ଭୁବନେଶ୍ୱର,୨୯/୦୩/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-କୋରାପୁଟ ଜିଲା କୋଟିଆରେ ଆନ୍ଧ୍ର ସରକାରଙ୍କ ଅଧିକାରୀ, ଆନ୍ଧ୍ରର ବିଭିନ୍ନ ରାଜନୈତିକ ଦଳ ଅନୁପ୍ରବେଶ କରି ସେଠାକାର ଅଧିବାସୀମାନଙ୍କୁ ଆନ୍ଧ୍ର ସପକ୍ଷରେ ଆକର୍ଷିତ କରିବାକୁ ଉଦ୍ୟମ କରୁଛନ୍ତି । ଗତ ଦୁଇଦିନ ତଳେ କୋଟିଆର ନେରେଡିଭାଲାସା ଗ୍ରାମରେ ଆନ୍ଧ୍ରର ଅଧିକାରୀମାନେ ଅନୁପ୍ରବେଶ କରି ଗ୍ରାମବାସୀମାନଙ୍କର ଆଧାରକାର୍ଡ଼ ନବୀକରଣ କରିବା, ସେମାନଙ୍କୁ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରିବା ପାଇଁ ଶିବିର ପକାଇ କାମ କରୁଛନ୍ତି । ଜିଲା ପ୍ରଶାସନ ଏ ସବୁ ଜାଣି ମଧ୍ୟ ନୀରବ ରହୁଛନ୍ତି । ଦୁଇ ରାଜ୍ୟ ମଧ୍ୟରେ କୋଟିଆ ସମସ୍ୟାର ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦୁଇ ରାଜ୍ୟର ମୁଖ୍ୟ ସଚିବଙ୍କୁ ନେଇ ଏକ କମିଟି ଅଛି । କିନ୍ତୁ ଏକବର୍ଷ ହେବ ଏହି କମିଟି ବସିନାହିଁ ।
ଓଡ଼ିଶା ବିଧାନସଭାର ଏକ ଗୃହ କମିଟି ଥିଲେ ମଧ୍ୟ ତାହା କୋଟିଆ ଗସ୍ତ କଲେ ନାହିଁ । ଓଡ଼ିଶା ସରକାରଙ୍କ ଏହି ଉଦାସୀନତାର ସୁଯୋଗ ନେଇ ଆନ୍ଧ୍ର ସରକାର ଓ ତାଙ୍କ ଅଧିକାରୀମାନେ କୋଟିଆବାସୀଙ୍କୁ ପ୍ରଲୋଭିତ କରିବାରେ ଲାଗିଛନ୍ତି । ଆଗାମୀ ଦିନରେ ଆନ୍ଧ୍ର ସରକାର ଏକ ପାଣି ଟାଙ୍କି ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ତୁରନ୍ତ ପଦକ୍ଷେପ ନେବାକୁ ଓଡ଼ିଆ ଅସ୍ମିତା ପରିଷଦର ଆବାହକ ରବି ବେହେରା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଚଠି ଲେଖି ଅନୁରୋଧ କରିଛନ୍ତି । ଆବଶ୍ୟକ ହେଲେ ଏ ଦିଗରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କର ହସ୍ତକ୍ଷେପ ଦାବି କରି ଏକ ତ୍ରିପାକ୍ଷିକ ଆଲୋଚନା ଜରିଆରେ ଏହାର ସମାଧାନ କରିବାକୁ ଓଡ଼ିଆ ଅସ୍ମିତା ପରିଷଦ ତରଫରୁ ଦାବି କରାଯାଇଛି ।
