ସେଠି ପ୍ରମୁଖ ଯୋଗ ଦେବା ସହିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ ।

ଓଡ଼ିଆରେ ନାମ ଫଳକ ଲେଖିବା ସମ୍ବନ୍ଧୀୟ ଏକ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ଶୁଭାରମ୍ଭ କରିଥିଲେ ଯାହା ବ୍ୟାସନଗର ଏବଂ ଯାଜପୁର ପୌରସଂସ୍ଥାରେ ମାଇକ ଦ୍ଵାରା ସଚେତନ କରାଇବ । ବ୍ୟାସନଗର ମହାବିଦ୍ୟାଳୟର କଲେଜ ଛାତ୍ର ଏହି ପଦଯାତ୍ରାରେ ସାମିଲ ହେବା ସହିତ ବିଭିନ୍ନ ଶ୍ରମିକ ସଙ୍ଗଠନର କର୍ମକର୍ତ୍ତା, ନିର୍ମାଣ ଶ୍ରମିକ, ବ୍ୟାସନଗର ବାଣିଜ୍ୟକ ପ୍ରତିଷ୍ଠାନର କର୍ମକର୍ତ୍ତା ପ୍ଲାକାର୍ଡ ମାନ ଧରି ରାଲିରେ ସାମିଲ ହୋଇ ସବୁ ଦୋକାନ ଓ ବାଣିଜ୍ୟକ ପ୍ରତିଷ୍ଠାନରେ ନାମଫଳକ ଓଡ଼ିଆ ଭାଷାରେ ଅତ୍ୟନ୍ତ ସ୍ପଷ୍ଟ ଭାବେ ଲେଖିବାକୁ ପ୍ରୋତ୍ସାହିତ କରିଥିଲେ । ଶ୍ରମିକ ମାନଙ୍କୁ କାମକୁ ଯିବା ପୂର୍ବରୁ ରେଳଷ୍ଟେସନ ପାଖରେ ଏକତ୍ରିତ ହେଉଥିବା ଜାଗାରେ ମିଷ୍ଟାନ୍ନ ବଣ୍ଟନ କରିଥିଲେ ଯୁଗ୍ମ ଶ୍ରମ ଆୟୁକ୍ତ ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତ । ଏହି କାର୍ଯ୍ୟକ୍ରମରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାସନଗର ପୋଲିସ ପକ୍ଷରୁ ପଦେକ୍ଷପ ଗ୍ରହଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *