ଗରଦପୁର,୨୬/୦୩/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ପାଟକୁରା ଥାନା ଅନତି ଦୂରରେ ଥିବା ଆରାଧ୍ୟ ଦେବତା କହ୍ନେଇଲାଲ ଜୀଉଙ୍କ ମନ୍ଦିର ପରିଚାଳନା ନିମିତ ରହିଥିବା ନ୍ୟାସ ମଣ୍ଡଳୀ ଗଠନ ହେବା ନେଇ ଅଚଳାବସ୍ଥା ଲାଗି ରହିଥିବାବେଳେ ଶ୍ରୀ ଜୀଉଙ୍କର ଲକ୍ଷାଧିକ ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର ମାନ କାନାରା ବ୍ୟାଙ୍କ ଲକର ରୁ ବାହାରି ପାରୁନଥିଲା ।
ଫଳରେ ଶ୍ରୀ କହ୍ନେଇଲାଲ ଜୀଉ ଗତ ୩ ବର୍ଷ ଧରି ଦୋଳ ଉତ୍ସବରେ ସ୍ୱର୍ଣ୍ଣବେଶ ଧାରଣ କରି ନିଜର ଅଗଣିତ ଭକ୍ତ ମାନଙ୍କୁ ଦର୍ଶନ ଦେଇ ପାରୁନଥିଲେ । ଏ ନେଇ ଓଡ଼ିଶା ସମାଚାର ରେ ଅନୁସନ୍ଧାନ ମୂଳକ ଖବର ପ୍ରସାରଣ କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ଦେବୋତର କମିଶନର ଭୁବନେଶ୍ୱର , ଅତିରିକ୍ତ ସହକାରୀ ଦେବୋତର କମିଶନର କଟକ ଙ୍କ ଚିଠି ନଂ-୨୪୨ ଆଧାରରେ ତତକାଳ ଏକ ମଧ୍ୟବର୍ତି କାଳିନ ନ୍ୟାସ ମଣ୍ଡଳୀ ଗଠନ କରି (ଓଏଚଆରଇ ୧୯୫ /ଧାରା ୭ ମୁତାବକ )ଗରଦପୁର ତହସିଲଦାରଙ୍କୁ ଜଣିକିଆ ମୁଖ୍ୟ ଟ୍ରଷ୍ଟି ଭାବେ ଗୋଟିଏ ବର୍ଷ ପାଇଁ ନିଯୁକ୍ତ କରାଯାଇଛି ।
ଏହା ସହିତ ପୂର୍ବତନ ମୁଖ୍ୟ ନ୍ୟାସି ଙ୍କ ଠାରୁ ସମସ୍ତ ଦାୟିତ୍ୱ ନେବାକୁ ଚିଠିରେ ନିର୍ଦ୍ଧେଶ ପ୍ରଦାନ କରାଯାଇଛି । ଏହା ଜଣାପଡ଼ିବା ପରେ ସାଧାରଣରେ ଖୁସିର ବାତାବରଣ ସୃଷ୍ଟି ହୋଇଛି । ଆଗାମି ଦିନରେ ଶ୍ରୀ ଜୀଉଙ୍କ ମନ୍ଦିର ପରିଚାଳନା କ୍ଷେତ୍ରରେ ତହସିଲଦାର ଉପଯୁକ୍ତ ଦୃଷ୍ଟି ଦେବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।
