ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ ୨୦୨୫ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଜଗତସିଂପୁର ଜିଲ୍ଲାରେ  ଶୀଘ୍ର ସ୍ଥାପିତ ହେବ ମେଡିକାଲ କଲେଜ

ଚଳିତ ବର୍ଷ ଜଗତସିଂହପୁରରେ ସରକାରୀ ମହାବିଦ୍ୟାଳୟ ପ୍ରତିଷ୍ଠା ହେବ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଜିଲ୍ଲରେ Textile Production Unit ପ୍ରତିଷ୍ଠା ହେବ,  ପ୍ରାୟ ୨୦ ହଜାର ନିଯୁକ୍ତି

 ପାରାଦ୍ୱୀପ ହେବ ଆମ ରାଜ୍ୟର  ବିକାଶ ମୁକୁଟର ମଣି

ଜଗତସିଂହପୁର ଜିଲ୍ଲା ହେବ ରାଜ୍ୟ ବିକାଶର ଏକ ନମ୍ବର  ଗ୍ରୋଥ ଇଂଜିନ – ମୁଖ୍ୟମନ୍ତ୍ରୀ

ଜଗତସିଂହପୁର, ୦୩ /୦୪/୨୦୨୫ (ଓଡ଼ିଶା ସମାଚାର)-ଆଜି ଜିଲ୍ଲା ମହୋତ୍ସବ କଲ୍ଲୋଳ ର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଲେ ଯେ,ଜଗତସିଂହପୁର ଜିଲ୍ଲାକୁ ରାଜ୍ୟର ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ପାଇଁ ଆମର ଉଦ୍ୟମ ଜାରି ରହିଛି ।  ଜଗତସିଂହପୁରର ସର୍ବାଙ୍ଗୀନ ବିକାଶ କରିବା ହେଉଛି ଆମର ପ୍ରାଥମିକତା । ଏହା ଅତ୍ୟନ୍ତ ଖୁସିର ବିଷୟ ଯେ ଜଗତସିଂପୁର ଜିଲ୍ଲାରେ ବହୁତ ଶୀଘ୍ର ସ୍ଥାପିତ ହେବାକୁ ଯାଉଛି ମେଡିକାଲ କଲେଜ, ଯାହା ଫଳରେ ଭବିଷ୍ୟତରେ ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସମୃଦ୍ଧି ଘଟିବା ସହିତ ସମସ୍ତ ଜନସାଧାରଣ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଏକ ସରକାରୀ ମହାବିଦ୍ୟାଳୟ ପ୍ରତିଷ୍ଠା ହେବ ଏବଂ ଓଡିଶାର ଅନ୍ୟତମ ଶିଳ୍ପ ସମୃଦ୍ଧ ଅଞ୍ଚଳ ପାରାଦୀପ ହେବ ଆମ ରାଜ୍ୟର  ବିକାଶ ମୁକୁଟର ମଣି ସଦୃଶ । ଜଗତସିଂହପୁର ଜିଲ୍ଲା ପାଇଁ ଚଳିତ ଆର୍ଥିକ ବର୍ଷରେ ୨ ଲକ୍ଷ କୋଟି ରୁ ଉର୍ଦ୍ଧ୍ଵ ଟଙ୍କାର ବଜେଟ ରାଜ୍ୟ ସରକାର ମଂଜୁର କରିଛନ୍ତି, ଯାହା ଏହି ଅଂଚଳର ବିକାଶ ପାଇଁ ଖର୍ଚ୍ଚ ହେବ । ସରକାର ଯେଉଁ ପୋର୍ଟ ଲେଡ୍ ଡେଭଲପ୍‌ମେଣ୍ଟ୍‌ର ମୂଳଦୁଆ ପାଇଁ ବଜେଟ୍‌ରେ ପ୍ରସ୍ତାବ ଆଣିଛନ୍ତି ସେଥିରେ ପାରାଦ୍ୱୀପ ହେବ ଅଗ୍ରଣୀ । ଏଥିପାଇଁ ପାରାଦୀପ, ଚୌଦ୍ୱାର, ଅନୁଗୋଳ, ଢେଙ୍କାନାଳ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ରାଉରକେଲାକୁ ସଂଯୋଗ କରୁଥିବା ଏକ ଶିଳ୍ପ କରିଡର ବିକାଶ କରାଯିବ। ଆଧୁନୀକିକରଣ ଓ ଶିଳ୍ପ ବିକାଶର ଅକ୍ଷ ପାଲଟିବ ଓଡିଶାର ସର୍ବୋପୁରାତନ ବନ୍ଦର ପାରାଦୀପ ବନ୍ଦର।

ଜଗତସିଂହପୁର ଜିଲ୍ଲା ହେବ ରାଜ୍ୟର ଏକ ନମ୍ବର ଜିଲ୍ଲା ଯାହା ଆମ ସରକାରଙ୍କ ସମୃଦ୍ଧ ଓଡ଼ିଶାର ଜୟ ଯାତ୍ରାରେ ଗ୍ରୋଥ ଇଂଜିନ ଭାବେ କାର୍ଯ୍ୟ କରିବ। ରୋଜଗାର ବୃଦ୍ଧି ହେଲେ ହିଁ ଏକ ଅଂଚଳର ବିକାଶ ହୁଏ। ଏଣୁ ଆମ ସରକାର ନିଷ୍ପତ୍ତି ନେଇଛି ଯେ ଜଗତସିଂହପୁର ରେ ଏକ Textile Production Unit ପ୍ରତିଷ୍ଠା ହେବ ଯାହା ଏହି ଅଂଚଳର ପାଖାପାଖି ୨୦, ୦୦୦ ଜନସାଧାରଣଙ୍କୁ ନିଯୁକ୍ତି ଦେବ।

ଏହି ଜିଲ୍ଲାର ଐତିହ୍ୟର ପ୍ରତୀକ ମୃତ ଅଳକା ନଦୀର ପୁନଃରୁଦ୍ଧାର ପାଇଁ ମଧ୍ୟ ଆମ ସରକାର ଚେଷ୍ଟିତ ବୋଲି ମୁଖ୍ୟମନ୍ତ୍ରୀ କହି ଥିଲେ ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଗତ ପ୍ରାୟ ଦଶମାସ ହେଲା ଆମ ସରକାର ବିକାଶ କାର୍ଯ୍ୟକୁ ତ୍ବରାନ୍ୱିତ କରିଛନ୍ତି। ଆମ ସରକାର ବିକାଶ ସହିତ ଓଡିଆ ସଂସ୍କୃତି, ପରମ୍ପରା ଏବଂ ଓଡିଆ ଅସ୍ମିତାକୁ ନେଇ କାର୍ଯ୍ୟରତ। ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଆମ ସରକାର କିଛି ନା କିଛି ସଂଭାର ନେଇ ଆସିଛନ୍ତି। ଆମ ସରକାର ପ୍ରଥମ ଦିନରୁ ହିଁ ଜନତାଙ୍କ ହିତ ପାଇଁ କାର୍ଯ୍ୟ ଜାରି ରଖିଛି। ଶିକ୍ଷା ସ୍ୱାସ୍ଥ୍ୟ, ଗମନାଗମ, ଶିଳ୍ପ, ଗ୍ରାମ୍ୟ ଉନ୍ନୟନ, ଜୀବନ ଜୀବିକା, କୃଷି, ମହିଳା ସଶକ୍ତିକରଣ ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ଗତିରେ ବିକାଶର ଧାରା ବହି ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ।

ସେ କହିଥିଲେ ଯେ, ଓଡିଆ ଅସ୍ମିତାକୁ ଆଉ ପାଦେ ଆଗକୁ ନେଇ ଆମେ ବର୍ତ୍ତମାନ ପାଳନ କରୁଛୁ ‘ ଓଡିଆ ପକ୍ଷ’। ଚଉଦ ଦିନ ବ୍ୟାପୀ ଏହି ଉତ୍ସବରେ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି, ବେଶଭୁଷା, ଖାଦ୍ୟପେୟକୁ ସମ୍ମାନ ଦିଆଯାଇ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରାଯାଉଛି। ଆଜି ଓଡିଆ ହସ୍ତତନ୍ତ ପ୍ରସ୍ତୁତ ପୋଷାକ ପରିଧାନ ଦିବସ ପାଳିତ ହେଉଛି। ଆପଣମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ବ୍ୟକ୍ତିଗତ ଭାବେ ତଥା ସମୂହିକ ଭାବେ ସାମିଲ ହୁଅନ୍ତୁ।

