ଜଗତସିଂହପୁର,୨୧/୦୩/୨୦୨୫ (ଓଡ଼ିଶା ସମାଚାର)- ବିଗତ ବର୍ଷ ମାନଙ୍କରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ରେ ରଖି, ଚଳିତ ବର୍ଷ ସମ୍ଭାବ୍ୟ ରୌଦ୍ରତାପ ଜନିତ ଅଂଶୁଘାତ ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ । ପ୍ରଖର ଖରାରେ କାର୍ଯ୍ୟରତ ଶ୍ରମିକମାନେ ରୌଦ୍ରତାପ ଜନିତ ଅଂଶୁଘାତ, ଜଳହୀନତା, ରକ୍ତରୁ ଲବଣତା ହ୍ରାସ ଓ ଜ୍ବର ଇତ୍ୟାଦି ରୋଗର ଶିକାର ହେବାର ସମ୍ଭାବନା ଯଥେଷ୍ଟ ଅଧିକ ।
ଏହି ପରିପ୍ରେକ୍ଷୀରେ ଏପ୍ରିଲ ୨୦୨୫ ଠାରୁ ୧୫ ଜୁନ ୨୦୨୫ ପର୍ଯ୍ୟନ୍ତ, ସମସ୍ତ ବାଣିଜ୍ୟ ଓ ଶିଳ୍ପ ସଂସ୍ଥା କର୍ତ୍ତୃପକ୍ଷ, ବ୍ୟବସାୟ ପ୍ରତିଷ୍ଠାନର ମାଲିକ, ଠିକାଦାର ଓ ଅନ୍ୟାନ୍ୟ ଘରୋଇ ନିଯୁକ୍ତିଦାତାମାନେ ସେମାନଙ୍କ ଅଧିନରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ପ୍ରତ୍ୟେହ ପୂର୍ବାହ୍ନ ୧୧ ଘଟିକା ଠାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ବାହାରେ/ଖରାରେ କାର୍ଯ୍ୟରେ ଲଗାଇପାରିବେ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଆବଶ୍ୟକସ୍ଥଳେ ସେମାନେ କାର୍ଯ୍ୟ ନିର୍ଘଣ୍ଟର ସମୟ ପରିବର୍ତ୍ତନ କରି ପାରିବେ ।ଯଦି କୌଣସି କାର୍ଯ୍ୟ ଅତ୍ୟନ୍ତ ଜରୁରୀ ମନେହୁଏ କିମ୍ବା ଅତ୍ୟାବଶ୍ୟକୀୟ ସେବା ସହ ଜଡିତ ଯେଉଁଥରେ କି ଶ୍ରମିକମାନଙ୍କୁ ଉପରୋକ୍ତ ସମୟ ପାଇଁ ବିଶ୍ରାମ ଦିଆଯାଇ ପାରିବ ନାହିଁ ତେବେ ଉପରୋକ୍ତ ନିଯୁକ୍ତିଦାତାମାନେ ଶ୍ରମିକମାନଙ୍କୁ ସମ୍ଭାବ୍ୟ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା କରିବା ନିମନ୍ତେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବେ ।
ଯେପରିକି ,ଶୀତଳ ପାନୀୟ ଜଳର ବ୍ୟବସ୍ଥା , ଛାୟା ପ୍ରଦାନ ନିମନ୍ତ ଉପଯୁକ୍ତ ବ୍ୟବସ୍ଥା ,ସ୍ବାସ୍ଥ୍ୟ ସେବା ପାଇଁ ଡାକ୍ତରୀ ଚିକିତ୍ସାର ବ୍ୟବସ୍ଥା,ପ୍ରତ୍ୟେକ ଶ୍ରମିକ ଙ୍କ ପାଇଁ ଓ.ଆର.ଏସ୍. ପ୍ୟାକେଟ୍ର ବ୍ୟବସ୍ଥା ଆଦି କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ଉପରୋକ୍ତ ନିର୍ଦ୍ଦେଶାବଳୀ ଗୁଡିକ ସତର୍କତା ମତେ ପାଳନ କରିବାରେ କୌଣସି ନିଯୁକ୍ତିଦାତା ଖିଲାପ କଲେ, ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
