‘ରୁଦ୍ରାକ୍ଷ’ ଫାଉଣ୍ଡେସନ ପକ୍ଷରୁ ଶିଳ୍ପୀମାନଙ୍କ ଦ୍ୱାରା ‘ନବଦୁର୍ଗା’ ପରିବେଷଣ
ଭୁବନେଶ୍ୱର,୧୨/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-କଳା ଓ ସଂସ୍କୃତି ପାଇଁ ସମର୍ପିତ ଓଡ଼ିଶୀ ନୃତ୍ୟାନୁଷ୍ଠାନ ‘ମୋକ୍ଷ’ ପକ୍ଷରୁ୧୦ମ ଅଭିଳାଷା ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ( ଓଡ଼ିଶୀ ଡ୍ୟାନ୍ସ ଗୃପ କୋରିଓଗ୍ରାଫି) ଗତ ସୋମବାର ସଂଧ୍ୟାରେ ସ୍ଥାନୀୟ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ମୋକ୍ଷ ଅନୁଷ୍ଠାନର ଅଧ୍ୟକ୍ଷା ଡଃ. ସୁଜାତା ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କୃତ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ସ୍ନେହପ୍ରଭା ସାମନ୍ତରାୟ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କୃତ ଓଡ଼ିଶୀ ନୃତ୍ୟ ଗୁରୁ ବ୍ରଜ କିଶୋର ମଲ୍ଲିକ ଏବଂ ଗୁରୁ ଶ୍ରୀ ଗଜେନ୍ଦ୍ର କୁମାର ପଣ୍ଡା, ଓଡ଼ିଶୀ ନୃତ୍ୟ ବିଶାରଦ ଗୁରୁ ଜ୍ୟୋତି ରାଉତ, ଉତ୍କଳ ସଂଗୀତ ମହା ବିଦ୍ୟାଳୟର ଅଧ୍ୟାପକ ତଥା ଓଡ଼ିଶୀ ଶାସ୍ତ୍ରୀୟ ସଂଗୀତ ବିଶାରଦ ଗୁରୁ ନିମକାନ୍ତ ରାଉତରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।
କାର୍ଯ୍ୟକ୍ରମରେ ବିଭିନ୍ନ ଦଳଗତ ନୃତ୍ୟ ମଧ୍ୟରେ ଗୁରୁ ପଦ୍ମଶ୍ରୀ ସ୍ୱର୍ଗତ ପଙ୍କଜ ଚରଣ ଦାସଙ୍କ ନୃତ୍ୟ ନିର୍ଦ୍ଦେଶନାଏବଂ ସ୍ୱର୍ଗତ ଗୁରୁ ଶ୍ରୀ ହରିହର ପଣ୍ଡାଙ୍କ ରଚନାରେ ଅଗ୍ରଣୀ ଓଡ଼ିଶୀ ନୃତ୍ୟ ପ୍ରତିଷ୍ଠାନ ‘ରୁଦ୍ରାକ୍ଷ’ ଫାଉଣ୍ଡେସନ ପକ୍ଷରୁ ଶିଳ୍ପୀମାନେ ‘ନବଦୁର୍ଗା’ ପରିବେଷଣ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଅନୁଷ୍ଠାନ ତରଫରୁ ପ୍ରଶାନ୍ତ କଅଁର, ବିଶ୍ୱଜିତ୍ ଜେନା, ଲୋପାମୁଦ୍ରା ସାହୁ, ଅଭିପ୍ସା ବିଶ୍ୱାଳ ଏବଂ ସୁଜାତା ରାଉତଙ୍କ ଦ୍ୱାରାଏହି ନୃତ୍ୟ ପରିବେଷଣ ଅତ୍ୟନ୍ତ ଉଚ୍ଚକୋଟୀର ପରିଲକ୍ଷିତ ହୋଇଥିଲା ।
ପ୍ରକାଶଥାଉକି ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରରୁ ତ୍ରିଧାରା, ଭାରତୀ ନୃତ୍ୟମନ୍ଦିର, ନିର୍ଝର ଏକାଡେମୀ,ମୋକ୍ଷ, ଗୁରୁ ମୀନାକ୍ଷୀ ବେହେରା ଓ ସାଥୀ ଏବଂ ରୁଦ୍ରାକ୍ଷ ଫାଉଣ୍ଡେସ ସମେତଜ୍ୟୋତି କଳା ମନ୍ଦିର (ଆମେରିକା), ନୃତ୍ୟଶ୍ରୀ (କରଞ୍ଜିଆଏବଂ ଭୁବନେଶ୍ୱର) ଏବଂ ଆଦୃତା ( ରାଓ୍ୱା ଏକାଡେମୀ) ପ୍ରମୁଖ ବିଭିନ୍ନ୧୦ଟି ଅନୁଷ୍ଠାନ ତରଫରୁ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ ଦର୍ଶକମାନଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲା । ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାରରେ ମୋକ୍ଷ ଅନୁଷ୍ଠାନର ପ୍ରୟାସକୁ ଦର୍ଶକମାନେ ପ୍ରଶଂସା କରିଥିଲେ ।କାର୍ଯ୍ୟକ୍ରମକୁ ରାଜଶ୍ରୀ ପ୍ରିୟଦର୍ଶିନୀ ଓ ରତ୍ନା ମହାନ୍ତି ସଂଯୋଜନା କରିଥିଲେ ।