ଏହି ଭୂମି, ଓଡ଼ିଆ ଭାଷା ସାହିତ୍ୟର ଯୁଗାନ୍ତକାରୀ ସ୍ରଷ୍ଟା ଆଦିକବି ସାରଳା ଦାସଙ୍କ ଜନ୍ମ ଭୂମି । ଜଗତସିଂହପୁର ମାଟିର କୃତୀ ସନ୍ତାନ, ଡ଼ଃ ପ୍ରାଣକୃଷ୍ଣ ପରିଜା ଦକ୍ଷ ଉଦ୍ଭିଦ ବିଜ୍ଞାନୀ ଭାବରେ ଖ୍ୟାତି ଅର୍ଜନ କରିବା ସହ ଉତ୍କଳ ବିଶ୍ବ ବିଦ୍ୟାଳୟର କୁଳପତି ଆସନ ଅଳଙ୍କୃତ କରି ଆନ୍ତର୍ଜାତିକ ସ୍ତରରେ ସୁନାମ ଅର୍ଜନ କରିଛନ୍ତି। ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏହି ଜିଲ୍ଲାରେ ପ୍ରତିଷ୍ଠିତ ଅଳକା ଆଶ୍ରମ ଭାରତ ଜାତୀୟ ମୁକ୍ତି ସଂଗ୍ରାମର ଏକ ଏନ୍ତୁଡ଼ିଶାଳ ଭାବରେ ଗଢି ଉଠିଥିଲା ଏବଂ ୧୯୪୨ ଭାରତଛାଡ଼ ଆନ୍ଦୋଳନରେ ଜୟପ୍ରକାଶ ନାରାୟଣ ଏଠାରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ତ୍ତ, ଆଇନ, ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, କଳା ଓ ସଂସ୍କୃତିର ମାଟି ଜଗତସିଂହପୁର ହେବ ଭାରତବର୍ଷର ସବୁଠାରୁ ଉତ୍କର୍ଷ ଜିଲ୍ଲା ଯାହା ଆମ ସରକାରର ବିକାଶର ଧାରାକୁ ତ୍ୱରାନ୍ୱିତ କରିବ।

ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ ଶିଳ୍ପର ବିକାଶରେ ଜଗତସିଂହପୁର ଜିଲ୍ଲାର ବିକାଶ ହେବ ଏବଂ ରାଜ୍ୟ ସରକାରଙ୍କ ସମୃଦ୍ଧ ଓଡିଶା ସ୍ବପ୍ନକୁ ସାକାର କରିବ।

ଉକ୍ତ କାର୍ଯ୍ୟକ୍ରମରେ ଜଗତସଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ର ପ୍ରଗତି ରେ ଯୁବପିଢୀ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ସଭାରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ, ପୌର ପରିଷଦ, ଜଗତସିଂହପୁର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ  ଯୋଗଦେଇ ଜିଲ୍ଲା ଉତ୍ସବ ତଥା ଜିଲ୍ଲା ପ୍ରତିଷ୍ଠା ର କୀର୍ତ୍ତି ଗାଥା ବିଷୟ ରେ କହିଥିଲେ ।

 କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ, ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ଧନ୍ୟବାଦ ଅର୍ପଣ କରିଥିଲେ।

କଲ୍ଲୋଳ ର ତୃତୀୟ ସଂଧ୍ୟା ରେ ପପୁ ପମପମ୍ ଙ୍କ କମେଡି ଦର୍ଶକ ଙ୍କୁ ବାନ୍ଧି ରଖିଥିଲା। ସେହିପରି ରୁକୁସନା ଓ ପ୍ରଜ୍ଞା ହୋତା ଙ୍କ ସୁମଧୁର ସଙ୍ଗୀତ ର ଯାଦୁ ସମସ୍ତଙ୍କୁ ବିମୋହିତ କରିଥିଲା।

କଲ୍ଲୋଳ ମହୋତ୍ସବ ରେ ଓରମାସ ପକ୍ଷରୁ ଆୟୋଜିତ ପଲ୍ଲୀଶ୍ରୀ ମେଳା ରେ ୧୫୦ ଷ୍ଟଲ୍ ମଧ୍ୟରେ ଖାଦ୍ୟ ଷ୍ଟଲ, ଜିଲ୍ଲା ତଥା ରାଜ୍ୟ ବାହାରୁ ଆସିଥିବା ଷ୍ଟଲ୍ ମାନଙ୍କରେ ପ୍ରଥମ ଦିନରେ ୬୮୫୦୨୪ ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ଦ୍ଵିତୀୟ ଦିନରେ ପ୍ରାପ୍ତ ସୂଚନା ଅନୁଯାୟୀ ୧୦୯୯୦୫୫ ଟଙ୍କାର ବ୍ୟବସାୟ ହୋଇଛି। ()

Leave a Reply

Your email address will not be published. Required fields are marked *