ଯାଜପୁର, ୨୭/୦୩/୨୦୨୫ (ଓଡ଼ିଶା ସମାଚାର)- ଚଳିତ ବର୍ଷ ବାରୁଣୀ ସ୍ନାନ ନିମନ୍ତେ ଜିଲ୍ଲା ସଦର ମହକୁମା ନିକଟସ୍ଥ ପୁଣ୍ୟତୋୟା ବୈତରଣୀ ନଦୀର ଦଶାଶ୍ବମେଧ ଘାଟ ନଦୀର ଉଭୟ ପାର୍ଶ୍ବ ଘାଟରେ ଆଜି ପ୍ରତ୍ୟୁଷରୁ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଏବଂ ଓଡ଼ିଶା ଓ ଓଡ଼ିଶା ବାହାରୁ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ନଦୀରେ ବୁଡ଼ ପକାଇବା ସହ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥିଲେ।

ଏଥି ନିମନ୍ତେ ଯାଜପୁର ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନର ମିଳିତ ଆନୁକୁଲ୍ୟରେ ଭକ୍ତ ଶ୍ରଦ୍ଧାଳୁ, ଆଧ୍ୟାତ୍ମିକ ଗୁରୁ ଓ ଯାତ୍ରୀ ମାନଙ୍କ ସୁବିଧା ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ବୈତରଣୀରେ ବୁଡ଼ ପକାଇବା ସ୍ଥାନ ଦଶାଶ୍ବମେଧ ଘାଟର ଉଭୟ ପାର୍ଶ୍ଵରେ ବାରିକେଡିଂ ବ୍ୟବସ୍ଥା କରାଯାଇଥିଲା। ଭକ୍ତ ଓ ଯାତ୍ରୀମାନେ ବାରିକେଡ଼ିଂର ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ସ୍ନାନ କରିବା ସହ ପିତୃପୁରୁଷଙ୍କୁ ପିଣ୍ଡଦାନ କରିସାରିବା ପରେ ପିଣ୍ଡ ସାମଗ୍ରୀ ଗୁଡ଼ିକୁ ପ୍ରଦୂଷଣ ରୋକିବା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇଥିଲେ।

ପ୍ରଶାସନ ତରଫରୁ ଆଲୋକିକରଣ ବ୍ୟବସ୍ଥା, ଯାତ୍ରୀମାନଙ୍କ ଯିବା ଆସିବା ନିମନ୍ତେ ଏକମୁଖୀ ରାସ୍ତା, ଯାତ୍ରୀ ମାନଙ୍କୁ ରୌଦ୍ରତାପରୁ ସୁରକ୍ଷା ନିମନ୍ତେ ଅସ୍ଥାୟୀ ଚାନ୍ଦୁଆ ବ୍ୟବସ୍ଥା, ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା, ବାୟୋ ଟଏଲେଟ୍ ବ୍ୟବସ୍ଥା, ସୂଚନା କେନ୍ଦ୍ର ଓ ପୋଲିସ କଣ୍ଟ୍ରୋଲ ରୁମ୍, ଅସ୍ଥାୟୀ ସ୍ବାସ୍ଥ୍ୟ ଚିକିତ୍ସା କେନ୍ଦ୍ର, ଆମ୍ବୁଲାନ୍ସ ସେବା, ନଦୀ ଗର୍ଭରେ ଅଗ୍ନିଶମ ସେବା ବିଭାଗ ତରଫରୁ ପାୱାର ବୋଟ ଓ ଉଦ୍ଧାରକାରୀ ଦଳ ମୁତୟନ କରାଯାଇଥିଲା। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯାଜପୁର ପୌର ପରିଷଦର ଅଧ୍ୟକ୍ଷା, ଉପାଧ୍ୟକ୍ଷ,ନିର୍ବାହୀ ଅଧିକାରୀ ଏବଂ କର୍ମଚାରୀମାନେ ବାରୁଣୀ ସ୍ନାନ କାର୍ଯ୍ୟକ୍ରମକୁ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିଥିଲେ।
