ଯାଜପୁର,୦୩/୦୩/୨୦୨୫ (ଓଡ଼ିଶା ସମାଚାର)- ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଜିଲ୍ଲାପାଳ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହର ସଫଳ ମୁକାବିଲା ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀମାନେ ଆଶୁ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗ୍ରାମୀଣ ଜଳ ଓ ପରିମଳ ଡିଭିଜନ ପ୍ରାଣୀ ସମ୍ପଦ କାର୍ଯ୍ୟାଳୟ, ପ୍ରତ୍ୟେକ ବ୍ଲକ୍ ଓ ତହସିଲରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲା ରହିବ। ସମସ୍ତ ଅଚଳ ନଳକୂପର ମରାମତି ସହିତ ପାଇପ ୱାଟର ସପ୍ଲାଏ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମ୍ୟ ଜଳ ଯୋଗାଣ ବିଭାଗ, ବ୍ଲକ୍ ପ୍ରଶାସନ, ଜନସ୍ବାସ୍ଥ୍ୟ ବିଭାଗ ଓ ପୌର ପ୍ରଶାସନ ପାନୀୟ ଜଳ ଯୋଗାଣ ପାଇଁ ତତ୍ପର ହେବା ସହ ଅଚଳ ନଳକୂପ ଓ ପାଇପ ଲାଇନ୍ ଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା, ଅଧିକ ସଂଖ୍ୟକ ଟ୍ୟାଙ୍କର ଯୋଗାଡ଼ କରି ରଖିବା ସହ ଜଳ ସମ୍ପର୍କିତ ଯେଭଳି କୌଣସି ଅଭିଯୋଗ ନ ଆସେ ସେଥି ପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ବ୍ଲକ ମାନଙ୍କରୁ ଆସିଥିବା ନୂତନ ପ୍ରସ୍ତାବ ଅନୁଯାଇ ନଳକୂଅ ୧୫ ମାର୍ଚ୍ଚ ସୁଦ୍ଧା ବସାଇବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ।
ଜଳକ୍ଲୀଷ୍ଟ ଅଂଚଳରେ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଇବାକୁ ପାନୀୟ ଜଳଯୋଗଣ ଓ ପରିମଳ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ ଲୋକମାନଙ୍କୁ ସଚେତନ କରାଇବା ପାଇଁ ବିଭିନ୍ନ ଜନ ଗହଳିପୂର୍ଣ୍ଣ ସ୍ଥାନ ଓ କାର୍ଯ୍ୟାଳୟ ମାନଙ୍କରେ ଅଂଶୁଘାତ ସଚେତନତା ସମ୍ପର୍କିତ ବ୍ୟାନର, ହୋଡିଂ, ପୋଷ୍ଟର ଇତ୍ୟାଦି ଲଗାଯିବା ସାମାଜିକ ଗଣ ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଦାନ କରିବା, ଲୋକମାନେ ପ୍ରଚଣ୍ଡ ଖରାରେ ଅତି ଆବଶ୍ୟକ ନହେଲେ ବାହାରକୁ ନ ବାହାରିବା, ବାହାରକୁ ବାହାରୁଥିଲେ ପାଣି ବୋତଲ, ଛତା, ଜୋତା, କଳା ଚଷମା ଇତ୍ୟାଦି ବ୍ୟବହାର କରିବା ସମ୍ପର୍କରେ ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ। ଜଳଛତ୍ର ମାନଙ୍କରେ ରଖାଯାଇଥିବା ପାଣିକୁ ବିଶୁଦ୍ଧ ଭାବେ ରଖିବା, ଜନ ଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ସିନଟେକସ୍ ଟ୍ୟାଙ୍କ ମାଧ୍ୟମରେ ପାନୀୟ ଜଳ ରଖିବାକୁ ପରାମର୍ଶ ଦେଇଥିଲେ।
ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ସେବା ଉପଲବ୍ଧ କରାଇ ନିୟମିତ ଭାବେ ଯାଞ୍ଚ କରି ପଦକ୍ଷେପ ନେବା, ବିଭିନ୍ନ ଜନ ଗହଳି ସ୍ଥାନ ମାନଙ୍କରେ ବିଗତ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କର୍ଯ୍ୟକରିବା, ବ୍ଲକ୍, ତହସିଲ ଓ ଅନ୍ୟାନ୍ୟ ଲାଇନ୍ ଡିପାର୍ଟମେଣ୍ଟ ମାନେ ଅନୁରୂପ ଭାବେ ଭାବେ ନିୟନ୍ତ୍ରଣ କକ୍ଷ ଖୋଲିବା, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣରେ ଓ.ଆର.ଏସ ପ୍ୟାକେଟ ସହ ଅଂଶୁଘାତ ଚିକିତ୍ସା କକ୍ଷ ବ୍ୟବସ୍ଥା କରିବା, ବରଫ, ଏସି ରୁମ୍, କୁଲର୍ ବ୍ୟବସ୍ଥା କରିବା, ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ପଶୁମାନଙ୍କ ପାଇଁ ଗାଁ ର ପ୍ରବେଶ ପଥରେ ନଳକୂପ ଥିବା ସ୍ଥାନ ମାନଙ୍କରେ ଜଳ କୁଣ୍ଡର ବ୍ୟବସ୍ଥା କରିବା, ଶ୍ରମିକ ମାନେ ଦିନ ୧୧ ଟାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରଖିବା, କାର୍ଯ୍ୟ କରୁଥିବା ସ୍ଥାନରେ ପାନୀୟ ଜଳ, ଓ.ଆର.ଏସ, ଇତ୍ୟାଦିର ବ୍ୟବସ୍ଥା କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା।
ଶିଳ୍ପ ସଂସ୍ଥା ମାନେ ଏହି ସମୟରେ ବିଭିନ୍ନ ସ୍ଥାନରେ ଜଳ ଯୋଗାଣ ଓ ପାନୀୟ ଜଳ ସେବା ଖୋଲିବା ନିମନ୍ତେ ଅନୁରୋଧ କରାଯାଇଥିଲା। ଅଂଶୁଘାତ ଜନିତ ମୃତ୍ୟୁହେଲେ ତହସିଲଦାର ଓ ମେଡିକାଲ ଅଫିସର ଙ୍କ ଦ୍ୱାରା ୨୪ ଘଣ୍ଟା ମଧ୍ୟରେ ଯୁଗ୍ମ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବେ।ଉକ୍ତ ବୈଠକରେ, ଜିଲ୍ଲା ଜରୁରୀ ଅଧିକାରୀ ଅଶୋକ କୁମାର ବେହେରା,ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ କ୍ଷେତ୍ରୀୟ ଅଧିକାରୀ ଓ ସମସ୍ତ ବି.ଡି.ଓ ଏବଂ ତହସିଲଦାର ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
