ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନ୍ତର୍ରାଷ୍ଟ୍ରୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର,୧୨/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନ.ଆଇ.ସି), ଭୁବନେଶ୍ୱର ଆନୁକୁଲ୍ୟରେ ଆଜି ଅପରାହ୍ନରେ ଅନ୍ତର୍ରାଷ୍ଟ୍ରୀୟ ମହିଳା ଦିବସ ପାଳିତ ହୋଇଯାଇଅଛି। ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ,ଭୁବନେଶ୍ୱରର  ଅର୍ଥନୀତି ବିଭାଗର ପ୍ରାଧ୍ୟାପିକା ଡଃ ମିତାଲୀ ଚିନାରା ଏବଂ ଖ୍ୟାତନାମା ଓଡିଶୀ ନୃତ୍ୟାଙ୍ଗନା ଶ୍ରୀମତୀ ସୁଜାତା ମହାପାତ୍ର ଅତିଥି ଭାବରେ ଯୋଗ ଦେଇମହିଳା ସଶକ୍ତିକରଣ ତଥା ଲିଙ୍ଗଗତ ସମାନତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ସମାଜର ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ କିପରି ଆଗକୁ ଅଗ୍ରସର ହେଉଛନ୍ତି ତଥା ସେମାନେ କିଭଳି ଭାବରେ ପରିବାର ଏବଂ ସମାଜର ଦାୟିତ୍ଵ ବହନ ସହିତ ନିଜ ନିଜ ରୁଚିକୁ ସମ୍ପାଦନ କରିପାରିବେ, ଅତିଥିମାନେ ଏହା ଉପରେ ବିଶେଷ ଆଲୋଚନା  କରିଥିଲେ।

ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ରର  ଉପ ମହାନିର୍ଦ୍ଦେଶକ ତଥା ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ଡଃ ଅଶୋକ କୁମାର ହୋତା ନିଜର ଅଭିଭାଷଣରେଏନ.ଆଇ.ସି.ରେ ମହିଳା ଅଧିକାରୀମାନଙ୍କର ଯୋଗଦାନ ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭିକ ସ୍ଵାଗତ ଭାଷଣରେ ବରିଷ୍ଠ ଅଧିକାରୀ ସୁଶ୍ରୀ ସୁଜାତା ଦାସ ୨୦୨୫ ଅନ୍ତର୍ରାଷ୍ଟ୍ରୀୟ ମହିଳା ଦିବସର ବିଷୟବସ୍ତୁ ‘ସମସ୍ତ ମହିଳା ଏବଂ ବାଳିକା ମାନଙ୍କ ପାଇଁ: ଅଧିକାର, ସମାନତା, ସଶକ୍ତିକରଣ’ ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ମହିଳା ଅଧିକାରୀମାନେଏକ ଖାଦ୍ୟ ଉତ୍ସବର ଆୟୋଜନ କରିଥିଲେ ତଥା ରଙ୍ଗୋଲି, ଝୋଟି, ଚିତ୍ରାଙ୍କନ ଆଦି ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।ଏହା ପୂର୍ବରୁ ଗତ ୮ ତାରିଖରେ ମହିଳା ଅଧିକାରୀମାନଙ୍କ ଦ୍ଵାରା ଭୁବନେଶ୍ୱରସ୍ଥିତ ମୁଖ୍ୟାଳୟରୁ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ଏକ ମାରାଥନର ମଧ୍ୟ ଆୟୋଜନ କରାଯାଇଥିଲା ଏବଂ ଏଥିରେ ସମସ୍ତେ ଉତ୍ସାହପୂର୍ବକ ଯୋଗଦାନ କରିଥିଲେ। ଅତିଥିମାନେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୁତ କରିଥିଲେ। କାର୍ଯ୍ୟକ୍ରମକୁ ସୁଶ୍ରୀ ସ୍ନିଗ୍ଧା ଆଚାର୍ଯ୍ୟ, ସରିତା ସାହୁ, ମମତା ଖମାରି, ହେମଲତା ସାହ, ଏସ୍ ସ୍ମିତା ଓ ଅନ୍ୟ ଅଧିକାରୀମାନେ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *