ଦୁର୍ଘଟଣାରେ ମୃତ କଳାକାରଙ୍କ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ମାହାଙ୍ଗା,୦୩/୦୩/୨୦୨୫ ( ଓଡିଶା ସମାଚାର /ଅଭୟ ଜେନା )- ବେପରୁଆ ଗାଡି ଚାଳନା ଯୋଗୁଁ ଜଣେ କଳାକାର ଙ୍କର ଅକାଳ ମୃତ୍ୟୁ ଘଟିଛି । ଏହାକୁ କେନ୍ଦ୍ରକରି ରବିବାର ସାଲେପୁର -ଛତିଆ ପୂର୍ତ୍ତ ବିଭାଗ ସଡ଼କର କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବନଗୁରୀଆ ନିକଟରେ ରାସ୍ତାରେ ଉପରେ ଶବ ରଖି ରାସ୍ତା ଅବରୋଧ ହୋଇଥିଲା । ରାସ୍ତା ଅବରୋଧକରି ଆନ୍ଦୋଳନ ଚଳେଇଥିବା ବ୍ୟକ୍ତି ମାନଙ୍କୁ ସ୍ଥାନୀୟ ଆଇଆଇସି ବହୁ ବୁଝା ସୁଝା କରିବା ସହିତ ମୃତକ ପରିବାରକୁ ନ୍ୟାୟ ପ୍ରଦାନ ଏବଂ ଅଭିଯୁକ୍ତ ଯୁବକକୁ ଗିରଫ କରାଯିବ ବୋଲି  ପ୍ରତିଶୃତି ଦେବାରୁ ଦୀର୍ଘ ୪ ଘଣ୍ଟା ଧରି ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ସୂଚନା ଅନୁସାରେ  ମାହାଙ୍ଗା ଥାନା କୁହୁଣ୍ଡା ପଞ୍ଚାୟତ ବନଗୁରୀଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ଜଣେ ମୂର୍ତ୍ତି କାରିଗର ଥିଲେ । ଅଭିନେତା ଓ ସଂଗୀତକାର ଭାବେ ମଧ୍ୟ ସେ ବେଶ୍ ଜଣାଶୁଣା ଥିଲେ ।  ଗତ ୧ ତାରିଖ ଶନିବାର ସନ୍ଧ୍ୟାରେ ପୂର୍ଣ୍ଣଚନ୍ଦ୍ର ଜୟପୁର ହାଟରୁ ସାଇକେଲ ଯୋଗେ ନିଜ ଘରକୁ ଫେରୁଥିବା ବେଳେ କୋଠପଦା ଗ୍ରାମର ଭରତ ବେହାରୀଙ୍କ ପୁଅ ମନ୍ମଥ ବେହାରୀ ମୋଟରସାଇକେଲ ଚଳାଇ ଆସୁଥିବାବେଳେ ପୂର୍ଣ୍ଣଚନ୍ଦ୍ରଙ୍କ ସହିତ ଦୁର୍ଘଟଣା ଘଟାଇଥିଲେ । ସ୍ଥାନୀୟ ଲୋକମାନେ ପୂର୍ଣ୍ଣ ଚନ୍ଦ୍ରଙ୍କୁ ଉଦ୍ଧାର କରି କୁଆଁପାଳ ଦମକଳ ବାହିନୀ ସହାୟତାରେ ପ୍ରଥମେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଂଚେଇଥିଲେ । ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଶଙ୍କଟାପନ୍ନ ହେବାରୁ ଡାକ୍ତର ତା’ଙ୍କୁ ମାହାଙ୍ଗାରୁ କଟକ ସ୍ଥାନାନ୍ତର କରିଥିଲେ । କଟକ ବଡ଼ ମେଡ଼ିକାଲରେ ଚିକିତ୍ସା ଚାଲିଥିବା ବେଳେ ପୂର୍ଣ୍ଣଚନ୍ଦ୍ରଙ୍କର ମୃତ୍ୟୁ ଘଟିଥିଲା ।

ରବିବାର କଟକରେ ଶବ ବ୍ୟବଛେଦ କରାଯିବା ପରେ ବନଗୁରୀଆ ଗ୍ରାମରେ ତା’ଙ୍କ ମୃତ ଦେହ ପହଂଚିଥିଲା । ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତୋଜନା ପ୍ରକାଶ ପାଇଥିଲା । ଦୁର୍ଘଟଣା ଘଟେଇଥିବା ଯୁବକ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଏବଂ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ରାସ୍ତାରେ ଶବରଖି ଶହଶହ ପୁରୁଷ ଓ ମହିଳା ରାସ୍ତା ଅବରୋଧ ଆନ୍ଦୋଳନ କରିଥିଲେ ।

ଖବର ପାଇ ମାହାଙ୍ଗା ଥାନା ଆଇଆଇସି ତପନ କୁମାର ରାଉତ, ଫାଣ୍ଡି ଅଧିକାରୀ ହେମନ୍ତ ବେହେରା, ଥାନା ଏସ ଆଇ ଶ୍ରୀ ଖୁଣ୍ଟିଆ, ସାମାଜିକକର୍ମୀ ଅଖିଳେଶ ମହାନ୍ତି, ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ ପ୍ରଧାନ,ଗ୍ରାମର ମୁରବୀ ନିରଞ୍ଜନ ମୁଦୁଲି,ମହେଶ୍ୱର ରାଉତ, ଶୁକଦେବ ସ୍ୱାଇଁ, ଅଲେଖ ଚନ୍ଦ୍ର ଦାସ, ମନୋଜ ସ୍ୱାଇଁ, ବାସବ ବେହେରା,ଜଗନ୍ନାଥ ନାୟକ, ନଗେନ ବେହୁରା, ରବୀନ୍ଦ୍ର ସାହୁ,ଲକ୍ଷ୍ମଣ ଓଝା ପ୍ରମୁଖ  ଆନ୍ଦୋଳନ ସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ ।  ପୋଲିସ ସହିତ ଆଲୋଚନା ପରେ ରାସ୍ତା ଅବରୋଧ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ଗ୍ରାମ ସ୍ମଶାନରେ ପୂର୍ଣ୍ଣଚନ୍ଦ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।  ପୁତ୍ର ପ୍ରଶାନ୍ତ ବେହେରା ମୁଖାଗ୍ନି ଦେଇଥିଲେ । ଦାହ ସତ୍କାର କାର୍ୟ୍ୟରେ ପରିବାର ଲୋକେ ସାମିଲ ହୋଇଥିଲେ । ଏଭଳି ଅଭାବନୀୟ ଘଟଣା ପରେ ରବିବାର ଦିନ ଗ୍ରାମରେ ଅନୁଷ୍ଠିତ ହେବାକୁ ଯାଉଥିବା ଅଷ୍ଟପ୍ରହରୀ ନାମଯଜ୍ଞ ବନ୍ଦ ହୋଇଯାଇଛି । ଏହି ଯଶସ୍ବୀ ମୂର୍ତ୍ତି କାରିଗର ଏବଂ ସଂଗୀତ ପ୍ରେମୀ କଳାକାରଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *