ଜଳବାୟୁ ସହନଶୀଳତା ଉପରେ ଗୁରୁତ୍ୱ
ଭୁବନେଶ୍ୱର, ୧୪/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ନିରନ୍ତରତା ଭିତ୍ତିରେ କାର୍ଯ୍ୟକାରୀ ହେଉଥିବା ସ୍ଥାୟୀ ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କିତ ଏକ ବୈଠକ ଗତ ବୁଧବାର ରାଜ୍ୟ ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠଙ୍କ ସମେତ ସଂପୃକ୍ତ ବିଭିନ୍ନ ଅଂଶୀଦାର ବିଭାଗର ନିର୍ଦ୍ଦେଶକ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ବିଭାଗର କର୍ମ କର୍ତ୍ତାମାନଙ୍କୁ ଏହି ପ୍ରକଳ୍ପ କାର୍ଯ୍ୟକାରିତା ନେଇ ସମନ୍ୱୟକୁ ପ୍ରଭାବୀ କରାଇବା ଏବଂ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ବ୍ୟୟ ବୃଦ୍ଧି ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ।
ଜଳବାୟୁ ସହନଶୀଳ କୃଷି ପାଇଁ ଓଡ଼ିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ (ଓଆଇଆଇପିସିଆରଏ) ଅଧୀନରେ ଚୟନ କରାଯାଇଥିବା ୧୫ଟି ଜିଲ୍ଲାର ୫୩୮ଟି କ୍ଷୁଦ୍ର ଜଳସେଚନ ଟ୍ୟାଙ୍କ, ପୋଖରୀ ବା ଜଳାଶୟରେ ବିଭିନ୍ନ ଜଳବାୟୁ ସ୍ମାର୍ଟ କାର୍ଯ୍ୟକ୍ରମ ଦ୍ୱାରା ଯେଉଁ ଉଲ୍ଲେଖନୀୟ ପ୍ରଭାବ ପକାଇଛି, ସେ ସମ୍ପର୍କରେ ଉପସ୍ଥାପନ କରାଯାଇଥିଲା ।
ମୁଖ୍ୟ କାର୍ଯ୍ୟ ମଧ୍ୟରେ ସିଭିଲ କାର୍ଯ୍ୟ ଯଥା ଡ୍ୟାମ୍ ପ୍ରୋଫାଇଲର ପୁନଃ ବିଭାଗକରଣ; ୧୫୭ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ପଥର ପୁନଃ ପ୍ୟାକିଂ ଜରିଆରେ ଡ୍ୟାମକୁ ସୁଦୃଢ଼ କରିବା ପାଇଁ ଟର୍ଫିଂ କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ କମାଣ୍ଡ ଅଞ୍ଚଳର ୪୫୦୦ ହେକ୍ଟରକୁ ଜଳସେଚନ ଜଳ ପହଞ୍ଚାଇବା ପାଇଁ ୧୮୯ କିମି କ୍ଷେତ୍ର ପ୍ରଣାଳୀ ନିର୍ମାଣ କରାଯାଇଛି ।
ଭାଗିଦାରୀକୃଷି ଯାନ୍ତ୍ରୀକରଣ ପାଇଁ ଟ୍ୟାଙ୍କ ଅଂଚଳର ପାଣି ପଞ୍ଚାୟତମାନଙ୍କୁ ୧୧୩ଟି କଷ୍ଟମ ହାୟାରିଂ ସେଣ୍ଟର ସହାୟତା ପ୍ରଦାନ କରାଯାଇଛି ।
ଜଳବାୟୁ ସ୍ମାର୍ଟ ଏଗ୍ରିକଲଚର ଏବଂ ଉଦ୍ୟାନ କୃଷି ପଦ୍ଧତି ଆପଣେଇବା ପାଇଁ ୬୧୮୦ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ଯୋଗାଇବା ପାଇଁ ୧୨୩୬ଟି ସୌର ନଳକୂପ; ଅମଳ ପରେ ପନିପରିବା ପ୍ରକ୍ରିୟାକରଣ, ଗ୍ରେଡିଂ, ସଂରକ୍ଷଣ ପାଇଁ ୬୮୮ ପ୍ୟାକ୍ ହାଉସ୍; ଅମଳ ପରବର୍ତ୍ତୀ କ୍ଷତିକୁ ଏଡ଼ାଇବା ଏବଂ ବଜାର ମୂଲ୍ୟର ଉତ୍ତମ ଉପଲବ୍ଧି ପାଇଁ ୧୨୫ ମେଟ୍ରିକ୍ ଟନ୍ କ୍ଷମତାର ଶୀତଳ କୋଠରୀ ବ୍ୟବସ୍ଥା; ଶୁଖିବା, କ୍ୟାନିଂ, ଫ୍ରିଜିଂ କିମ୍ବା ଅନ୍ୟ ସଂରକ୍ଷଣ ପଦ୍ଧତି ମାଧ୍ୟମରେ ମୂଲ୍ୟ ବୃଦ୍ଧି ପାଇଁ ୫୯୨ ସଂରକ୍ଷଣ ୟୁନିଟ୍; ପନିପରିବା ସଂରକ୍ଷଣ ଏବଂ ଅଭାବୀ ବିକ୍ରିକୁ ଏଡ଼ାଇବା ପାଇଁ ୧୩୧ଟି ପରିବା (ସବ୍ଡି) କୁଲର ଏବଂ ଉପଭୋକ୍ତାଙ୍କୁ ନିୟମିତ ଯୋଗାଣ ବୃଦ୍ଧି ଏବଂ ମୂଲ୍ୟ ଅସ୍ଥିରତାକୁ ନିୟନ୍ତ୍ରଣ କରିବା ପାଇଁ ୩୪୪ଟି ପିଆଜ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି ।
ଏହାବ୍ୟତୀତ ମାଛ ଉତ୍ପାଦନ ବୃଦ୍ଧି ପାଇଁ ମହିଳା ଏସଏଚଜି/ପିଏଫସିଏସ/ ପାଣିପଞ୍ଚାୟତମାନଙ୍କୁ ୮୪୬.୨୭ ହେକ୍ଟର ଜମିରେ ବୈଜ୍ଞାନିକ ମତ୍ସ୍ୟ ଚାଷକୁ ସମର୍ଥନ କରାଯାଇଛି ।
କମ୍ ଅଞ୍ଚଳରେ ଏକାଧିକ ପ୍ରଜାତି ଚାଷ ପାଇଁ ୫୧୮ ଟି ଜୈବ-ଫ୍ଲକ ୟୁନିଟ୍; ଉତ୍ତମ ଏବଂ ଠିକ୍ ସମୟରେ ମାଛ ଅମଳ ପାଇଁ ୨୯୭ ଟି ମାଛଧରା ଡ୍ରାଗ ଜାଲ; ଦ୍ରୁତ ବଜାର ସୁବିଧା ପାଇଁ ୫୭ଟି ମାଛ ମାର୍କେଟିଂ ଗାଡି ସହାୟତା ଦିଆଯାଇଛି ।
ଏହାବ୍ୟତୀତ ମାଟିରେ ୧୦.୮୮ ଲକ୍ଷ କେଜି ନାଇଟ୍ରୋଜେନ୍ ସାର ମିଶାଯାଇଛି । ୧୩୬୦୪ ହେକ୍ଟର ଜମିରେ ସବୁଜ ସାର ମାଧ୍ୟମରେ ୨୩୬.୭୧ କିଲୋଗ୍ରାମ ଅଙ୍ଗାରକାମ୍ଳ ନିଷ୍କାସନ ଏବଂ ୬୮୯୫ ହେକ୍ଟରରେ ଶୁଖିଲା ଡିଏସଆର ଗ୍ରହଣ କରି ୧.୯୨ ଲକ୍ଷ କିଲୋଗ୍ରାମ ମିଥେନ୍ ନିର୍ଗମନ ହ୍ରାସ ପାଇଛି ।
-0-
ପଠାଣି ରାଉତ ,ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