ୟୁଥ୍ ଫର ଭଲୁ୍ୟଣ୍ଟାରୀ ୱାର୍କ ତରଫରୁ ଆତ୍ମହତ୍ୟା ନିବାରଣ ସମ୍ବନ୍ଧରେ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର,୦୨/୦୩/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ପ୍ରତିଦିନ ଗଣମାଧ୍ୟମରେ ଆତ୍ମହତ୍ୟା ସମ୍ବନ୍ଧୀୟ ଖବର ଦେଖିବାକୁ ମିଳୁଛି, ଯାହାକି ସାରା ବିଶ୍ୱ ପାଇଁ ଏକ ଚିନ୍ତାର ବିଷୟ । ଭାରତ ବର୍ଷରେ ଆତ୍ମହତ୍ୟାର ସ୍ଥିତି ଆହୁରି ଭୟାନକ । ରାଷ୍ଟ୍ରୀୟ ଅପରାଧ ବୁ୍ୟରୋର ରିପୋର୍ଟ ଅନୁସାରେ ୨୦୧୯ ମସିହାରେ ୧ଲକ୍ଷ ୪୦ ହଜାର ଲୋକ ଭାରତରେ ଆତ୍ମହତ୍ୟା କରିଛନ୍ତି । ପ୍ରତିଦିନ ୩୮୦ଜଣ ଲୋକ ଆତ୍ମହତ୍ୟା କରୁଛନ୍ତି । ଅର୍ଥାତ୍ ପ୍ରତି ଘଣ୍ଟାରେ ୧୬ଜଣ ଭାରତୀୟ ଆତ୍ମହତ୍ୟା ଯୋଗୁଁ ମୃତୁ୍ୟବରଣ କରୁଛନ୍ତି ।
ସାରା ବିଶ୍ୱରେ ୧୫ ରୁ ୨୯ବର୍ଷ ବୟସ୍କ ଯୁବତୀ ଓ ଯୁବକଙ୍କ ମଧ୍ୟରେ ମୃତୁ୍ୟର ପ୍ରଥମ କାରଣ ହେଲା ଆତ୍ମହତ୍ୟା । ସାରା ବିଶ୍ୱରେ ଯୁବକ ଯୁବତୀମାନଙ୍କ ମଧ୍ୟରୁ ଭାରତୀୟ ଯୁବକ ଯୁବତୀ ସର୍ବାଧିକ ଆତ୍ମହତ୍ୟା କରିଛନ୍ତି । ଭାରତକୁ ବିଶ୍ୱର ଆତ୍ମହତ୍ୟାର ରାଜଧାନୀ କୁହାଯାଉଛି । ପାରିବାରିକ କଳହ, ପ୍ରେମ, ଅତ୍ୟଧିକ ଋଣଗ୍ରସ୍ତ, ମାନସିକ ସମସ୍ୟା ପ୍ରଭୃତି କାରଣରୁ ଆତ୍ମହତ୍ୟାର ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ହୃଦବୋଧ କରି ସାମାଜିକ ଅନୁଷ୍ଠାନ ୟୁଥ୍ ଫର ଭଲୁ୍ୟଣ୍ଟାରୀ ୱାର୍କ ତରଫରୁ ଏକ ସଚେତନତା ପଦଯାତ୍ରା ଭୁବନେଶ୍ୱରସ୍ଥିତ ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ୍ ଛକ ପର୍ଯ୍ୟନ୍ତ ଅନୁଷ୍ଠାନର ଅଧ୍ୟକ୍ଷ ମୀର ଅମହ୍ମଦ ଅଲ୍ଲୀଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା ।
ଜୀବନ ଏକ ଉପହାର ଗଢିତୋଳି କର ସୁନ୍ଦର, ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ଆତ୍ମହତ୍ୟା ମହାପାପ, ସେ ପାପର ନାହିଁ ପ୍ରାୟଶ୍ଚିତ, ମଣିଷ ଜୀବନ ବହୁ ମୂଲ୍ୟବାନ ପ୍ରଭୃତି ସ୍ଲୋଗାନ ଦେଇ ସ୍ୱେଚ୍ଛାସେବୀ ମାନେ ଲୋକମାନଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ହାସ୍ୟ ଅଭିନେତା ଭକ୍ତ ପ୍ରହ୍ଲାଦ ଚରଣ ପଟ୍ଟନାୟକ (ହାଡ଼ୁ) ଯୋଗଦେଇ କହିଥିଲେ ଯେ, ଆମର ଏହି ସମାଜରେ ଜଣେ ଅନ୍ୟ ଜଣର ଦୁଃଖ ଓ ମାନସିକ ସ୍ଥିତିକୁ ପଢ଼ିବାକୁ ଇଚ୍ଛୁକ ନୋହୁଁ ତେଣୁ ସମାଜରେ ଆତ୍ମହତ୍ୟା ସଂଖ୍ୟା ବୁଦ୍ଧି ପାଉଛି ।
ସାମାଜିକ କର୍ମୀ ନିରୋଜା ମହାପାତ୍ର ଯୋଗଦେଇ କହିଥିଲେ ଯେ, ଯେତେ ବଡ଼ ବାଧାବିଘ୍ନ ଆସୁନା କାହିଁକି ମଣିଷ କେବେ ନିଜ ଜୀବନକୁ ହାରିବା କଥା ନୁହଁ, କାରଣ ମଣିଷ ଜୀବନ ଏକ ଦୁର୍ଲଭ ଜୀବନ । ସାମାଜିକ କର୍ମୀ ବିନ୍ଦୁଜା ଉପାଧ୍ୟାୟ ଯୋଗଦେଇ ଉପସ୍ଥିତ କଲେଜ ଛାତ୍ରଛାତ୍ରୀମାନଙ୍କୁ ଯୁବଗୋଷ୍ଠୀ ମଧ୍ୟରେ ଏହି ସଚେତନତାକୁ ବଜେୟୀ ରଖିବା ପାଇଁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିନୋଦ କୁମାର ରାଉତ, ମନୋଜ କୁମାର ସାହୁ, ସରୋଜ କୁମାର ପ୍ରଧାନ, କ୍ଷିରୋଦ କୁମାର ଜେନା, ତାପସ ଦେ, ବିଷ୍ଣୁ, ଲକ୍ଷ୍ମୀଧର, ଲକ୍ଷ୍ମୀପ୍ରିୟା, ହରିଶଙ୍କର, ଆଲୋକ, ଜସୋସ୍ମିତା, ଲକ୍ଷ୍ମୀପ୍ରିୟା ମହାନ୍ତି, ପ୍ରଜ୍ଞା, ମିଲି, ଶ୍ରାବଣୀ, ପୂର୍ଣ୍ଣିମା, ଶୁଭଶ୍ରୀ ସିଂହ, ହରିଶ, ସାଗର, ଗୁରୁପଦ ପ୍ରମୁଖ ଉପସ୍ଥିତ ଥିଲେ ।