ବିଜୁଳି ଶୁଳ୍କ ବୃଦ୍ଧି ବନ୍ଦ୍, ସ୍ମାର୍ଟ ମିଟର ବାତିଲ୍, ଓଡ଼ିଆରେ ବିଜୁଳି ବିଲ୍, ୩୦୦ ୟୁନିଟ୍ ମାଗଣା ବିଜୁଳି ଓ କୃଷିକ୍ଷେତ୍ରକୁ ମାଗଣାରେ ବିଜୁଳି ଦାବିରେ ମାର୍ଚ୍ଚ ୨୧ ବିଧାନସଭା ଆଗରେ ବିକ୍ଷୋଭ କରିବ ଉପଭୋକ୍ତା ମହାସଂଘ

ଭୁବନେଶ୍ୱର,୦୩/୦୩/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ରବିବାର ଦିନ ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ଉପଭୋକ୍ତା ମହାସଂଘ ଆହ୍ୱାନରେ ଏକ ସର୍ବଦଳୀୟ ବୈଠକ ସି.ପି.ଆଇ (ଏମ୍)ର ୯ ନମ୍ବରସ୍ଥିତ ସାମ୍ୟବାଦୀ ଭବନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି । ମହାସଂଘର ରାଜ୍ୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମହାସଂଘର ଆବାହକ ରବି ବେହେରା ପ୍ରାରମ୍ଭିକ ଆଲୋଚନା ଆରମ୍ଭ କରି ରାଜ୍ୟରେ ବିଜୁଳି ଶୁଳ୍କ ବୃଦ୍ଧିର ସମ୍ଭାବନାକୁ ଜୋର୍ ଦାର୍ ବିରୋଧ କରିଥିଲେ । ଏହି ବୈଠକରେ ସର୍ବସମ୍ମତିକ୍ରମେ ନିମ୍ନଲିଖିତ ପ୍ରସ୍ତାବ ଗୁଡ଼ିକ ଅନୁମୋଦନ ଲାଭ କରିଥିଲା ।

(୧) ବିଜୁଳି ଶୁଳ୍କ ବୃଦ୍ଧି ବନ୍ଦ କରିବା ଓ ପାୱାରକଟ୍ ବନ୍ଦ (୨) ସ୍ମାର୍ଟ ମିଟର ବାତିଲ୍ (୩) ଓଡ଼ିଆରେ ବିଜୁଳି ବିଲ୍ (୪) ପ୍ରତ୍ୟେକ ଘରକୁ ମାଗଣାରେ ୩୦୦ ୟୁନିଟ୍ ବିଜୁଳି (୫) କୃଷି କ୍ଷେତ୍ରକୁ ସମ୍ପୂର୍ଣ୍ଣ ମାଗଣାରେ ବିଜୁଳି ଯୋଗାଇବାକୁ ସରକାରଙ୍କ ପାଖରେ ଦାବି କରାଯାଇଥିଲା । ଯଦି ରାଜ୍ୟ ସରକାର ଜନସାଧାରଣଙ୍କର ସ୍ୱାର୍ଥ ଦୃଷ୍ଟିରୁ ଏହିସବୁ ଦାବିକୁ ମାନି ନ ନିଅନ୍ତି, ତାହେଲେ ଆଗାମୀ ମାର୍ଚ୍ଚ ୨୧ ତାରିଖ, ଶୁକ୍ରବାର ଦିନ ୧୧ ଘଟିକା ସମୟରେ ବିଦୁ୍ୟତ୍ ଉପଭୋକ୍ତା ମହାସଂଘ ପକ୍ଷରୁ ଏକ ବିଶାଳ ଗଣବିକ୍ଷୋଭ ବିଧାନସଭା ସମ୍ମୁଖରେ ଅନୁଷ୍ଠିତ ହୋଇ ରାଜ୍ୟ ଶକ୍ତିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଏକ ସ୍ମାରକପତ୍ର ଦେବାପାଇଁ ନିଷ୍ପତି ଗ୍ରହଣ କରାଯାଇଛି ।

ଏଠାରେ ଉଲ୍ଲେଖଥାଉକି, ରାଜ୍ୟ ସରକାର ଓ.ଇ.ଆର.ସି. କୁ ଢାଲ କରି ଟାଟା ପାୱାର ଚାପ ଆଗରେ ମୁଣ୍ଡ ନୁଆଁଇ ବିଦୁ୍ୟତ୍ ଶୁଳ୍କ ବୃଦ୍ଧିର ଯେଉଁ ମସୁଧା କରୁଛନ୍ତି, ତାହାକୁ ଉପଭୋକ୍ତା ମହାସଂଘ ଜୋର୍ଦାର ବିରୋଧ କରିବା ସଂଗେ ସଂଗେ ସ୍ମାର୍ଟ ମିଟରକୁ ତୁରନ୍ତ ବାତିଲ୍ କରିବା ପାଇଁ ଦାବି ଉପସ୍ଥାପିତ କରିଛି । ଉପଭୋକ୍ତା ମହାସଂଘର ଏହି ଲୋକାଭିମୁଖୀ ଦାବି ଉପରେ ରାଜ୍ୟ ସରକାର ତୁରନ୍ତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ପଦକ୍ଷେପ ଗ୍ରହଣ କରିବାକୁ ଏହି ସର୍ବଦଳୀୟ ବୈଠକରେ ଦାବି କରାଯାଇଛି । ଏଠାରେ ଉଲ୍ଲେଖଥାଉକି, ଆଜକୁ ୩୦ ବର୍ଷ ତଳେ ରାଜ୍ୟରେ ବିଜୁଳି ସଂସ୍କାର ଆରମ୍ଭ ହୋଇଥିଲା ବେଳେ ସେତେବେଳେ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଆଜି ମଧ୍ୟ ଅପୂରଣୀୟ ହୋଇ ରହିଯାଇଛି ।

ବିଜୁଳି କମ୍ପାନୀମାନଙ୍କର ମନମାନି ଓ ଶୋଷଣ ଦିନକୁ ଦିନ ବଢିବାରେ ଲାଗିଛି । ଟାଟା ପାୱାର ହାତକୁ ଓଡ଼ିଶାର ବିଜୁଳି ବ୍ୟବସ୍ଥା ଗଲାପରେ ଓଡ଼ିଶାର ୪ କୋଟି ଲୋକଙ୍କ ଉପରେ ଟାଟା କମ୍ପାନୀର ଶୋଷଣ ଓ ଅତ୍ୟାଚାର ବଢ଼ିବାରେ ଲାଗିଛି । ରାଜ୍ୟବାସୀଙ୍କର ବୃହତର ସ୍ୱାର୍ଥ ଦୃଷ୍ଟିରୁ ବିଦୁ୍ୟତ୍ ଶୁଳ୍କ ବୃଦ୍ଧି ବନ୍ଦ ଓ ସ୍ମାର୍ଟ ମିଟର ବାତିଲ୍ କରିବା ସହିତ ଓଡ଼ିଆରେ ବିଜୁଳି ବିଲ୍ ଦେବାପାଇଁ ମହାସଂଘ ଦୃଢ ଦାବି କରୁଛି ।

ଏହି ବୈଠକରେ ବିଜେଡି ପକ୍ଷରୁ ଡ. ଲେଲିନ୍ ମହାନ୍ତି, ସିପିଆଇ ପକ୍ଷରୁ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ, ଜୟନ୍ତ ଦାସ, ସିପିଆଇ (ଏମ୍) ପକ୍ଷରୁ ରାଜ୍ୟସମ୍ପାଦକ ସୁରେଶ ପାଣିଗ୍ରାହୀ, ନାରୀ ନେତ୍ରୀ ପୁଷ୍ପା ଦାସ, ପ୍ରଭାତ ପାଣିଗ୍ରାହୀ, ସି.ପି.ଆଇ (ଏମ୍-ଏଲ୍) ଲିବରେସନ୍ ପକ୍ଷରୁ ମହେନ୍ଦ୍ର ପରିଡ଼ା, ସି.ପି.ଆଇ (ଏମ୍.-ଏଲ୍) ରେଡ୍ଷ୍ଟାର ପକ୍ଷରୁ ନାରୀ ନେତ୍ରୀ ପ୍ରମିଳା ବେହେରା ଓ ହେନା ବାରିକ, ଆରଜେଡି ପକ୍ଷରୁ ସମ୍ପାଦକ ହେମନ୍ତ କୁମାର, ଉପଭୋକ୍ତା ମହାସଂଘ ପକ୍ଷରୁ ମାନସ ଜେନା ଓ ପ୍ରସନ୍ନ ବିଶୋଇ, ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ଓ ବରିଷ୍ଠ ସମାଜସେବୀ ପ୍ରଫୁଲ୍ଲ ଦାସ ଏବଂ ପଶ୍ଚିମ ଓଡ଼ିଶା ବିଦୁ୍ୟତ୍ ଉପଭୋକ୍ତା ସଂଘ ପକ୍ଷରୁ ଏନ୍. ଗୋପାଳ ପ୍ରମୁଖ ଏହି ବୈଠକରେ ଅଂଶଗ୍ରହଣ କରି ବିଜୁଳି ଆନ୍ଦୋଳନକୁ ଜନସାଧାରଣଙ୍କ ପାଖକୁ ନେଇ ଏହାକୁ ଏକ ବିରାଟ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ ।

ଶେଷରେ ମାର୍ଚ୍ଚ ୨୧ତାରିଖ ଶୁକ୍ରବାର ଦିନ ବିଧାନସଭା ସମ୍ମୁଖରେ ବିଦୁ୍ୟତ୍ କମ୍ପାନୀମାନଙ୍କର ଶୋଷଣ ବିରୁଦ୍ଧରେ ବିରାଟ ଗଣବିକ୍ଷୋଭ ଅନୁଷ୍ଠିତ ହେବାପାଇଁ ନିଷ୍ପତି ଗ୍ରହଣ କରାଗଲା ।

Leave a Reply

Your email address will not be published. Required fields are marked *