ଅଖିଳ ଭାରତୀୟ ଅଙ୍ଗନୱାଡି କର୍ମଚାରୀ ମହାସଂଘର ୧୦ମ ତ୍ରୟବାର୍ଷିକ ଅଧିବେଶନ

 କଟକ,୨୬/୦୩/୨୦୨୫ (ଓଡ଼ିଶା ସମାଚାର/ ଦେବାଶିଷ ରଥ)- ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଅଖିଳ ଭାରତୀୟ ଅଙ୍ଗନୱାଡି କର୍ମଚାରୀ ମହାସଂଘର ୧୦ମ ତ୍ରୟବାର୍ଷିକ ଅଧିବେଶନ ଗତିରାଉତପାଟଣା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅଖିଳ ଭାରତୀୟ ଅଙ୍ଗନୱାଡ଼ି କର୍ମଚାରୀ ମହାସଂଘର ସର୍ବଭାରତୀୟ ସଭାପତି ଶ୍ରୀମତୀ ଶୀତଲ କରଲ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଅଧିବେଶନରେ ୨୭ ଗୋଟି ରାଜ୍ୟରୁ ପ୍ରାୟ ୫ ଶହରୁ ଉର୍ଦ୍ଧ୍ବ ମହିଳା ଅଙ୍ଗନୱାଡୀ କର୍ମୀମାନେ ଯୋଗ ଦେଇଥିଲେ ।

ଏହି ଅଧିବେଶନରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଜ୍ୟ ତଥା ଦେଶରେ ମହିଳା ମାନଙ୍କୁ ଯତ୍ନନେବା ସହ ଶିଶୁମୃତ୍ୟୁ ହାର ହ୍ରାସ କ୍ଷେତ୍ରରେ ଅଙ୍ଗନଓ୍ବାଡି ମହିଳା କର୍ମଚାରୀମାନଙ୍କ ଗୁରୁତ୍ଵପୂର୍ଣ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଭାରତୀୟ ମଜଦୂର ସଂଘ ର ସର୍ବଭାରତୀୟ ସଭାପତି ହିରଣ୍ୟମୟ ପାଣ୍ଡୀୟା, ସମ୍ମାନିତ ଅତିଥି ଭାବେ ଭାରତୀୟ ମଜଦୁର ସଂଘର କେନ୍ଦ୍ରୀୟ କର୍ମକର୍ତା ସୁରେନ୍ଦ୍ର କୁମାର ପାଣ୍ଡେ ଓ ଗଣେଷ ମିଶ୍ର ପ୍ରମୁଖ ଯୋଗଦେଇ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ଅଲ ଓଡିଶା ଅଙ୍ଗନୱାଡୀ ଲେଡ଼ିଜ ୱାକରସ ଆସୋସିଏସନର ରାଜ୍ୟ ସଭାପତି ସୁମିତ୍ରା ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଙ୍ଗନୱାଡୀ ସଂଗଠନର ସର୍ବଭାରତୀୟ ସାଧାରଣ ସମ୍ପାଦିକା ଶର୍ମିଷ୍ଠା ବେନ ଯୋଶୀ ମହାସଂଘ ର ବାର୍ଷିକ ରିପୋର୍ଟ ଉପସ୍ଥାପନ କରି ଅଙ୍ଗନୱାଡୀ ମହିଳା କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅତିଥି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଭାରତୀୟ ମଜଦୂର ସଂଘ ର ଓଡିଶା ରାଜ୍ୟର ସଂସ୍ଥାପକ ଶ୍ରୀ ସରୋଜ କୁମାର ମିତ୍ର, ଭାରତୀୟ ମଜଦୂର ସଂଘ ର ରାଜ୍ୟ ସଭାପତି ବାଦଲ ମହାରଣା, ରାଜ୍ୟ ସାଧାରଣ ସମ୍ପାଦକ ପୃଥୀରାଜ ପଣ୍ଡା, ଭାରତୀୟ ମଜଦୂର ସଂଘ ର ସର୍ବ ଭାରତୀୟ ସମ୍ପାଦିକା ଅଞ୍ଜଳି ପଟେଲ, ବରିଷ୍ଠ ସଦସ୍ୟ ବସନ୍ତ କୁମାର ସାହୁ, ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାକର୍ସ ଆସୋସିଏସନ ରାଜ୍ୟ ସାଧାରଣ ସମ୍ପାଦିକା କୁଞ୍ଜଲତା ଦାସ ପ୍ରମୁଖ ଯୋଗଦେଇ ଦେଶର କାର୍ଯ୍ୟରତ ଅଙ୍ଗନୱାଡୀ କର୍ମୀଙ୍କୁ ସରକାରୀ ମାନ୍ୟତା ଯୋଗଇଦେବା ସହ ସାମାଜିକ ସୁରକ୍ଷା, ବେତନ ବୃଦ୍ଧି, ପେନସନ, ଗ୍ରାଚ୍ୟୁଟି ଆଦି ଯୋଗଇ ଦେବା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *