ଓଡ଼ଗାଁ,୨୬/୦୩/୨୦୨୫ (ଓଡ଼ିଶା ସମାଚାର)- ଓଡ଼ଗାଁ ବ୍ଳକ ଅନ୍ତର୍ଗତ ଆରଡ଼ା ପଞ୍ଚାୟତର ଉତ୍ସବ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର “ଆମ ସଂସ୍କୃତି ଆମ ଖେଳନା”ଆନୁକୂଲ୍ୟରେ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ସହିତ ଇକୋ କ୍ଳବର ବାର୍ଷିକ ଉତ୍ସବ ଏକ ସଙ୍ଗେ ପାଳନ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ୟାସୀ ନାହାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଆରଡ଼ା ପଞ୍ଚାୟତର ସରପଞ୍ଚ ସୁନିତା ସାହୁ ଯୋଗଦାନ କରିବା ସହିତ ସମ୍ମାନିତ ଅତିଥି ଭାବରେ ପରିଚାଳନା କମିଟିର ସମସ୍ତ ସଦସ୍ୟ, ପଞ୍ଚସଖା ଶିକ୍ଷାସେତୁର ସଭାପତି, ଆରଡ଼ା ଗ୍ରାମ କମିଟିର ସଭାପତି ଓ ସମ୍ପାଦକ, ନନ୍ଦିଘୋର କ୍ଲଷ୍ଟରର ସିଆରସିସି, ଅଙ୍ଗନବାଡ଼ି କର୍ମୀ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦାନ କରିଥିଲେ।
ବିଦ୍ୟାଳୟର ଦୁଇ ସହକର୍ମୀ ନୀଳମାଧବ ମହାରଣା ଓ ନାରାୟଣ ଡାକୁଆ ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ୟାସୀ ନାହାକ ତାଙ୍କ ବକ୍ତବ୍ୟରେ କହିଲେ କି ସାମ୍ପ୍ରତିକ ପ୍ରତିଯୋଗିତା ମୂଳକ ଶିକ୍ଷାବ୍ୟବସ୍ଥାରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ମୂଲ୍ୟବୋଧ ଭିତ୍ତିକ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଭଲ ମଣିଷ ଭାବରେ ଗଢି ତୋଳିବା ପାଇଁ ପରାମର୍ଶ ଦେବା ସହିତ ବିଦ୍ୟାଳୟରେ ପୂର୍ବରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ୭୦ ଜଣ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ତତ୍ ସହିତ ପ୍ରଥମ ସମାପ୍ତି ସୂଚକ ଆକଳନରେ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ପଞ୍ଚସଖା ଶିକ୍ଷାସେତୁ କାର୍ଯ୍ୟକ୍ରମ ଅଧିନରେ ଥିବା ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ସରପଞ୍ଚ ଙ୍କ ଦ୍ବାରା ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଇକୋ କ୍ଳବର ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ପରିଶେଷରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଦଳଗତ ନୃତ୍ୟ ପରିବେଷଣ କରାଯାଇଥିଲା। ଯାହାକି ସଭାରେ ଥିବା ପ୍ରାୟ ୩୦୦ ଜଣ ଦର୍ଶକ ମନଭରି ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଦେବାରେ ଶିକ୍ଷକ ଜଳନ୍ଧର ବେହେରା ଓ ଜୟନ୍ତୀ ଷଡ଼ଙ୍ଗୀ ଙ୍କ କାର୍ଯ୍ୟ ପ୍ରଶଂସନୀୟ। ଶେଷରେ ନୀଳମାଧବ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।
